Latest Odisha News

BREAKING NEWS

ବ୍ରିଟେନରେ ଋଷି ସୁନକଙ୍କ ପାର୍ଟି କ୍ଷମତାଚ୍ୟୁତ

ନୂଆଦିଲ୍ଲୀ: ବ୍ରିଟେନର ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାସକ କଂଜରଭେଟିଭ ପାର୍ଟିର ଶୋଚନୀୟ ପରାଜୟ ହୋଇଛି । ଏଥିସହିତ ଶେଷ ହୋଇଛି କଂଜରଭେଟିଭ ପାର୍ଟିର ଦୀର୍ଘ ୧୪ ବର୍ଷର ଶାସନ । ନିର୍ବାଚନରେ ଦଳର ପରାଜୟ ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ । ବିରୋଧୀ ଲେବର ପାର୍ଟି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ନୂଆ ସରକାର ଗଠନ କରିବାକୁ ଯାଉଛି । କିଏର ଷ୍ଟାର୍ମରଙ୍କ ନେତୃତ୍ୱରେ ଲେବର ପାର୍ଟି ଏଥର ବୃହତ ବିଜୟ ହାସଲ କରଛିି ।

ବ୍ରିଟେନ ପାର୍ଲାମେଂଟର ନିମ୍ନ ସଦନ ହାଉସ ଅଫ କମନସରେ ୬୫୦ ଆସନ ମଧ୍ୟରୁ ୩୨୬ ଆସନ ଜିତିଥିବା ଦଳ ସରକାର ଗଠନ କରିବା ବ୍ୟବସ୍ଥା ରହିଛି । ଏଥର ନିର୍ବାଚନରେ ବିରୋଧୀ ଲେବର ପାର୍ଟି ୪୧୦ ଆସନ ପାଇଛି । ନିର୍ବାଚନରେ ଲେବର ପାର୍ଟି ବୃହତ ବିଜୟ ହାସଲ କରିବ ବୋଲି ଏକଜିଟ ପୋଲ ପୂର୍ବାନୁମାନ ସଠିକ ପ୍ରମାଣିତ ହୋଇଛି । ଅତି ଖରାପ ପ୍ରଦର୍ଶନ କରିଛି ପ୍ରଧାନମନ୍ତ୍ରୀ ଋଶି ସୁନକଙ୍କ କଂଜରଭେଟିଭ ପାର୍ଟି । ମାତ୍ର ୧୧୯ ଆସନରେ ସୀମିତ ରହିଛି ସୁନକଙ୍କ ପାର୍ଟି । ଏହା କଂଜରଭେଟିଭ ପାର୍ଟିର ସବୁଠୁ ଖରାପ ପ୍ରଦର୍ଶନ । ପ୍ରଧାନମନ୍ତ୍ରୀ ଋଶି ସୁନକ ୟର୍କସାୟାରର ରିଚମଣ୍ଡ ଆସନରେ ବିଜୟୀ ହୋଇଛନ୍ତି ।

୧୪ ବର୍ଷ ପରେ ପୁଣି ବ୍ରିଟେନରେ ଲେବର ପାର୍ଟି ସରକାର ଗଠନ ହେବ । ଲେବର ପାର୍ଟି ନେତା କିଏର ଷ୍ଟାର୍ମର ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ । ୧୯୯୭ ପରେ ଲେବର ପାର୍ଟି ବୃହତ ବିଜୟ ହାସଲ କରିଛି । ୧୯୯୭ ନିର୍ବାଚନରେ ଲେବରକୁ ମିଳିଥିଲା ୪୧୯ ଆସନ । ଏଥର ଦଳ ସାମାନ୍ୟ କମ୍ ଆସନ ପାଇଛି । ନିର୍ବାଚନରେ ଲିବେରାଲ ଡେମୋକ୍ରାଟିକ ପାର୍ଟି ତୃତୀୟ ସ୍ଥାନରେ ରହିଛି । ଦଳକୁ ମିଳିଛି ୭୧ଟି ଆସନ । ସ୍କଟିଶ ନ୍ୟାସନାଲ ପାର୍ଟିକୁ ମିଳିଛି ୮ ଆସନ । ବ୍ରିଟେନରେ ଏକାଧିକ ଦଳ ନିର୍ବାଚନରେ ଭାଗ ନେଉଥିଲେ ମଧ୍ୟ କଂଜରଭେଟିଭ ପାର୍ଟି ଓ ଲେବର ପାର୍ଟି ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦିତା ହୁଏ। ଗତ କିଛି ବର୍ଷ ମଧ୍ୟରେ ଲିବେରାଲ ଡେମୋକ୍ରାଟିକ ପାର୍ଟି ତୃତୀୟ ଶକ୍ତି ରୂପେ ମୁଣ୍ଡ ଟେକିଛି।

