Latest Odisha News

BREAKING NEWS

ଓଡ଼ିଆ ସ୍ୱାଭିମାନ ଓ ମଧୁସୂଦନ: ଶ୍ରାଦ୍ଧ ବାର୍ଷିକୀରେ ଜାଣନ୍ତୁ ମଧୁବାବୁଙ୍କ ସମ୍ପର୍କରେ କିଛି କଥା…

ଭୁବନେଶ୍ୱର: ଓଡିଆ ଜାତିର ତ୍ରାଣକର୍ତ୍ତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି ଶ୍ରାଦ୍ଧ ବାର୍ଷିକ । ମଧୁବାବୁ ନମରେ ସେ ପରିଚିତ ।

କଟକ ଜିଲ୍ଲା ସତ୍ୟଭାମାପୁରରେ ୨୮ ଅପ୍ରେଲ, ୧୮୪୮ରେ ଜନ୍ମ ଗ୍ରହଣ କରିଥିବା ମଧୁବାବୁ ୧୯୩୪ ମସିହା ଫେବୃଆରୀ ୪ ତାରିଖରେ ଇହଧାମ ତ୍ୟାଗ କରିଥିଲେ ।

ଚାଟଶାଳୀ ପଢା ଶେଷ କରି କଟକ ଯାଇଥିଲେ ପାଠପଢିବାକୁ । ୧୮୮୪ରେ କଟକ ସ୍କୁଲରୁ ଏଣ୍ଟ୍ରାନ୍ସ ପାସ୍ କରିଥିଲେ । ଏହାପରେ ବାଲେଶ୍ୱରରେ କିରାନି ଚାକିରି କରିଥିଲେ । ପରେ କଲିକତା ଯାତ୍ରା କରିଥିଲେ । ସେଠାରେ ୧୮୭୦ରେ ବି.ଏ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।

ମଧୁବାବୁ ଥିଲେ ଜଣେ ଓଡିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା । ଲେଖକ ଓ କବି ସହ ସେ ଥିଲେ ଓଡିଶାର ପ୍ରଥମ ବାରିଷ୍ଟର । ପ୍ରଥମ ଓଡିଆ ଗ୍ରାଜୁଏଟ୍ ,ପ୍ରଥମ ଓଡିଆ ଏମ.ଏ , ପ୍ରଥମ ଓଡିଆ ବିଲାତ ଯାତ୍ରୀ ,ପ୍ରଥମ ମନ୍ତ୍ରୀ, ପ୍ରଥମ ବିହାର-ଓଡିଶା ବିଧାନସଭା ସଦସ୍ୟ ।

ଓଡିଶାର ବିଚ୍ଛିନ୍ନାଂଚଳର ଏକତ୍ରୀକରଣ ପାଇଁ ସେ ସାରା ଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧,ରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡିଶା ପ୍ରତିଷ୍ଠା ହୋଇଥିଲା ।

ରାଜନୀତି:

୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଶିଳ୍ପର ଉନ୍ନତି:

କଟକର ସୁନାରୂପାର ତାରକସି କାମ ପାଇଁ ମଧୁସୂଦନ ଦାସ ନିଜ ବାସଘରେ ଏକ କର୍ମଶାଳାର ଆୟୋଜନ କରି କାରିଗରମାନଙ୍କୁ ତାଲିମ ପ୍ରଦାନ କରିବାର ବ୍ୟବସ୍ଥା କରାଇଥିଲେ । ଏଥି ସହିତ ସୁନା, ରୂପା ଓ ଅନ୍ୟାନ୍ୟ କଞ୍ଚାମାଲ କିଣିବା ଲାଗି ସେ କାରିଗରମାନଙ୍କୁ ପଇସା ମଧ୍ୟ ଦେଉଥିଲେ । ବିକ୍ରି ହେଉ କି ନ ହେଉ ସେମାନଙ୍କ କାମ ନିମନ୍ତେ ସେ ଦୈନିକ ବେତନ ଦେଉଥିଲେ । ଲଣ୍ଡନ ଯାଇଥିବା ବେଳେ ସେ ସେଠାରେ ଏହିସବୁ କାମର ଏକ ପ୍ରଦର୍ଶନୀର ଆୟୋଜନ କରିଥିଲେ । କଟକରେ ସେ ଉତ୍କଳ ଟ୍ୟାନେରୀ ନାମକ ଜୋତା କାରଖାନା ପ୍ରତିଷ୍ଠା କରିଥିଲେ । ଖରାପ ହୋଇଯାଉଥିବା ଜୋତାଗୁଡ଼ିକୁ ବଜାରକୁ ନ ଛାଡ଼ି ତାକୁ ପୋଡ଼ି ପକାଉଥିଲେ । ଏହା ଫଳରେ ଉତ୍କଳ ଟ୍ୟାନେରୀ ବହୁ କ୍ଷତି ସହିଥିଲା ।

ସତୀ ଚଉରା:

ମଧୁସୂଦନ ଦାସ ଜନ୍ମ ଗ୍ରହଣ କରିଥିବା ଗୃହ ସତ୍ୟଭାମାପୁର ଠାରେ

ନିଜ ପଣ ଜେଜେମା କୃଷ୍ଣାଦେଈ ପତି ସୁଦର୍ଶନଙ୍କ ଚିତାନଳରେ ଝାସ ଦେଇ ସତୀ ହେବା ଘଟଣାରେ ମର୍ମାହତ ହୋଇ ସତୀ ଚଉରା ଗଢ଼ାଇଥିଲେ । ଅଧୁନା ଏହା ଅବହେଳିତ ହୋଇ ଜଣଙ୍କ ବ୍ୟକ୍ତିଗତ ମାଲିକାନାରେ ରହିଛି । ଏଠାରେ ଥିବା ପିଣ୍ଡି ମାଟିରେ ମିଶିଗଲାଣି ।

ଲିଭିଗଲା ମହାଦୀପ:

ଉତ୍କଳର ଜନସାଧାରଣଙ୍କ ମନରୁଲିଭି ନ ଥାଏ ଭୂମିକମ୍ପର ପ୍ରଭାବ । ଏତେବେଳେ ଦୈନିକ ଖବରକାଗଜ ‘ସମାଜ’ରୁ ଖବର ପଢି ଆତଙ୍କିତ ହୋଇ ଉଠିଲେ ସଭିଏଁ । ସେହି ମହାଦ୍ରୁମ ଉତ୍କଳର ବରପୁତ୍ର ମଧୁସୂଦନ ଦାସ ବର୍ତ୍ତମାନ ରୋଗାକ୍ରାନ୍ତ । ତାଙ୍କ ଅନ୍ତନଳୀରେ ଘା’ ହୋଇଥିବାରୁ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଏହା ପରେ ପରେ ତାଙ୍କର ଜୀବନ ଦୀପ ଧୀରେ ଧୀରେ ନିର୍ବାପିତ ହେବାକୁ ଲାଗିଲା ।୧୯୩୪ ମସିହା 6ଫବୃୟାରୀ ମାସ ୪ ତାରିଖ ରାତି ୧.୨୦ ମିନଟ ସମୟରେ ତାଙ୍କ ଆତ୍ମ। ମର ଶରୀର ତ୍ୟାଗ କରି ଅମରପୁର ବାହୁଡ଼ିଲା ।

 

Comments are closed.