Latest Odisha News

ଭାଙ୍ଗିଯିବ କି ବିଜେଡି ?

ଭୁବନେଶ୍ବର: ନବୀନ-ପାଣ୍ଡିଆନ କ୍ଷମତା ସମୀକରଣକୁ ନେଇ ଚର୍ଚ୍ଚା। ଇଂରାଜୀ ଦୈନିକ ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ରିପୋର୍ଟ ଅନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭିକେ ପାଣ୍ଡିଆନଙ୍କ ପ୍ରସ୍ତାବ ଗ୍ରହଣ ନକରିବାକୁ ନବୀନ କହିଛନ୍ତି । ତେବେ ଖବର ମିଛ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ନବୀନ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ପ୍ରଶ୍ନ ଉଠୁଛି, ବିନା ନିଆଁରେ ଧୁଆଁ ଉଠିଲା କେମିତି ? ଖବର ପଛରେ ସତ୍ୟତା କେତେ ? ଯଦି ସଂପୂର୍ଣ୍ଣ ମିଛ, ତେବେ କିଏ ଓ କାହିଁକି ଏଭଳି କାହାଣୀ ଗଢୁଛି?

ରିପୋର୍ଟରେ କଣ ରହିଛି?

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ରାଜ୍ୟସଭାରେ ଏନଡିଏକୁ ସମର୍ଥନ ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତ ସପ୍ତାହରେ ଫୋନ ଯୋଗେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଭିକେ ପାଣ୍ଡିଆନ ବିଜେପି ସହ ଡିଲ୍ କରି ରାଜ୍ୟରେ ବିଜେଡିକୁ ଦୁର୍ବଳ କରିବାକୁ କାରସାଦି କରୁଥିବା ବେଳେ କୌଣସି ସ୍ଥିତିରେ ବି ତାଙ୍କୁ ଗ୍ରହଣ ନକରିବାକୁ ନବୀନ ଓ୍ବାର୍ଣ୍ଣିଂ ଦେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ରାଜ୍ୟସଭାରେ ଏନଡିଏ ସଂଖ୍ୟାଲଘୁ ରହିଥିବା ବେଳେ ବିଭିନ୍ନ ବିଲ୍ ପାରିତ କରିବା ପାଇଁ ବିଜେଡିର ସମର୍ଥନ ଚାହୁଁଛି । ପାଣ୍ଡିଆନ ବାରମ୍ବାର ଦିଲ୍ଲୀ ଗସ୍ତ କରିବା ସହ ଅମିତ ଶାହାଙ୍କ ସହ ସାକ୍ଷାତକାର ପାଇଁ ଉଦ୍ୟମ କରୁଛନ୍ତି । ଜଣେ କେନ୍ଦ୍ରମନ୍ତ୍ରୀଙ୍କ ମାଧ୍ୟମରେ ମିଟିଂ ପାଇଁ ଉଦ୍ୟମ କରୁଛନ୍ତି ପାଣ୍ଡିଆନ । ହେଲେ ଏବେ ପାଇଁ ବିଜେପି କେନ୍ଦ୍ର ନେତୃତ୍ବ ନବୀନଙ୍କ ସପକ୍ଷରେ ରହିବାକୁ ନିଷ୍ପତ୍ତି ନେଇଥିବା ରିପୋର୍ଟରେ କୁହାଯାଇଛି ।

କ’ଣ କହିଲେ ନବୀନ ?

ରିପୋର୍ଟରେ ଭିକେ ପାଣ୍ଡିଆନଙ୍କ ବିରୋଧରେ ବିଜେଡି ଭାଙ୍ଗିବା ନେଇ ଡିଲ୍ ଅଭିଯୋଗ ଲାଗିଛି। ଏନେଇ ପାଣ୍ଡିଆନ ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ନବୀନ ସୋସିଆଲ ମିଡିଆରେ ପୋଷ୍ଟ କରି ଏଭଳି ରିପୋର୍ଟକୁ ଖଣ୍ଡନ କରିଛନ୍ତି । ଖବର ମିଛ ଓ ଉଦ୍ଦେଶ୍ୟ ମୂଳକ ବୋଲି ନବୀନ କହିଛନ୍ତି । ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ନିଷ୍ଠାପର ଭାବେ କାମ କରିଥିବା ସେ ପୂର୍ବରୁ ବି କହିଛନ୍ତି । ପାଣ୍ଡିଆନ ନିଜ ଦକ୍ଷତା ଓ ନିଷ୍ଠା ପାଇଁ ଜଣାଶୁଣା ବୋଲି ନବୀନ କହିଛନ୍ତି ।

ରିପୋର୍ଟ ସତ ନା ମିଛ?

