Latest Odisha News

BREAKING NEWS

ସ୍କ୍ରବ ଟାଇଫସ: ‘ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ ନିଅନ୍ତୁ’

ଭୁବନେଶ୍ୱର: ଡରାଇଲାଣି ସ୍କ୍ରବ ଟାଇଫସ । ଚିକିତ୍ସାରେ ଟିକେ ଅବହେଳା କିମ୍ବା ବିଳମ୍ବ ହେଲେ ଏହା ଘାତକ ହୋଇପାରେ । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ଼. ନୀଳକଣ୍ଠ ମିଶ୍ର ଓ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ଼. ବିଜୟ କୁମାର ମହାପାତ୍ରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜ଼ିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଆଭାସୀ ମାଧ୍ୟମରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ରୋଗର ସାମ୍ପ୍ରତିକ ପରିସ୍ଥିତି ବିଶେଷକରି ସ୍କ୍ରବ ଟାଇଫସ ରୋଗର କାରଣ ଓ ଏହାର ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି ।

ସୂଚନା ଯୋଗ୍ୟ ଯେ, ସ୍କ୍ରବ ଟାଇଫସ ଏକ ପ୍ରକାର କୀଟ କାମୁଡିବା ଯୋଗୁଁ ହୋଇଥାଏ । ଏହା ଦ୍ବାରା ଜ୍ୱର, ମୁଣ୍ଡବିନ୍ଧା, ଦେହରେ ଏଇଏସସିଏଚଏଆର ଭଳି ଘା, ଶରୀରପୀଡ଼ା, ଦେହରେ ଲାଲ ଲାଲ ହୋଇ ଫଳିଯିବା ହେଉଛି ସ୍କ୍ରବ ଟାଇଫସର ଲକ୍ଷଣ । ଏହି ସବୁ ଲକ୍ଷଣ ଦେଖାଗଲେ କିମ୍ବା ଜ୍ୱର ବହୁତଦିନ ଧରି ଲାଗିରହିଲେ “ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ପରୀକ୍ଷାଗାର” ମାନଙ୍କରେ ଇଏଲଆଇଏସଏ ପଦ୍ଧତି ଦ୍ୱାରା ରକ୍ତ ପରୀକ୍ଷା କରି ରୋଗ ନିରୂପଣ କରାଯାଇପାରିବ । ଠିକ ସମୟରେ ଚିକିତ୍ସା କରାଗଲେ ରୋଗୀଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇପାରିବ । ରକ୍ତ ପରୀକ୍ଷା ସୁବିଧା, ରୋଗ ନିରୂପଣ ଓ ଔଷଧ ସମସ୍ତ ଜ଼ିଲ୍ଲାରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ରହିଛି ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ବିଭିନ୍ନ ସମୟରେ ପ୍ରକାଶିତ ନିର୍ଦ୍ଦେଶାବଳୀ ସବୁକୁ କାର୍ଯ୍ୟକାରୀ କରିବା ପାଇଁ ଜ଼ିଲ୍ଲା ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କୌଣସି ବି ରୋଗ ନ ବଢିବା ପାଇଁ ବିଭିନ୍ନ ମାଧ୍ୟମରେ ଜନସଚେତନତାକୁ ବ୍ୟାପକ କରିବା ସହ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଜ଼ିଲ୍ଲା କର୍ତ୍ତୃପକ୍ଷଙ୍କୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.