Latest Odisha News

BREAKING NEWS

ଓଡ଼ିଶାରେ ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା

କଟକ: ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ୧୯ ଜୁଲାଇ ୨୦୨୩ରେ ରାଜ୍ୟ ପରିବହନ ପ୍ରାଧିକରଣର ୩୦୧ତମ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଅନ୍ୟ ରାଜ୍ୟରେ ପଞ୍ଜିକୃତ ହୋଇଥିବା ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଗୁଡ଼ିକର ଓଡ଼ିଶା ମଧ୍ୟକୁ ପ୍ରବେଶ ଓ ପରିଚାଳନା ଉପରେ କଟକଣା ଲାଗୁ କରାଯାଇଛି ।

ନିର୍ଦ୍ଧାରିତ ସମୟସୀମା ଅତିକ୍ରମ କରିଥିବା ବାହାର ରାଜ୍ୟର କୌଣସି ବି ବାଣିଜ୍ୟିକ ଗାଡ଼ିକୁ ଓଡ଼ିଶାରେ ଚଳାଚଳ ପାଇଁ ନୂତନ ପରମିଟ୍ ପ୍ରଦାନ କରାଯିବ ନାହିଁ । ଏଥିସହିତ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO) ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଏହିପରି ପୁରୁଣା ଗାଡ଼ିଗୁଡ଼ିକର ଠିକଣା ପରିବର୍ତ୍ତନ, ମାଲିକାନା ହସ୍ତାନ୍ତର କିମ୍ବା କୌଣସି ପ୍ରକାରର ପରିବହନ କର ଗ୍ରହଣ କରାଯାଇପାରିବ ନାହିଁ। ସମସ୍ତ RTO ଓ ARTO ମାନଙ୍କୁ ଏହି ସଂସ୍କାରମୂଳକ ନିଷ୍ପତ୍ତିକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ସଡ଼କ ସୁରକ୍ଷା ମାନଦଣ୍ଡରେ ଉନ୍ନତି ଆସିବ, ସଡ଼କରେ ଅନୁପଯୁକ୍ତ ଗାଡ଼ି ହ୍ରାସ ପାଇବ ଏବଂ ପୁରୁଣା ଗାଡ଼ି ଜନିତ ପ୍ରଦୂଷଣ ମଧ୍ୟ ହ୍ରାସ ହେବ ବୋଲି ବିଭାଗ ଲକ୍ଷ୍ୟ ରଖିଛି ।

Leave A Reply

Your email address will not be published.