୪୪ ବର୍ଷୀୟ ଋଷି ସୁନକ ୨୦୨୨ ମସିହା ଅକ୍ଟୋବରରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିଲେ । ଋଷିଙ୍କ ମାତାପିତା ଭାରତୀୟ ବଂଶୋଦ୍ଭବ । ଋଷି ସୁନକ ଆଉ ଗୋଟିଏ ପରିଚୟ ହେଲା, ସେ ଇନଫୋସିସ ପ୍ରତିଷ୍ଠାତା ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ । ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାରେ ସୁନକ ଥିଲେ ପ୍ରଥମ ଅଣ ଶ୍ୱେତାଙ୍ଗ । ତାଙ୍କ ମନ୍ତ୍ରିମଣ୍ଡଳରେ ଗୋଟିଏ ପରେ ଗୋଟିଏ ମନ୍ତ୍ରୀଙ୍କ ଇସ୍ତଫା ଓ ଦଳୀୟ ଅସନ୍ତୋଷ ଯୋଗୁଁ ଆଗୁଆ ନିର୍ବାଚନ ପାଇଁ ନିଷ୍ପତ୍ତି ନେଇଥିଲେ ଋଶି ସୁନକ ।

କାହିଁକି ହାରିଲା କଂଜରଭେଟିଭ ପାର୍ଟି ?   

ଗୋଟିଏ ନିର୍ଦ୍ଦିଷ୍ଟ ଦଳ ଦୀର୍ଘ ବର୍ଷ ଧରି କ୍ଷମତାରେ ରହିଥିବାରୁ ଭୋଟର ବିିତୃଷ୍ଣାକୁ ଏଥିପାଇଁ ମୁଖ୍ୟତଃ ଦାୟୀ କରିଛନ୍ତି ବିଶେଷଜ୍ଞ । ଏହାଛଡା କୌଣସି ଦଳ ବ୍ରିଟେନରେ ଲଗାତର ପଂଚମ ଥର ବିଜୟୀ ହୋଇନାହାନ୍ତି । କଂଜରଭେଟିଭ ପାର୍ଟିର ଆର୍ଥିକ ନୀତି ନେଇ ବି ଜନଅସନ୍ତୋଷ ସୃଷ୍ଟି ହୋଇଥିଲା। ଟିକସ ବୃଦ୍ଧି ଓ ରେକର୍ଡ ସଂଖ୍ୟକ ଇମିଗ୍ରେସନ କଂଜରଭେଟିଭ ପାର୍ଟିର ପରାଜୟର ଗୋଟିଏ ଗୋଟିଏ ମୁଖ୍ୟ କାରଣ ବୋଲି କୁହାଯାଉଛି।

ଲେବର ପାର୍ଟିର ନିରଙ୍କୁଶ ବିଜୟର ନାୟକ ହୋଇଥିବା ୬୧ବର୍ଷୀୟ କିଏର ଷ୍ଟାର୍ମରଙ୍କୁ ୨୦୨୦ ମସିହାରେ ଦଳର ନୂଆ ନେତା ନିର୍ବାଚିତ କରାଯାଇଥିଲା । ୨୦୧୫ରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ ଷ୍ଟାର୍ମର । ଏବେ ଦୀର୍ଘ ୧୪ ବର୍ଷ ପରେ ବ୍ରିଟେନରେ ଗଠନ ହେବାକୁ ଥିବା ଲେବର ପାର୍ଟି ସରକାରର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଷ୍ଟାର୍ମର ।

Leave A Reply

Your email address will not be published.