ଭୁବନେଶ୍ବର: କେନ୍ଦୁଝର ଲୋକସଭା ଆସନରେ ଏଥର ତ୍ରିମୁଖୀ ଲଢେଇ। ବିଜେଡି କେନ୍ଦୁଝରରୁ ଧନୁର୍ଜୟ ସିଦୁଙ୍କୁ ପ୍ରାର୍ଥୀ କରିଛି ତ ବିଜେପିରୁ ଅନନ୍ତ ନାଏକ ଓ କଂଗ୍ରେସରୁ ବିନୋଦ ବିହାରୀ ନାୟକ ମଇଦାନକୁ ଓହ୍ଲାଇଛନ୍ତି । ବିଜେପି ପ୍ରାର୍ଥୀ ଅନନ୍ତ ନାଏକଙ୍କୁ ରାଜ୍ୟ ଶାସନ ବିରୋଧୀ ହାଓ୍ବା ଓ ମୋଦି ଲହର ଲାଭ ଦେଇପାରେ । ଗତଥର କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ଗୋଟିଏ ବିଧାନସଭା ସିଟ୍ ଜିତିଥିଲେ ବି ଅଧିକାଂଶ ଆସନରେ ଭଲ ଟକ୍କର ଦେଇଥିଲା ବିଜେପି । ବିଜେଡି ପାଇଁ ଦଳୀୟ କନ୍ଦଳ ମୁଣ୍ଡବିନ୍ଧାର କାରଣ ହୋଇଛି । ସେପଟେ ବିଜେଡି ଓ ବିଜେପି ମଧ୍ୟରେ ମୁକାବିଲା ହେଲେ ବି କଂଗ୍ରେସ ଭୋଟ୍ କେନ୍ଦୁଝରରେ ନିର୍ଣ୍ଣାୟକ ହୋଇପାରେ ।
ବିଜେଡିକୁ ଚିନ୍ତା ଘରକଳି !
କେନ୍ଦୁଝରର ଖଣି ଅଞ୍ଚଳ ଚମ୍ପୁଆରେ ଦଳୀୟ କନ୍ଦଳ ଏବେ ବିଜେଡିର ମୁଣ୍ଡବିନ୍ଧାର କାରଣ ହୋଇଥିବା କୁହାଯାଉଛି । ସନାତନ ମହାକୁଡ, କୁଶ ଆପଟ୍ଟ ଓ ଧନୁର୍ଜୟ ସିଦୁଙ୍କ ମଧ୍ୟରେ ମତଭେଦ ନେଇ ଚର୍ଚ୍ଚା ହେଉଛି । ଟିକେଟ୍ କଟିବା ପରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହନ୍ତ ବିଜେଡି କାର୍ଯ୍ୟକ୍ରମକୁ ଆସୁନାହାନ୍ତି । ତାଙ୍କ ସମର୍ଥକ ବିଜେପି ଆଡକୁ ଢଳୁଥିବା କୁହାଯାଉଛି । ସନାତନ ମହାକୁଡ ନିଜ ସଂଗଠନକୁ ଧରି ପ୍ରଚାର କରୁଛନ୍ତି। ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦୁ ଓ ସନାତନ ମହାକୁଡଙ୍କୁ ଏକାଠି ଦେଖିବାକୁ ମିଳୁନି । ଚମ୍ପୁଆରେ ବିଜେଡି ସଂଗଠନ ବୃଦ୍ଧିରେ କୁଶ ଆପଟ୍ଟଙ୍କର ଭୂମିକା ରହିଛି । ତେବେ ସନାତନଙ୍କୁ ଟିକେଟ୍ ଦେଇ କୁଶଙ୍କୁ ଜିଲ୍ଲା ସଭାପତି ଭାବେ ଥଇଥାନ କରିଛି ବିଜେଡି । ଏହାକୁ ନେଇ କୁଶ ଅସନ୍ତୁଷ୍ଟ ଥିବା କୁହାଯାଉଛି । ବିଜେଡିର ଘରକଳିର ପ୍ରଭାବ ଲୋକସଭା ନିର୍ବାଚନ ଉପରେ ପଡିପାରେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝରରେ ଧନୁର୍ଜୟ ସିଦୁଙ୍କ ପାଇଁ ପ୍ରଚାର କରିଛନ୍ତି ।
ପଦ୍ମ ଫୁଟାଇବେ ଅନନ୍ତ !
