ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ତଥା ବହିଷ୍କୃତ ଏଏସଆଇ ଗୋପାଳ ଦାସ ମାନସିକ ରୋଗରେ ଆକ୍ରାନ୍ତ ଥିବାରୁ ଛୁ଼ଟି ଦରଖାସ୍ତ ଦେଇଥିଲା। ଦରଖାସ୍ତ ଆବେଦନ ସମୟରେ ଡାକ୍ତରଙ୍କ ପ୍ରେସକ୍ରିପସନ ବି ଗୁନ୍ଥିଥିଲା। କିନ୍ତୁ ସେତେବେଳର ଝାରସୁଗୁ଼ଡା ଏସପି ଏହାକୁ ଅଣଦେଖା କରିଥିଲେ। ଏଥିସହ ସର୍ଭିସ ରିଭରଭଲ ବା ବନ୍ଧୁକ ପ୍ରତ୍ୟାହାର କରିନଥିବା ଜଣାପଡ଼ିଛି।
ଜାତୀୟ ଇଂରାଜୀ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗୋପାଳ ନିଜର ମାନସିକ ସ୍ବାସ୍ଥ୍ଯ ଅସୁସ୍ଥତା ଦର୍ଶାଇ ୩୦ଟି ପ୍ରେସକ୍ରିପସନ ଦାଖଲ କରିଥିଲା। ୪-୫ ବର୍ଷ ମଧ୍ୟରେ ଏହିସବୁ ପ୍ରେସକ୍ରିପସନ ଦାଖଲ କରିଥିଲା। କିନ୍ତୁ ତତ୍କାଳୀନ ଏସପି ଏହାକୁ ଅଣଦେଖା କରିଥିଲେ ବୋଲି ଝାରସୁଗୁଡା ପୋଲିସ ପକ୍ଷରୁ ସୂଚନା ମିିଳିଛି।
ମିଳିଥିବା ସୂଚନା ଅନୁଯାୟୀ ଏହି ହତ୍ୟାକାଣ୍ଡ ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳର ଛୁଟି ଦରଖାସ୍ତ ସହିତ ବିଭିନ୍ନ ମେଡିକାଲ ପ୍ରେସକ୍ରିପସନ ଜବତ କରିଛି। ଜଣେ ପୋଲିସ ଅଧିକାରୀ ନାମ ଗୋପନ ରଖି ଏହି ସୂଚନା ଦେଇଥିବା ସଂପୃକ୍ତ ଗଣମାଧ୍ୟମ କହିଛି। ନବ ଦାସ ହତ୍ୟାକାଣ୍ଡ ଘଟଣା ପରେ ଏସପି ରାହୁଲ ଜୈନଙ୍କୁ ଏବେ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏସ. ପରମାର ତାଙ୍କ ସ୍ଥାନରେ ଏସପି ଭାବେ ନିଯୁକ୍ତ ହୋଇଛନ୍ତି।
ଜୁଲାଇ ୧୬, ୨୦୨୧ରେ ରାହୁଲ ଜୈନ ବରଗଡ ଏସପି ଭାବେ ଯୋଗ ଦେଇଥିଲେ। ଏହାପୂର୍ବରୁ ନୂଆପଡାରେ ବର୍ଷେ ହେବ ଏସପି ଭାବେ ଦାୟିତ୍ୱ ତୁଲାଇଥିଲେ ୨୦୧୫ ବ୍ୟାଚର ଏହି ଆଇପିଏସ ଅଫିସର।
ଏବେ ପ୍ରଶ୍ନ ଉଠୁଛି ଯଦି ଗୋପାଳ ମାନସିକ ରୋଗର ଶିକାର ଥିଲା ତାହେଲେ ତତ୍କାଳୀନ ଏସପି କାହିଁକି ଛୁଟି ଦେଉନଥିଲେ? ୨୦୧୩ରେ ଯେଉଁ ବନ୍ଧୁକ ଗୋପାଳକୁ ଇସ୍ୟୁ ହୋଇଥିଲା ତାକୁ କାହିଁକି ପ୍ରତ୍ୟାହାର କରିନେଇନଥିଲେ? କ’ଣ ତତ୍କାଳୀନ ଏସପିଙ୍କ ଖାମଖିଆଲି ମନୋଭାବକୁ ଢାଲ କରି ଗୋପାଳ ନିଜ ଉଦ୍ଦେଶ୍ଯ ପୂରଣ କଲା କି?
ଉଲ୍ଲେଖଯୋଗ୍ଯ, ଅଭିଯୁକ୍ତ ଗୋପାଳ ଦାସ ୨୦୧୪ରେ ମାନସିକ ରୋଗର ଚିକିତ୍ସା ପାଇଁ ଅନାଧିକୃତ ଛୁଟି ନେଇଥିଲା। ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ର ରିପୋର୍ଟରୁ ଏହି ସୂଚନା ମିଳିଛି। ୨୦୧୪ରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ମାନସିକ ରୋଗ ବିଭାଗରେ ଗୋପାଳଙ୍କ ଚିକିତ୍ସା ହୋଇଥିଲା। ଗୋପାଳର ଚିକିତ୍ସା କରିଥିବା ଡାକ୍ତରଙ୍କ ସହ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଆଲୋଚନା କରିବା ସହ କିଛି କାଗଜପତ୍ର ମଧ୍ୟ ଜବତ କରିଥିବା ସୂଚନା ରହିଛି।
Comments are closed.