ନୂଆଦିଲ୍ଲୀ/ଭୁବନେଶ୍ବର: ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ପୁଞ୍ଜି ବଜାରର ନିୟାମକ ସଂସ୍ଥା ‘ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ’ (ଏସଇବିଆଇ)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ଏହି ପଦରେ ସେ ତିନି ବର୍ଷ କାର୍ଯ୍ୟ କରିବେ। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ୧୯୮୭ ବ୍ୟାଚ୍ର ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଧିକାରୀ ତୁହିନକାନ୍ତ ପାଣ୍ଡେ ଓଡ଼ିଶା ସରକାର ପାଇଁ ମଧ୍ୟ କାମ କରିଛନ୍ତି।
ପୂର୍ବରୁ ଏହି ପଦରେ ମାଧବୀ ପୁରୀ ବୁଚ୍ କାର୍ଯ୍ୟ କରୁଥିଲେ। ସେ ଥିଲେ ଏସଇବିଆଇର ପ୍ରଥମ ମହିଳା ମୁଖ୍ୟ। କିନ୍ତୁ ଆଦାନୀ-ହିଣ୍ଡେନ୍ବର୍ଗ ମାମଲାରେ ସେ ବିବାଦୀୟ ହୋଇପଡ଼ିଥିଲେ। ତାଙ୍କ କାର୍ଯ୍ୟକାଳକୁ ସରକାର ଆଉ ବଢ଼ାଇ ନଥିଲେ। ଚଳିତ ବର୍ଷ ଜାନୁଆରିରେ ସରକାର ମାଧବୀଙ୍କ ଉତ୍ତରାଧିକାରୀ ଖୋଜିବା ଆରମ୍ଭ କରିଥିଲେ। ସେହି ଦୌଡ଼ରେ ତୁହିନକାନ୍ତ ପାଣ୍ଡେ ଆଗରେ ଥିଲେ।
୧୯୮୭ ବ୍ୟାଚ୍ର ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଧିକାରୀ ତୁହିନକାନ୍ତ ପାଣ୍ଡେ ଓଡ଼ିଶାରେ ସ୍ବାସ୍ଥ୍ୟ, ସାଧାରଣ ପ୍ରଶାସନ, ବାଣିଜ୍ୟିକ ଟିକସ, ପରିବହନ ଓ ଅର୍ଥ ବିଭାଗରେ କାର୍ଯ୍ୟ କରିଥିଲେ। ସେ ଓଡ଼ିଶା ରାଜ୍ୟ ଅର୍ଥ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ସମ୍ବଲପୁରର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ମଧ୍ୟ ଥିଲେ। ପଞ୍ଜାବ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଓ ବ୍ରିଟେନ୍ର ବର୍ମିଙ୍ଗହାମ୍ ବିଶ୍ବବିଦ୍ୟାଳୟରୁ ଏମ୍ବିଏ ଶିକ୍ଷା ଗ୍ରହଣ କରିଥିବା ପାଣ୍ଡେ ଉଭୟ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ପାଇଁ କାର୍ଯ୍ୟ କରିଛନ୍ତି।
Comments are closed.