Latest Odisha News

BREAKING NEWS

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ, ମହାନ ଜନନାୟକଙ୍କୁ ଝୁରୁଛି ଓଡ଼ିଶା

ଭୁବନେଶ୍ବର :  ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ। ୧୯୧୬ ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ ୧୭ ତାରିଖ, ମାନେ ୮୧ ବର୍ଷର ଜୀବନରେ ଏହି କିମ୍ବଦନ୍ତୀ ପୁରୁଷଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ନବ ଉତ୍କଳର ଅନ୍ୟତମ ପୁରୋଧା ତଥା କଳିଙ୍ଗବୀର ବିଜୁ ପଟ୍ଟନାୟକଙ୍କର ବ୍ୟକ୍ତିତ୍ୱ ଓଡିଶାବାସୀଙ୍କୁ ସବୁବେଳେ ଉଦବୁଦ୍ଧ କରିଆସିଛି, ପ୍ରେରଣା ଯୋଗାଇ ଆସିଛି । ସଭିଙ୍କ ପ୍ରିୟ ବିଜୁ ବାବୁଙ୍କୁ, କିଏ କହେ ’ମାଟିର ବରପୁତ୍ର’ ତ କିଏ କହେ ’ଝଡ଼ର ଇଗଲ’ । ଓଡିଆଙ୍କର ଗର୍ବ ଏବଂ ଗୌରବ, ଆଧୁନିକ ଓଡିଶାର କିମ୍ବଦନ୍ତୀ ନେତା ତଥା ସ୍ଥପତି ବିଜୁ ବାବୁ ନିଜକୁ ପ୍ରମାଣିତ କରିଛନ୍ତି ତାଙ୍କର ଅଭିନବ ଉଦ୍ୟମ, ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ମାଧ୍ୟମରେ | ଏହି ମହାନ ଦୂରଦୃଷ୍ଟି ସମ୍ପନ୍ନ ତଥା ଟାଣୁଆ ନେତା ୧୯୧୬ ମାର୍ଚ୍ଚ ୫ରେ କଟକ ଅନ୍ତର୍ଗତ ତୁଳସୀପୁର ଆନନ୍ଦ ଭବନରେ ଏକ ସଂସ୍କୃତି ସମ୍ପନ୍ନ, ପ୍ରତିଷ୍ଠିତ ସ୍ୱାଧୀନତା ସଂଗ୍ରାମୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଏବଂ ମାତା ଆଶାଲତା ଦେବୀ, ବାଲ୍ୟକାଳରୁ ହିଁ ତାଙ୍କର ସାହସିକତା କାର୍ଯ୍ୟରେ ବିଜୁ ବାବୁଙ୍କୁ ପ୍ରେରଣା ଦେବାସହ ଉତ୍ସାହିତ ମଧ୍ୟ କରିଥିଲେ। ଯହାକି ତାଙ୍କୁ ଆଜନ୍ମ ସାହାସୀ ଓ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ କରି ଗଢ଼ି ତୋଳିଥିଲା । ବିଜୁବାବୁଙ୍କ କେବଳ ଓଡ଼ିଶା ଚିହ୍ନେନା; ସାରା ବିଶ୍ୱରେ ତାଙ୍କର ଦୂରଦୃଷ୍ଟି ଓ ତାଙ୍କ କର୍ମନିପୁଣ ଜୀବନର ପ୍ରଶଂସା ଶୁଣିବାକୁ ମିଳେ । ତାଙ୍କ ଅବର୍ତ୍ତମାନରେ ବି ଓଡ଼ିଶା ମାଟିରେ ସେ ଅବିସ୍ମରଣୀୟ, ଅତୁଳନୀୟ।

