Latest Odisha News

ଚୂଡ଼ାନ୍ତ ରିପୋର୍ଟ ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ: ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଦାନା କ୍ଷୟକ୍ଷତିର ରିପୋର୍ଟ ଆସିଛି। ଆଜି କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ପ୍ରାଥମିକ ଆକଳନ ଅନୁସାରେ କ୍ଷତି ପ୍ରାୟ ୬ଶହ କୋଟି ହୋଇଥିବା ସେ କହିଛନ୍ତି। ବିଶେଷକରି ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲା ଏହି ବାତ୍ୟାରେ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ମନ୍ତ୍ରୀ କହିଛନ୍ତି। ଏହାବ୍ୟତୀତ ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର, କଟକ ମଧ୍ୟ ପ୍ରଭାବିତ ହୋଇଛି। ପଞ୍ଚାୟତିରାଜ ବିଭାଗ ଛଡ଼ା ଅନ୍ୟ ସବୁ ବିଭାଗରୁ ରିପୋର୍ଟ ଆସିଛି। ତେବେ ସନ୍ଧ୍ୟା ସୁଦ୍ଧା ସବୁ ରିପୋର୍ଟ ମିଳିଲା ପରେ ଚୂଡ଼ାନ୍ତ ହିସାବ କରାଯିବ।

ରିପୋର୍ଟ ଅନୁଯାୟୀ, ରାଜ୍ୟର ମୋଟ୍‌  ୧୪ ଜିଲାର ୧୩୧ ବ୍ଲକ ପ୍ରଭାବିତ ହୋଇଥିବାବେଳେ, ୧୧ହଜାର  ୬୩୭ ଟି ଗାଁର ୪୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୧୬, ୪୧୭ ଘର ପ୍ରଭାବିତ ହୋଇଥିବାବେଳେ ୨୭ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ୧୪, ୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ହିସାବ ଅନୁସାରେ ଶକ୍ତି ବିଭାଗ ବେଶୀ କ୍ଷତିଗ୍ରସ୍ତ ହୋଇଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କ୍ଷୟକ୍ଷତି ସ୍ପଷ୍ଟ ହୋଇ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

 

Comments are closed.