Latest Odisha News

BREAKING NEWS

ଇଣ୍ଟରଭ୍ୟୁ ସମୟରେ ମନେ ରଖନ୍ତୁ ଏହି ଟିପ୍ସ, ଚୁଟ୍କିରେ ମିଳିଯିବ ଚାକିରି

ଭୁବନେଶ୍ଵର: ସରକାରୀ ଚାକିରି ହେଉ କି ବେସରକାରୀ ଚାକିରି, ଆଜିକାଲି ସମସ୍ତ କ୍ଷେତ୍ରରେ ପ୍ରତିଯୋଗିତା ସ୍ତର ବହୁତ ବଢ଼ି ଯାଇଛି। ଏହି କାରଣରୁ ଅନେକ ବାର ପ୍ରତିଭାବାନ ପ୍ରାର୍ଥୀମାନେ ମଧ୍ୟ ଚାକିରିରୁ ବଞ୍ଚିତ ହୋଇ ରହି ଯାଉଛନ୍ତି । ଯଦି ଆପଣ କଲେଜ ପାଠପଢ଼ା ପୂରା କରି ସାରିଛନ୍ତି ଏବଂ ନିଜ ପାଇଁ ଭଲ ଚାକିରି ଖଣ୍ଡିଏ ଖୋଜୁଛନ୍ତି, ତ ଚାକିରି ସାକ୍ଷାତକାର ଦେବା ବେଳେ ଏହି ଟିପ୍ସ ଆପଣଙ୍କ କାମରେ ଆସିପାରେ।

କୌଣସି ବି ଚାକିରି ସାକ୍ଷାତକାରକୁ ଚୁଟ୍‌କିରେ ପାର୍ କରିଯିବା ଏତେ ସହଜ କାମ ନୁହେଁ। ଏଥିପାଇଁ ପୂର୍ବରୁ ହିଁ ଅନେକଗୁଡ଼ିଏ ପ୍ରସ୍ତୁତି କରିବାକୁ ପଡ଼ିଥାଏ। ଚାକିରି ସାକ୍ଷାତକାର ପୂର୍ବରୁ ଏବଂ ସେହି ସମୟରେ ମନରେ ଅନେକ କଥା ଫିଟ୍ କରିବା ଜରୁରୀ । କାହିଁକି ନା, ସାକ୍ଷାତକାର ଗ୍ରହଣ କରୁଥିବା ବ୍ୟକ୍ତି ଆପଣଙ୍କ ଅପେକ୍ଷା ଅଧିକ ଅଭିଜ୍ଞ ଏବଂ ବୁଦ୍ଧିମାନ ହୋଇଥିବେ, ଏଥିରେ କୌଣସି ସନ୍ଦେହ ନାହିଁ । ତେଣୁ ତାଙ୍କୁ ପ୍ରଭାବିତ କରିବା ପାଇଁ ନିଜ ତରଫରୁ କୌଣସି ଅଭାବ ନ ରଖିବା ହିଁ ଭଲ ହେବ।

ଅଧିକାଂଶ ସାକ୍ଷାତକାରରେ ପ୍ରାର୍ଥୀଙ୍କ ରିଜ୍ୟୁମ୍ ଦେଖି କିଛି ସାଧାରଣ ପ୍ରଶ୍ନ ନିଶ୍ଚିତ ଭାବରେ ପଚରା ଯାଇଥାଏ । ଉଦାହରଣ ସ୍ୱରୂପ, ଆପଣଙ୍କ ନାମର ଅର୍ଥ କ’ଣ, ଆପଣଙ୍କ ସଉକ, ଆପଣଙ୍କ ପାଠପଢ଼ା ଇତ୍ୟାଦି । ତେଣୁ ଏ ସବୁ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଏବଂ ପ୍ରସ୍ତୁତି କରିବା ବହୁତ ଜରୁରୀ ହୋଇଥାଏ । ଏହି ପ୍ରକାର ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପୂର୍ବରୁ ଅଧିକ ଭାବିବା ଉଚିତ୍ ନୁହେଁ ।

ସବୁଠାରୁ ଗୁରୁତ୍ଵପୁର୍ଣ୍ଣ କଥା ହେଉଛି ଆପଣଙ୍କ ଲୁକ୍‌ । ଆପଣଙ୍କ ଲୁକ୍‌ କେମିତି ଆକର୍ଷଣୀୟ ହୋଇପାରିବ, ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଇଣ୍ଟରଭ୍ୟୁ ଦବାକୁ ଯିବା ସମୟରେ ଆପଣ ସର୍ବଦା ଫର୍ମାଲ ଡ୍ରେସ୍‌କୁ ପ୍ରାଥମିକତା ଦିଅନ୍ତୁ । ସାଧାସିଧା ହେୟାର୍‌ ଷ୍ଟାଇଲ୍‌ କରି ସାଧାରଣ ମେକଅପ୍‌ ନେଇ ଇଣ୍ଟରଭ୍ୟୁ ଦେବାକୁ ଯାଆନ୍ତୁ ।

ସାକ୍ଷାତକାର ସମୟରେ ପ୍ରାର୍ଥୀଙ୍କ ମଧ୍ୟରେ ଧୌର୍ଯ୍ୟଶକ୍ତି ରହିବା ଦରକାର । ଏଥି ସହିତ ଶୁଣିବାର ଦକ୍ଷତା ମଧ୍ୟ ଥିବା ଜରୁରୀ । ବାକ୍ୟଗୁଡ଼ିକ ମଝିରେ ଆବଶ୍ୟକ ବ୍ରେକ ନେଇ ପ୍ରଶ୍ନଗୁଡ଼ିକୁ ସଠିକ୍ ଭାବରେ ବୁଝନ୍ତୁ ଏବଂ ତା’ ପରେ ଏହାର ଉତ୍ତର ଦିଅନ୍ତୁ। କୌଣସି ବି ବିଷୟ ଉପରେ ବଢ଼ାଇ କହିବା ପରିବର୍ତ୍ତେ ବାସ୍ତବ ଏବଂ ଠିକ୍ କଥା ହିଁ କୁହନ୍ତୁ । ସାକ୍ଷାତକାରରେ ଶିଷ୍ଟାଚାର ଯଥା, ଅନୁମତି ନେବା, ଦୁଃଖିତ, ଧନ୍ୟବାଦ ଭଳି ଶବ୍ଦର ବ୍ୟବହାର ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯଦି ଆପଣଙ୍କୁ କୌଣସି ପ୍ରଶ୍ନର ଉତ୍ତର ଜଣା ନାହିଁ, ତ ‘ସରି’ କହି କଥାକୁ ସ୍ପଷ୍ଟ କରି ଦିଅନ୍ତୁ ।

Comments are closed.