Latest Odisha News

BREAKING NEWS

ବର୍ଷା ଓ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ, ୨୨୦୦ କୋଟି ଟଙ୍କା କ୍ଷୟକ୍ଷତିର ପ୍ରାଥମିକ ଆକଳନ

ଭୁବନେଶ୍ୱର: ବାତ୍ୟା ତିତଲି ପରବର୍ତ୍ତୀ ବର୍ଷା ଏବଂ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେଉଛି । ଏବେ କେତେକ ଅଞ୍ଚଳ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଛି । ବନ୍ୟା ଓ ବର୍ଷା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏସମ୍ପର୍କରେ ବିଷୟବସ୍ତୁ ଉପସ୍ଥାପନା କରିଛନ୍ତି ।

ଏସଆରସିଙ୍କ ସୂଚନାନୁଯାୟୀ, ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ୧୭ଟି ଜିଲ୍ଲାରେ ୯୫% ସଡ଼କ ଗମନାଗମନ ପୁନରୁଦ୍ଧାର କାର୍ଯ୍ୟ ସରିଛି । ଗଞ୍ଜାମ ଜିଲ୍ଲାରେ ରାସ୍ତାଗୁଡ଼ିକରେ ହୋଇଥିବା ୪୫ଟି ଘାଇ, ଗଜପତିରେ ୯ଟି ଘାଇ, କନ୍ଧମାଳରେ ୪ଟି ଏବଂ ରାୟଗଡ଼ାରେ ୧ଟି ଘାଇ ମରାମତି କାର୍ଯ୍ୟ ସରିଛି । ୩୮୦ଟି ପ୍ରଭାବିତ ରାସ୍ତା ମଧ୍ୟରୁ ୩୪୩ଟି ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

ସେହିପରି ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା ଜଣାଇଛନ୍ତି, ବିଭିନ୍ନ କେନାଲ ବନ୍ଧରେ ସୃଷ୍ଟି ହୋଇଥିବା ସମୂଦାୟ ୧୭୨ଟି ଘାଇ ମଧ୍ୟରୁ ୧୬୭ଟି ଘାଇ ମରାମତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମରାମତି କାର୍ଯ୍ୟ ସରିଥିବା ପ୍ରାୟ ୯୨ଟି କେନାଲରେ ଜଳଯୋଗାଣ ଆରମ୍ଭ ହୋଇଛି ।

ଜଳଯୋଗାଣ ପ୍ରମୁଖ ଶାସନ ସଚିବ ଜଣାଇଛନ୍ତି, ୩,୬୪୨ଟି ନଳକୂପ ବିଶୋଧନ କରାଯାଇଛି ଏବଂ ୪୩୩ଟି ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯାଇଛି । ବାତ୍ୟା ଓ ବନ୍ୟା ପ୍ରଭାବିତ ସମୁଦାୟ ୯,୩୯, ୪୯୩ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରୁ ୬,୯.୦୦୦ଙ୍କୁ ବିଦ୍ୟୁତ ସଂଯୋଗ ପୁନଃସ୍ଥାପିତ କରାଯାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ପ୍ରମୋଦ ମେହେର୍ଦ୍ଦା ଜଣାଇଛନ୍ତି, ପ୍ରଭାବିତ ଗଞ୍ଜାମ ଜିଲ୍ଲାରେ ୫୨ଟି ମୋବାଇଲ୍ ହେଲଥ୍ ୟୁନିଟ୍ ଏବଂ ୪୯ଟି ମେଡ଼ିକାଲ୍ ରିଲିଫ କ୍ୟାମ୍ପ କାର୍ଯ୍ୟ କରୁଛି । ଗଜପତି ଜିଲ୍ଲାରେ ୨୧ଟି ଭ୍ରାମ୍ୟମାଣ ୟୁନିଟ୍ ଏବଂ ୨୯ଟି ମେଡ଼ିକାଲ୍ ରିଲିଫ କ୍ୟାମ୍ପ, ରାୟଗଡ଼ା ଜିଲ୍ଲାରେ ୫ଟି ଭ୍ରାମ୍ୟମାଣ ରିଲିଫ ଟିମ୍, ବାଲେଶ୍ୱର ଜିଲ୍ଲାରେ ୩ଟି ମୋବାଇଲ ଟିମ ଏବଂ ୬ଟି ରିଲିଫ କ୍ୟମ୍ପ କାର୍ଯ୍ୟ କରୁଛି ।

ରାଜ୍ୟ ପଶୁ ସମ୍ପଦ ବିଭାଗ ଶାସନ ସଚିବ ବିଶାଲ ଗଗନ ଜଣାଇଛନ୍ତି, ପ୍ରଭାବିତ ଅଞ୍ଚଳମାନଙ୍କରେ ମୃତ ପଶୁପକ୍ଷୀଙ୍କ ଦେହାବଶେଷ ସମାଧି ଏବଂ ପଶୁସେବା ଯୋଗାଣ ପାଇଁ ୪୯ଟି ତ୍ୱରିତ ସେବା ଦଳ ନିୟୋଜତି ରହିଛନ୍ତି । ୧୫୩ ଜଣ ପଶୁ ଚିକିତ୍ସକ ଏବଂ ୫୪୪ଟି ଚିକିତ୍ସା ସହାୟକଙ୍କୁ ବିଭିନ୍ନ ଜିଲ୍ଲାରୁ ଅଧିକ ପ୍ରଭାବିତ ଅଞ୍ଚଳମାନଙ୍କୁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ଏସବୁ ଅଞ୍ଚଳରେ ୫୯୯ଟି ପଶୁ ଚିକିତ୍ସା ସହାୟକଙ୍କୁ ବିଭିନ୍ନ ଜିଲ୍ଲାରୁ ଅଧିକ ପ୍ରଭାବିତ ଅଞ୍ଚଳ ମାନଙ୍କୁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ଏସବୁ ଅଞ୍ଚଳରେ ୫୯୯ଟି ପଶୁ ଚିକିତ୍ସା କ୍ୟାମ୍ପ କରାଯାଇଛି ।

ଆସନ୍ତା ୩ରୁ ୪ଦିନ ମଧ୍ୟରେ ସ୍ୱାଭାବିକ ଅବସ୍ଥାକୁ ଆଣିବାକୁ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଜାରି ରଖିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ସଂଯୁକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ କହିଛନ୍ତି, ବର୍ତ୍ତମାନ ମିଳିଥିବା ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା, ବର୍ଷା, ଏବଂ ବନ୍ୟାରେ ପ୍ରାୟ ୨,୨୦୦ କୋଟି ଟଙ୍କା ମୂଲ୍ୟର ରାସ୍ତାଘାଟ, ବିଜୁଳି ସଂଯୋଗ, କୃଷି ଖର୍ଚ୍ଚ ଓ ଗୃହ ଆଦି ନଷ୍ଟ ହୋଇଛି । ତେବେ ବିଭିନ୍ନ ବିଭାଗରୁ ସଠିକ୍ ଆକଳନ ଆସିବା ପରେ ବାସ୍ତବ କ୍ଷୟକ୍ଷତି ସ୍ଥିତି ଜଣାପଡ଼ିବ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି ।

ବାତ୍ୟା ପରବର୍ତ୍ତୀ ଭୁସ୍ଫଳନ ଓ ବନ୍ୟା ସ୍ଥିତିରେ ପ୍ରାୟ ୫୨ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ଆଉ ୧୦ ଜଣ ନିଖୋଜ ଥିବା ସୂଚନା ମିଳିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Leave A Reply

Your email address will not be published.