ସ୍ୱାଧୀନତା ପୂର୍ବରୁ ସେ କଟକ ଉତ୍ତର ଆସନରୁ ୧୯୪୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଜୁ ପଟ୍ଟନାୟକ । ଆଉ ସ୍ୱାଧୀନତା ପରେ ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସେ ଦେଖିଥିଲେ ସ୍ୱପ୍ନ । ୧୯୫୨ରେ ଜଗନ୍ନାଥପ୍ରସାଦ ଓ ୧୯୫୭ରେ ସୋରଡ଼ା ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୬୦ ଦଶକ ଆରମ୍ଭରେ ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିଲେ ବିଜୁବାବୁ । ବିଜୁବାବୁଙ୍କ ନେତୃତ୍ୱରେ ୧୪୦ ଆସନରୁ ୮୨ ଆସନ ଜିତିଥିଲା କଂଗ୍ରେସ । ୧୯୬୧ରେ ମାତ୍ର ୪୫ ବର୍ଷ ବୟସରେ ବିଜୁ ପଟ୍ଟନାୟକ ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଆଧୁନିକ ଓଡ଼ିଶା ନିର୍ମାଣର ନିଅଁ ପଡ଼ିଥିଲା ବିଜୁଙ୍କ ହାତରେ । ଓଡ଼ିଶାରେ ମୁଣ୍ଡ ଟେକିଥିଲା ବହୁ ଶିଳ୍ପ, କଳ କାରଖାନା ।

୧୯୬୧ରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇ ୧୯୬୩ ଯାଏଁ ଓଡ଼ିଶାର ନେତୃତ୍ବ ନେଇଥିଲେ। ତାଙ୍କ ଉଦ୍ୟମରେ ଓଡ଼ିଶାରେ ବହୁ କାରଖାନା ପ୍ରତିଷ୍ଠିତ ହୋଇଥିଲା। ପାରାଦୀପରେ ଏକ ବୃହତ୍‌ ବନ୍ଦର ସ୍ଥାପନ ପାଇଁ ସେ ହିଁ ପ୍ରଥମେ ପଦକ୍ଷେପ ନେଇଥିଲେ। ଓଡ଼ିଶାର ଲୌହ-ବହୁଳ ଅଞ୍ଚଳ ସହ ପାରାଦୀପକୁ ଯୋଡ଼ିବା ପାଇଁ ଦୈତାରୀ-ପାରାଦୀପ ଏକ୍‌ସପ୍ରେସ୍‌ ରାଜପଥ ନିର୍ମାଣ କରାଇଥିଲେ। ନିଜର ଦ୍ବିତୀୟ ଶାସନ କାଳରେ ସେ ଓଡ଼ିଶାକୁ ତିରିଶଟି ଜିଲ୍ଲାରେ ବିଭକ୍ତ କରିଥିଲେ। ତାଙ୍କ ସମୟରେ ପଞ୍ଚାୟତ ଓ ନଗରପାଳିକା ବ୍ୟବସ୍ଥାରେ ମହିଳାଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ କାର୍ଯ୍ୟକାରୀ ହୋଇଥିଲା। ଶ୍ରମିକଙ୍କ ପାଇଁ ଐତିହାସିକ ପଦକ୍ଷେପ ନେଇ ସେ ସର୍ବନିମ୍ନ ମଜୁରିକୁ ଏଗାର ଟଙ୍କାରୁ ପଚିଶ ଟଙ୍କାକୁ ବଢ଼ାଇ ଦେଇଥିଲେ।

