ପୁରୀ: ଖୁବଶୀଘ୍ର ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ । ଛତିଶାନିଯୋଗ ବୈଠକରେ ଆଜି ଏନେଇ ଆଲୋଚନା ହୋଇଛି । ରତ୍ନଭଣ୍ଡାର ମରାମତି ସମୟରେ ଠାକୁରଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ଅସୁବିଧା ନହେବ ତା’କୁ ବିଶେଷ ଗୁରୁତ୍ବ ଦିଆଯିବ । ତେବେ କେଉଁ ସମୟରେ ରତ୍ନଭଣ୍ଡାର ମରାମତି ହେବ, କେତେ ସମୟ ଧରି ମରାମତି କାର୍ଯ୍ୟ ଚାଲିବ ସେନେଇ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ ହେବ। ଏଥିପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ କମାଣ୍ଡରଙ୍କୁ ନେଇ ଦୁଇ ଜଣିଆ କମିଟି ଗଠନ ହୋଇଛି ।
ଛତିଶା ନିଯୋଗ ବୈଠକ ସରିବା ପରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ସୂଚନା ଦେଇଛନ୍ତି । ତେବେ ରତ୍ନଭଣ୍ଡାରର ଲେଜର ସ୍କାନିଂ ଏବଂ ଜିପିଆର ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ଯଥାଶୀଘ୍ର ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଏଏସଆଇକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ରତ୍ନଭଣ୍ଡାର ମରାମତିକୁ ନେଇ ଯେଭଳି ମହାପ୍ରଭୁଙ୍କ ନୀତି କାନ୍ତିରେ ଏବଂ ଭକ୍ତଙ୍କ ଦର୍ଶନ ନେଇ କୌଣସି ଅସୁବିଧା ନ ଉପୁଜେ ତା ଉପରେ ଗୁରୁତ୍ବ ଦେଉଛି ଶ୍ରୀମନ୍ଦିର ପ୍ରଶାସନ ।
ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ଅବା ଗୁପ୍ତ କୋଠରୀ ନଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଜିପିଆର ରିପୋର୍ଟ ପାଇବା ପରେ ପ୍ରତିକ୍ରିୟା ରଖିଥିଲେ । ରତ୍ନଭଣ୍ଡାର ଚଟାଣ ଏବଂ କାନ୍ଥରେ କିଛି ଫାଟ ଥିବା ରିପୋର୍ଟ ଆସିଥିବାରୁ ଏହାକୁ ଦୀର୍ଘ ସ୍ଥାୟୀ ଭାବରେ କିଭଳି ମରାମତି କରାଯାଇପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ଏଏସଆଇକୁ ଅନୁରୋଧ କରାଯାଇଛି ।
ସେପଟେ ରତ୍ନଭଣ୍ଡାର ମରାମତି ପାଇଁ ରାଜ୍ୟ ସରକାର ୫ କୋଟି ଟଙ୍କା ବ୍ୟୟବରାଦ କରିଥିବାରୁ ବରିଷ୍ଠ ସେବାୟତ ଏହାକୁ ସ୍ୱାଗତ କରିଥିବା ବେଳେ ପୂର୍ବ ସରକାର ରତ୍ନଭଣ୍ଡାର ଅଣଦେଖା କରୁଥିବାରୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ।