ସ୍ଥଳଭାଗ ଅତିକ୍ରମ କଲା ଭୀଷଣ ବାତ୍ୟା ‘ରେମାଲ’, ପଶ୍ଚିମବଙ୍ଗ ଓ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି
କୋଲକାତା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରେମାଲର ଆରମ୍ଭ ହୋଇଛି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳକୁ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିଛି। ଏହି ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଜାରି ରହିଥିଲା। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ପାଖାପାଖି ୧୨୦ କିଲୋମିଟର ରହିଥିବା ଜଣାପଡ଼ିଛି। ରାତି ୮ଟା ୩୦ରେ ‘ରେମାଲ’ ସାଗର ଦୀପଠାରୁ ୧୩୦ କିମି, ଖେପୁପରାଠାରୁ ୧୪୦ ଓ ମୋଙ୍ଗଲା(ବାଂଲାଦେଶ)ଠାରୁ ୧୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିଲା।
ଲ୍ୟାଣ୍ଡଫଲ୍ ପରେ ବାଂଲାଦେଶ ଉପକୂଳ ଓ ସଂଲଗ୍ନ ପଶ୍ଚିମବଙ୍ଗରେ ତାଣ୍ଡବ ରଚିବା ଆରମ୍ଭ କରିଛି। ଫଳରେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି କଲା ‘ରେମାଲ’। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ିବା ସହ ଭାଙ୍ଗିଲା ଘର। ଏବେ ବି ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଜାରି ରହିଛି ବର୍ଷା। ଭୀଷଣ ବାତ୍ୟା ଭାବେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିଥିବା ବେଳେ ରାତି ୧୦ଟା ୩୦ରୁ ୧୨ଟା ୩୦ ମଧ୍ୟରେ ଉପକୂଳ ଅତିକ୍ରମ କଲା ବାତ୍ୟା। ବାତ୍ୟା ପ୍ରଭାବରେ ଉତ୍ତର ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିଛି।
ଭୀଷଣ ବାତ୍ୟା ଏବେ କ୍ରମଶଃ ଦୁର୍ବଳ ହେବା ସହ ଉତ୍ତର ଦିଗକୁ ଗତି କରିଛି । ତେବେ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ବାତ୍ୟା ରେମାଲ ପଶ୍ଚିମବଙ୍ଗ ଉପକୂଳ ଏବଂ ବାଂଲାଦେଶର ଅନେକ ସ୍ଥାନରେ ତାଣ୍ଡବ ରଚିଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ବେଗରେ ପବନ ବହିବା ସହ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିରହିଛି । ସେହିପରି ସମୁଦ୍ରରେ ମଧ୍ୟ ଉଚ୍ଚ ଲହରୀ ଆସୁଥିବା ଦେଖିବାକୁ ମିଳିଛି । ବାତ୍ୟାର କ୍ଷୟକ୍ଷତି ଏବଂ ମୃତାହତ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନି ।
ଓଡ଼ିଶା ଉପରେ ଏହି ବାତ୍ୟାର ପ୍ରଭାବ ବିଶେଷ ନଥିଲେ ମଧ୍ୟ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ରାତି ତମାମ ବର୍ଷା ହୋଇଛି । ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ସେପଟେ ଦୁଇ ଦିନ ପାଗ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଥିବା ବେଳେ ଆଜିଠୁ ରାଜ୍ୟରେ ପୁଣିଥରେ ତାପମାତ୍ରା ବୃଦ୍ଧି ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
Comments are closed.