ବିଜେପି ପ୍ରାର୍ଥୀ ଅନନ୍ତ ନାଏକ ୧୯୯୯ ଓ ୨୦୦୪ରେ କେନ୍ଦୁଝରରୁ ସାଂସଦ ହୋଇଥିଲେ। ଏହାପରେ ଲୋକସଭା ଲଢେଇ ଲଢିଥିଲେ ବି ହାରିଥିଲେ ଅନନ୍ତ । ଏଥର ତାଙ୍କୁ ଷଷ୍ଠ ଥର ପାଇଁ ପ୍ରାର୍ଥୀ କରିଛି ବିଜେପି । ଜାତୀୟସ୍ତରରେ ଅନନ୍ତଙ୍କର ଭଲ ସଂପର୍କ ରହିଛି । ଗତ ୫ବର୍ଷରେ ସେ ଜାତୀୟ ଜନଜାତି କମିଶନ ସଦସ୍ୟ ଓ କମିଶଙ୍କ ଉପାଧ୍ୟକ୍ଷ ପଦରେ ରହିଥିଲେ । ଏଥର ନିଜ ସଂଗଠନ ସାଙ୍ଗକୁ ମୋଦି ହାଓ୍ବା ଆଧାରରେ ବିଜୟ ରଣନୀତି କଷୁଛନ୍ତି ଅନନ୍ତ । ତାଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ବି ଜୋରଦାର ପ୍ରଚାର କରୁଛନ୍ତି ।
କଂଗ୍ରେସ ହେବ କିଙ୍ଗମେକର !
କଂଗ୍ରେସ ପ୍ରଥମେ କେନ୍ଦୁଝରରୁ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରିଥିଲା । ତେବେ ଦଳୀୟ କର୍ମକର୍ତ୍ତା ସମୂହ ଇସ୍ତଫା ଦେବା ପରେ ବିନୋଦ ବିହାରୀ ନାୟକଙ୍କୁ ପ୍ରାର୍ଥୀ କରିଛି। ଗତଥର ପାଟଣା ବିଧାନସଭାରୁ ପ୍ରାର୍ଥୀ ହୋଇଥିଲେ ବିନୋଦ। ତାଙ୍କର ଭଲ ସଂଗଠନ ରହିଛି । ଜିଲ୍ଲାରେ ବେକାରୀ, ପାନୀୟ ଜଳ, ଗମନାଗମନ, ସ୍ବାସ୍ଥ୍ୟସେବା ପରି ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ବିନୋଦ । ଗତ ଦୁଇଟି ନିର୍ବାଚନରେ କେନ୍ଦୁଝରର କଂଗ୍ରେସ ଭୋଟ୍ ଅଧିକ ମାତ୍ରାରେ ବିଜେଡିକୁ ଯାଇଛି । ତେବେ ଏଥର ବିନୋଦଙ୍କ ନେତୃତ୍ବରେ କଂଗ୍ରେସ ଭୋଟ୍ ଦଳରେ ହିଁ ରହିପାରେ । ଏମିତି ହେଲେ ବିଜେଡି କ୍ଷତି ସହିପାରେ ।
ବିଧାନସଭା ଗଣିତ ଗୋଳମାଳ
ଗତଥର ବିଜେଡି କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୭ଟିରୁ ୬ଟି ସିଟ୍ ଜିତିଥିଲା । କେବଳ କେନ୍ଦୁଝର ବିଧାନସଭା ଆସନ ହାତେଇଥିଲା ବିଜେପି । ହେଲେ ଏଥର ବିଧାନସଭା ଗଣିତ ଗୋଳମାଳ ହୋଇପାରେ । ଅଣଦେଖା ଅଭିଯୋଗ କରି ବିଜେଡି ଛାଡି ବିଜେପିରେ ମିଶିଥିଲେ ପ୍ରେମାନନ୍ଦ ନାୟକ । ତେବେ ତାଙ୍କୁ ସେଠାରୁ ବି ଟିକେଟ ପାଇଁ ନିରାଶ ହେବାକୁ ପଡିଛି । ତେଲକୋଇରେ କାହାକୁ ସମର୍ଥନ କରିବେ ପ୍ରେମାନନ୍ଦଙ୍କ ସମର୍ଥକ, ତାହା ନିର୍ଣ୍ଣାୟକ ହୋଇପାରେ । ଘସିପୁରାରୁ ସୌମ୍ୟ ପଟ୍ଟନାୟକ ସ୍ବାଧୀନ ଭାବେ ଲଢୁଛନ୍ତି । ସବୁ ଦଳର ବିଦ୍ରୋହୀଙ୍କ ସମର୍ଥନରେ ଅଙ୍କ ଏପଟ ସେପଟ କରିପାରନ୍ତି ସୌମ୍ୟ। ସେହିପରି ଅନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ବିଜେଡି ଛାଡିଛନ୍ତି । ଏହାର ପ୍ରଭାବ ମଧ୍ୟ ଭୋଟ୍ ଉପରେ ପଡିପାରେ ।
ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ ଓ କରଞ୍ଜିଆ ବିଧାନସଭା ଆସନକୁ ନେଇ ରହିଛି କେନ୍ଦୁଝର ଲୋକସଭା । ଅଧିକାଂଶ ବିଧାନସଭାରେ ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ଫାଇଟ୍ ହେବ । କିଛି ସ୍ଥାନରେ କଂଗ୍ରେସ ଭଲ ପ୍ରଦର୍ଶନ କଲେ ବି ଲୋକସଭା ଲଢେଇ ବିଜେଡି ଓ ବିଜେପି ମଧ୍ୟରେ ହିଁ ହେବ ।
Comments are closed.