ଭୁବନେଶ୍ୱର: ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ନିର୍ମାଣ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ର ସରକାର, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟରେ ଲାଗୁ ହୋଇଥିବା ନିର୍ମାଣ ସାମଗ୍ରୀର ମୂଲ୍ୟକୁ ତର୍ଜମା କରି ରାଜ୍ୟରେ କିଭଳି ନିର୍ମାଣ ସାମଗ୍ରୀର ସର୍ବଶ୍ରେଷ୍ଠ ମୂଲ୍ୟ ନିର୍ଦ୍ଧାରଣ କରି ହେବ ସେଥିନେଇ ଆଲୋଚନା ହୋଇଥିଲା ।
ପରିବହନ ଖର୍ଚ୍ଚକୁ ହିସାବକୁ ନେଇ ବାଲି, ଗୋଡ଼ି, ଇଟାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଇନଡୋର ଏବଂ ଆଉଟଡୋର ସାମଗ୍ରୀ, ବୈଦ୍ୟୁତିକ ସାମଗ୍ରୀ, ପ୍ରି-ଫେବ୍ରିକେଟେଡ୍ ସାମଗ୍ରୀ, କୋଠାବାଡ଼ିରେ ବ୍ୟବହୃତ ସାମଗ୍ରୀର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ ନେଇ ଆଲୋଚନା ହୋଇଥିଲା ।
ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ନିର୍ମାଣ ସାମଗ୍ରୀର ଗୁରୁତ୍ୱ ଓ ଆବଶ୍ୟକତାକୁ ଉପଲବ୍ଧି କରି ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟା ଶୀଘ୍ର ସମାପ୍ତି ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ ।