Latest Odisha News

ଗର୍ବିତ କଲେ କଳାହାଣ୍ଡିର ପୁଅ, ପିଏମ୍ ୟୁବା ପାଇଁ ମନୋନୀତ ହେଲେ ଯୁବ ଗାଳ୍ପିକ ଡିଲେଶ୍ବର ରଣା

ଭବାନୀପାଟଣା : ସର୍ବଭାରତୀୟ ସ୍ତରରେ ଗର୍ବିତ କଲେ କଳାହାଣ୍ଡିର ପୁଅ । ପିଏମ୍ ୟୁବା ମେଣ୍ଟରସିପ୍ ଯୋଜନାରେ ମନୋନୀତ ହୋଇଛନ୍ତି କଳାହାଣ୍ଡିର ଉଦୀୟମାନ ଯୁବ ଲେଖକ ଡିଲେଶ୍ବର ରଣା । ଏହି ଯୋଜନାରେ ସେ ମାସିକ ୫୦ ହଜାର ଟଙ୍କା ଲେଖାଏଁ, ୬ ମାସ ମୋଟ ୩ ଲକ୍ଷ ଟଙ୍କା ପାଇବେ । ଏଥିସହ ତାଙ୍କ ପାଣ୍ଡୁଲିପିଟି ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ଦ୍ବାରା ପୁସ୍ତକ ଆକାରରେ ପ୍ରକାଶ ପାଇବ । ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୂଦିତ ହେବ ।

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ପକ୍ଷରୁ ୩୦ ବର୍ଷ ବୟସ ଭିତରେ ଥିବା ଯୁବ ଲେଖକଙ୍କ ଠାରୁ ପାଣ୍ଡୁଲିପି ଆହ୍ବାନ କରାଯାଇଥିଲା । ଭାରତୀୟ ସ୍ବାଧୀନତା ସଂଗ୍ରାମ ବିଷୟକୁ ନେଇ ଲିଖିତ ଡିଲେଶ୍ବରଙ୍କ ଉପନ୍ୟାସିକା ମନୋନୀତ ହୋଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଧଅଁରାମାଲ ଗ୍ରାମର ବ୍ରଜ ରଣା ଓ ବିଦୁସୁତା ରଣାଙ୍କ ସୁପୁତ୍ର ଡିଲେଶ୍ବର ଗଳ୍ପ, କବିତା ରଚନା ସହ ଅଭିନୟ, ସାହିତ୍ୟ ସଙ୍ଗଠନ ଆଦିରେ ସକ୍ରିୟ ରହିଛନ୍ତି । ନିକଟ ଅତୀତରେ ପ୍ରକାଶିତ ତାଙ୍କର ଗଳ୍ପ ସଂକଳନ ‘ସେଁର୍‌ରା’ ବିପୁଳ ପାଠକୀୟତା ଲାଭ କରିଛି ।

ସାହିତ୍ୟ ସାଧନା ପାଇଁ ସେ କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ତପସ୍ୟା ସମ୍ଭାବନା ପୁରସ୍କାର, ପଲ୍ଲବନ ଶବ୍ଦ ସମ୍ମାନ ପାଇବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀର ‘ଯୁବସହିତି’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି । ସେହିପରି ଦେଶର ବିଭିନ୍ନ ମଞ୍ଚରେ ଅଭିନୟ କରିବା ସହ ବଲିଉଡ ଫିଲ୍ମ ‘ଏ ରେଡ୍ ଶାର୍ଟ’ରେ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଛନ୍ତି । ସଂପ୍ରତି ଜିଲ୍ଲା ଶିକ୍ଷା ବିଭାଗର ଜନଜାତି ସାଧନ କେନ୍ଦ୍ରରେ କାର୍ଯ୍ୟରତ ଡିଲେଶ୍ବର ଗ୍ଲୋବାଲ୍ ଲାଇଫରେଚର୍ ଫାଉଣ୍ଡେସନର ଆବାହକ ଅଛନ୍ତି । ଦେଶର ବିଭିନ୍ନ ଭାଷାରୁ ମୋଟ ୭୫ ଜଣ ଲେଖକଙ୍କ ମଧ୍ୟରେ ଡିଲେଶ୍ବର ରଣା ସାମିଲ ଥିବାରୁ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.