ରିପୋର୍ଟରେ ପାଣ୍ଡିଆନ ବିଜେଡିରେ ବିଭାଜନ କରିବା ସହ ରାଜ୍ୟରେ ବିଜେପିର ପ୍ରଭାବ ବୃଦ୍ଧି ପାଇଁ ସହାୟକ ହେବେ ବୋଲି ବିଜେପି କେନ୍ଦ୍ର ନେତୃତ୍ବକୁ ଅଫର ଦେଇଥିବା କୁହାଯାଇଛି । ନିର୍ବାଚନରେ ବିଜେପି ଅଧିକ ସିଟ୍ ଜିତିଥିଲେ ବି ବିଜେଡିକୁ ଅଧିକ ଭୋଟ୍ ମିଳିଛି । ତେଣୁ ରାଜ୍ୟରେ ବିଜେପିର ସପୋର୍ଟ ବେସ୍ ପ୍ରସ୍ତୁତ କରିବା ନେଇ ପାଣ୍ଡିଆନ ସହଯୋଗ କରିବାକୁ କହିଥିବା ଉଲ୍ଲେଖ ରହିଛି । ତେବେ ଭିକେ ପାଣ୍ଡିଆନଙ୍କୁ କାଠଗଡାକୁ ଟାଣି ନିର୍ବାଚନରେ ଓଡିଆ ଅସ୍ମିତାର ନାରେଟିଭ୍ ପ୍ରସ୍ତୁତ କରିଥିଲା ବିଜେପି । ତେଣୁ ସରକାରକୁ ଆସୁ ଆସୁ ଭିକେ ପାଣ୍ଡିଆନଙ୍କ ସହ କୌଣସି ଡିଲ୍ ବିଜେପିକୁ ମହଙ୍ଗା ପଡିପାରେ । ସେପଟେ ବିଜେଡିର ନିର୍ବାଚନ ବିପର୍ଯ୍ୟୟର କାରଣ ପାଣ୍ଡିଆନଙ୍କୁ କୁହାଯାଉଥିଲେ ବି ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ ମୁହଁ ଖୋଲିନାହାନ୍ତି ନବୀନ । ରିପୋର୍ଟକୁ ବି ଖଣ୍ଡନ କରିଛନ୍ତି । ତେଣୁ ଖବରର ସତ୍ୟତା ନେଇ ବି ପ୍ରଶ୍ନ ଉଠୁଛି ।

ପ୍ରାୟୋଜିତ କି ଖବର ?

ପ୍ରଶ୍ନ ଉଠୁଛି, ଜାଣିଶୁଣି ଜାତୀୟ ଖବରକାଗଜରେ ଏଭଳି ଖବର ପ୍ରକାଶ କରାଯାଇଛି କି? ରାଜ୍ୟସଭାରେ ହେଉ କି ଆଗକୁ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧାନସଭାରେ, ବିଜେପିକୁ ବିଜେଡିର ସମର୍ଥନ ଆବଶ୍ୟକ । ସେହିପରି ଜାତୀୟ ରାଜନୀତିରେ ବି ବିଜେପିର ଆବଶ୍ୟକତା ବିଜେଡି । ରାଜ୍ୟରେ ବିଜେଡି ସ୍ବର ଶାଣିତ କଲେ ପ୍ରଥମ ଥର ପାଇଁ ସରକାର ଗଠନ କରିଥିବା ବିଜେପି ପାଇଁ ସମସ୍ୟା ହୋଇପାରେ । କାରଣ ବିଜେଡି ନିର୍ବାଚନ ହାରିଥିଲେ ବି ଦଳର ତୃଣମୂଳସ୍ତରରେ ସଂଗଠନ ବେଶ୍ ସୁଦୃଢ । ତେଣୁ ଏଭଳି ଖବର ପ୍ରକାଶ କରି ବିଜେଡି ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି କି? ବିଜେଡି ଭାଙ୍ଗିବା ଉଦ୍ୟମ ପଛର ସତ କଣ? ପ୍ରାୟୋଜିତ ଖବର ନା ସତ ଷଡଯନ୍ତ୍ର?

Comments are closed.