କେବଳ ରାଜ୍ୟ ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ବିଜୁ ବାବୁ ଥିଲେ ବେଶ୍ ପ୍ରଭାବଶାଳୀ । ନେହେରୁ ହୁଅନ୍ତୁ ବା ଇନ୍ଦିରା, ସବୁ ସମୟରେ ବିଜୁବାବୁଙ୍କର ଥିଲା ଅଖଣ୍ଡ ପ୍ରଭାବ । ସାଲିସ ବିହୀନ ରାଜନୀତି ଥିଲା ତାଙ୍କର ମନ୍ତ୍ର । ଯେଉଁଥିପାଇଁ ସେ କଂଗ୍ରେସ ଛାଡ଼ି ଉତ୍କଳ କଂଗ୍ରେସ ନାଁରେ ନୂଆ ଆଞ୍ଚଳିକ ଦଳ ଗଢ଼ିଥିଲେ । ପରବର୍ତ୍ତୀ ସମୟରେ ଜନତା ଦଳକୁ ଯାଇଥିଲେ ବିଜୁ ପଟ୍ଟନାୟକ । ଜରୁରୀ ପରିସ୍ଥିତି ବିରୋଧରେ ଲଢ଼ି ଜେଲ ମଧ୍ୟ ଯାଇଥିଲେ ବିଜୁବାବୁ । ପରେ ଜନତା ପାର୍ଟି କେନ୍ଦ୍ରରେ ସରକାର ଆସିବା ପରେ ବିଜୁ ପଟ୍ଟନାୟକ ହୋଇଥିଲେ କ୍ୟାବିନେଟ ମନ୍ତ୍ରୀ । ସେତେବେଳେ ସେ କେନ୍ଦ୍ରାପଡ଼ାରୁ ସାଂସଦ ଥିଲେ । ପରବର୍ତ୍ତୀ ସମୟରେ ଦେଶବ୍ୟାପୀ କଂଗ୍ରେସ ଲହର ସତ୍ତ୍ୱେ କେନ୍ଦ୍ରାପଡ଼ାରୁ ଲଗାତର ଦୁଇଥର ସାଂସଦ ହୋଇଥିଲେ । ୧୯୮୯ରେ ଭିପି ସିଂହଙ୍କୁ ପ୍ରଧାନମନ୍ତ୍ରୀ କରାଇବାରେ ବିଜୁବାବୁ ଥିଲେ ପରଦା ପଛର ନାୟକ । ୧୯୯୦ରେ ବିଜୁ ପଟ୍ଟନାୟକଙ୍କର ଏମିତି ଲହରୀ ଆସିଲା, ଯେଉଁଥିରେ କି କଂଗ୍ରେସ ପୂରା ସଫା ହୋଇଯାଇଥିଲା । ରେକର୍ଡ ସଂଖ୍ୟକ ଆସନରେ ବିଜୟଲାଭ କରି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ବିଜୁ ପଟ୍ଟନାୟକ । ପରେ ୧୯୯୬ରେ କଟକରୁ ଓ ପରେ ଆସିକା ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ବିଜୁ ପଟ୍ଟନାୟକ ।

ଜଣେ ସଫଳ ଓ ପ୍ରଭାବଶାଳୀ ରାଜନେତା ଭାବେ ପରିଚିତ ହେବା ଆଗରୁ ବିଜୁବାବୁ ଥିଲେ ଜଣେ ସାହସୀ ପାଇଲଟ । ୧୯୪୮ ମସିହାରେ ପାକିସ୍ତାନ ବିରୋଧରେ କାଶ୍ମୀର ଯୁଦ୍ଧ ବେଳେ ପାଇଲଟ ଭାବେ ବିଜୁବାବୁଙ୍କ ଅଦମ୍ୟ ସାହସ କିଏ ବା ଭୁଲିପାରିବ ? କୁହାଯାଏ ଯେ, ଯଦି ବିଜୁ ପଟ୍ଟନାୟକ ସାହସର ସହ ଭାରତୀୟ ସେନାର ଯବାନମାନଙ୍କୁ ଶ୍ରୀନଗରରେ ପହଂଚାଇ ନଥାନ୍ତେ, ତାହା ହେଲେ ଆଜି ବୋଧହୁଏ ଜାମ୍ମୁ ଓ କାଶ୍ମୀର ପାକିସ୍ତାନ କବଜାରେ ଥାଆନ୍ତା । ରେଭେନସା କଲେଜରେ ପାଠ ପଢୁଥିବା ବେଳେ ବିଜୁବାବୁଙ୍କୁ ପାଇଲଟ ହେବା ନିଶା ଘାରିଥିଲା । କଲେଜ ଛାଡି ସେ ପାଇଲଟ ପ୍ରଶିକ୍ଷଣ ନେଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭବେଳକୁ ତତ୍କାଳୀନ ବ୍ରିିଟିଶ ଇଣ୍ଡିଆର ରୟାଲ ଇଣ୍ଡିଆନ ଏୟାର ଫୋର୍ସରେ ଯୋଗ ଦେଇଥିଲେ ବିଜୁ ପଟ୍ଟନାୟକ । ଏୟାର ଟ୍ରାନ୍ସପୋର୍ଟ କମାଣ୍ଡ୍‌ର ମୁଖ୍ୟ ହୋଇଥିଲେ ବିଜୁ ବାବୁ ।

ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଦ୍ଧାର ଅଭିଯାନରେ ଏକ ଲଢୁଆ ପାଇଲଟ ଭାବେ ବିଜୁ ପଟ୍ଟନାୟକ ଭାରତ ସହ ଅନ୍ୟ କିଛି ଦେଶରେ ବି ବିପଦପୂର୍ଣ୍ଣ ଅପରେସନ ସଫଳତାର ସହ ସଂପାଦନ କରିଥିଲେ । ଡଚ୍ ସେନାକୁ ଚକମା ଦେଇ ଇଣ୍ଡୋନେସିଆ ବାୟୁସୀମା ଅତିକ୍ରମ କରି ଜାକର୍ତ୍ତା ନିକଟସ୍ଥ ଏକ ଅସ୍ଥାୟୀ ଏୟାରଷ୍ଟ୍ରିପରେ ନିଜ ବିମାନକୁ ଅବତରଣ କରିଥିଲେ । ଏକ ପରିତ୍ୟକ୍ତ ଜାପାନୀ ସାମରିକ ଡମ୍ପ୍‌ରୁ ବଳକା ଇନ୍ଧନ ଭର୍ତ୍ତି କରି ଇଣ୍ଡୋନେସିଆର ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ସୁଲତାନ ସାହରିର, ସୁକାର୍ଣ୍ଣୋ ଓ ଅନ୍ୟମାନଙ୍କୁ ନେଇ ସିଙ୍ଗାପୁର ଦେଇ ସୁରକ୍ଷିତ ଭାବେ ନୂଆଦିଲ୍ଲୀ ଆଣିଥିଲେ । ଉଲ୍ଲେଖଯୋଗ୍ୟ, ବିଜୁବାବୁଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ସୁକାର୍ଣ୍ଣୋ ସ୍ୱାଧୀନ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ । ଅଦମ୍ୟ ବୀରତ୍ୱ ଓ ସାହସିକତା ପାଇଁ ବିଜୁ ବାବୁଙ୍କୁ ଇଣ୍ଡୋନେସିଆ ତାର ସର୍ବୋଚ୍ଚ ‘ଭୂମିପୁତ୍ର’ ସମ୍ମାନରେ ସମ୍ମାନିତ କରିବା ସହ ଇଣ୍ଡୋନେସିଆର ଆଜୀବନ ନାଗରିକତ୍ୱ ପ୍ରଦାନ କରିଥିଲା । କେବଳ ସେତକି ନୁହେଁ, ଇଣ୍ଡୋନେସିଆ ସ୍ୱାଧୀନତାର ୫୦ତମ ବାର୍ଷିକୀ ଉପଲକ୍ଷେ ବିଜୁବାବୁଙ୍କ ସ୍ମରଣ କରିଥିଲାଇଣ୍ଡୋନେସିଆ । ଏହି ଅବସରରେ ବିଜୁବାବୁଙ୍କୁ ସେ ଦେଶର ସରକାର ‘ବିନତାଙ୍ଗ୍ ଜାସୁ ଉତମା’ ଜାତୀୟ ସମ୍ମାନରେ ସମ୍ମାନିତ କରିଥିଲେ । ଏପରିକି ୨୦୨୧ ମସିହାରେ ବିଜୁ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇ, ନୂଆଦିଲ୍ଲୀରେ ଥିବା ଇଣ୍ଡୋନେସିଆ ଦୂତାବାସର ଏକ କକ୍ଷ ତାଙ୍କ ନାମରେ ନାମିତ କରାଯାଇଛି ।

୧୯୯୭ ମସିହା ଏପ୍ରିଲ ୧୭ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବିଜୁବାବୁ । ବିଜୁବାବୁଙ୍କ ପରଲୋକ ସହ ଏକ ଯୁଗର ପରିସମାପ୍ତି ହେଲା । ବିଜୁବାବୁ ଆଜି ନାହାନ୍ତି ସତ କିନ୍ତୁ ଆଜି ବି ବିଜୁବାବୁ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ଅମର ହୋଇରହିଛନ୍ତି । ସତରେ ବିଜୁ ବାବୁ ଥିଲେ ଏକ ଅଦ୍ୱିତୀୟ ବ୍ୟକ୍ତିତ୍ୱ, ଏକ ମହାନ ଜନନାୟକ । ଓଡିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ । ଚଳିତ ବର୍ଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସକୁ ରାଜ୍ୟ ସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯାଉଛି । ବିଜୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ସ୍ମୃତିସଭା, ରକ୍ତଦାନ ଶିବିର ଓ ସମୁହ ଦୀପଦାନ ଆଦି କାର୍ଯ୍ୟକ୍ରମ କରାଯାଉଛି ।

Leave A Reply

Your email address will not be published.