Latest Odisha News

BREAKING NEWS

ଆମେରିକୀୟ ଦମ୍ପତିଙ୍କ ଦ୍ୱାରା ପାଳିତ ଓଡ଼ିଶା ଝିଅକୁ ନିର୍ଯାତନା, ନିଜ ରାଜ୍ୟକୁ ଫେରିବାକୁ କଲେ ଆକୁଳ ନିବେଦନ…

ଭୁବନେଶ୍ବର: ଆମେରିକାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆକୁଳ ନିବେଦନ କରିଛନ୍ତି ଆମେରିକାରେ ରହୁଥିବା ବାଲେଶ୍ୱରର ଝିଅ ପୂଜା ନାୟକ ଓରଫ ସେଜଲ ଜୋହନ (୨୧) । ଏକ ଆମେରିକୀୟ ଦମ୍ପତିଙ୍କ ଦ୍ୱାରା ପୋଷ୍ୟକନ୍ୟା ଭାବେ ପାଳିତ ହେଉଥିବା ସେଜଲ ଏବେ ଅସୁବିଧାରେ ଥିବା କହିଛନ୍ତି । ଏକ ଭାବପ୍ରବଣ ଭିଡିଓ ବାର୍ତ୍ତା ଜାରି କରି ଆମେରିକାରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ସମ୍ମୁଖୀନ ହେବା ବିଷୟରେ ବର୍ଣ୍ଣନା କରିଛନ୍ତି ।

ତାଙ୍କ ଅନୁଯାୟୀ, ତାଙ୍କ ପାଳିତ ମାଆ ତାଙ୍କୁ ଦୈନନ୍ଦିନ ଘରକାମ କରିବାକୁ ବାଧ୍ୟ କରନ୍ତି, ତାଙ୍କୁ ଠିକ୍ ଭାବେ ଶୋଇବାକୁ ଦିଅନ୍ତି ନାହିଁ । ଏପରିକି ଠିକ୍ ଭାବେ ଖାଇବାକୁ ବି ଦିଅନ୍ତି ନାହିଁ ବୋଲି ‌ପୂଜା କହିଛନ୍ତି । ଯଦି ସେ ପ୍ରତିରୋଧ କରନ୍ତି ତେବେ ତାଙ୍କୁ ମାଡ଼ ମାରୁଛନ୍ତି । ଏପରିକି ପାଳିତ ମାଆ ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାପ ପକାଉଛନ୍ତି, ଏବଂ ଯଦି ସେ ମନା କରନ୍ତି ତେବେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି ବୋଲି ପୂଜା କହିଛନ୍ତି ।

ଏହି ଖବର ଓଡ଼ିଶାରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ସୋସିଆଲ ମିଡିଆରେ #BringPujaHome ଅଭିଯାନ ଆରମ୍ଭ କରିଛନ୍ତି । ତେବେ ଏନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ତେବେ ଛୋଟବେଳେ ଟ୍ରେନ୍‌ରେ ମା’ ଓ ବାପାଙ୍କଠାରୁ ଅଲଗା ହୋଇଯାଇଥିଲେ । ଚାଇଲ୍ଡ ଲାଇନ୍‌ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନୀଳଗିରି ଓ ପରେ ଭୁବନେଶ୍ୱର ନହରକଣ୍ଟାସ୍ଥିତ କନ୍ୟାଶ୍ରମରେ ରଖାଯାଇଥିଲା । ୨୦୧୮ରେ ପୂଜାଙ୍କୁ ଏକ ଆମେରିକୀୟ ଦମ୍ପତି ପୋଷ୍ୟକନ୍ୟା ଭାବେ ଗ୍ରହଣ କରି ନେଇଯାଇଥିଲେ । ଆମେରିକାକୁ ଯିବା ପରେ ତାଙ୍କ ନାମ ପୂଜାରୁ ସେଜଲ ଜୋହନ ହୋଇଥିଲା । ସେଜଲଙ୍କର ବାଲେଶ୍ୱର ଉପକଣ୍ଠ ଖାନନଗର ନିକଟସ୍ଥ ଆଳଦା ଅଞ୍ଚଳର ଅମର ଦାସ ନାମକ ଜଣେ ଯୁବକଙ୍କ ସହ ଫେସ୍‌ବୁକ୍‌ରେ ୨୦୨୪ରେ ବନ୍ଧୁତା ହୋଇଥିଲା । ଅମର ବାଲେଶ୍ୱରର ଜାଣିବା ପରେ ସେଜଲ୍‌ ତାଙ୍କୁ ମେସେଜ୍‌ ଦେବା ସହ ସେଠାକାର ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ । ସେଠାରେ ତାଙ୍କ ପାଳିତା ମାଆ ସୁଜି ଜନ୍‌ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ଏନେଇ ସେଜଲ୍‌ ଉଭୟ ଇଂରାଜୀ ଓ ଓଡ଼ିଆରେ ଦୁଇଟି ଭିଡିଓ ବାର୍ତ୍ତା ଅମରଙ୍କୁ ପଠାଇଥିଲେ ।

Comments are closed.