ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା, ଠାକୁର ରାଜା ତଥା ଦାରୁବ୍ରହ୍ମଙ୍କର ପ୍ରଥମ ସେବକ ହେଲେ ପୁରୀ ଗଜପତି ମହାରାଜା । ପବିତ୍ର ଏକାଦଶୀ ତିଥିରେ ‘ମହାଦୀପ’ ନେଇ ଶ୍ରୀମନ୍ଦିର ଶୀର୍ଷଦେଶକୁ ଯାଉଥିବା ଧ୍ୱଜାବନ୍ଧା ସେବକ ବୋଲିଥାଏ :- “ହରି ବୋଲି ବୋଲହେ – ହରି ବୋଲି ବୋଲି ହେ ମହାପ୍ରଭୁ… ଶ୍ରୀ ଶ୍ରୀ ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟୋକ୍ରଳ ବର୍ଗେଶ୍ୱର ବୀରାଧିବୀରବର ଭୂତ ଭୈରବ ସାଧୁ ଶାସନୋତ୍ତୀର୍ଣ୍ଣ ରାଉତ ରାଜ ଅତୁଳବଳ ପରାକ୍ରମ ସଂଗ୍ରାମ ସହସ୍ରବାହୁ କ୍ଷତ୍ରିୟକୂଳ ଧୂମକେତୁ ମହାରାଜାଧିରାଜ ଦିବ୍ୟସିଂହଦେବ ଦେବ ମହାରାଜାଙ୍କୁ ଶଙ୍ଖେ ପୂରାଇ ଚକ୍ର ଆଢୁଆଳ କରିବା ପାଇଁ ଆଜ୍ଞା ହେଉ – ହରି ବୋଲି ବୋଲ ହେ – ହରି ବୋଲି ବୋଲ ହେ ମହାପ୍ରଭୁ, ସଂସାର ସୁଖୀ ରହୁ । ” ଏହାକୁ ବଡ଼ ପାଟିରେ ଉଚ୍ଚାରଣ କରି ଅଁଳା ବେଢା ଉପର ଚାରିପାଖେ ବୁଲିଥାନ୍ତି ସେବକ ।
ସମଗ୍ର ଉକ୍ରଳର ପରମାରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ତଥା ଆଦ୍ୟ ସେବକ ରୂପେ ପୁରୀ ଗଜପତି ମହାରାଜା ସୁପରିଚିତ ଅଟନ୍ତି । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ବର୍ଣ୍ଣିତ ୧୧୯ ପ୍ରକାର ସେବା ମଧ୍ୟରୁ ଗଜପତି ମହାରାଜାଙ୍କ ସେବା କ୍ରମିକ ନଂ ୧ରେ ଉଲ୍ଲେଖ ରହିଛି । ଏପରିକି ପୁରୀ ଗଜପତି ମହାରାଜା ଉକ୍ରଳ ପ୍ରଦେଶରେ କାଳ କାଳରୁ ଆଜି ପର୍ଯ୍ୟନ୍ତ ଠାକୁର ରାଜା ତଥା ଚଳନ୍ତି ବିଷ୍ଣୁ ରୂପେ ସମ୍ମାନିତ ହୋଇଆସୁଛନ୍ତି ।
ପ୍ରାଚୀନ ସମୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ନୀତି, ଯାନିଯାତ୍ରା ସହିତ ଗଜପତି ମହାରାଜା ପାରମ୍ପରିକ ରୀତିରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ । ଏହି ସେବା ନୀତି ପୁରୀ ରାଜବଂଶର ବଂଶାନୁକ୍ରମିକ ଅଟେ । ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ରଥଯାତ୍ରା ଓ ଦଶମୀରେ ବାହୁଡ଼ା ଯାତ୍ରାରେ ରଥ ଉପରେ ଗଜପତି ମହାରାଜା ଛେରାପହଁରା ଓ ରାଜନୀତି ସେବା କରିଥାଆନ୍ତି । ଗଜପତି ମହାରାଜା ସୁନାବେଣ୍ଟ ଖଚିତ ସମାର୍ଜନୀରେ ରଥାରୂଢ ଶ୍ରୀବିଗ୍ରହମାନଙ୍କର ତିନି ରଥ ଉପରେ ଚତୁଃପାଶ୍ୱର୍ ମାର୍ଜନ କରିଥାନ୍ତି ।
ତିନିରଥ ଉପରେ ଗଜପତି ମହାରାଜା କରୁଥିବା ଛେରାପହଁରା ବିଧିରେ ମୁଖ୍ୟତଃ ଦର୍ଶନ, ପ୍ରଣାମ ରାଜନୀତି, ବନ୍ଦାପନା, କର୍ପୁର ବର୍ତ୍ତକ, ଚାମର, ଆଲଟସେବା, ପୟମାଳା, ମାର୍ଜନ ସେବା ଇତ୍ୟାଦି ମଧ୍ୟ ଅନ୍ତଭୃକ୍ତ ହୋଇଥାଏ । ଶ୍ରୀନଅରରୁ ରଥ ଅଭିମୁଖେ ବିଜେ କରିବା ସମୟରେ ବେହେରା ଖୁଣ୍ଟିଆ ଆଗରେ ଯୋଡ଼ି ବେତ ଧରି ଥାଆନ୍ତି । କାହାଳିଆ ଓ ବଜନ୍ତରୀ ବାଦ୍ୟ ବାଜିବା ସହିତ ସଙ୍ଗରେ ଛତି, ତରାସ, ଚାମର ଇତ୍ୟାଦି ଥାଇ ପଟୁଆର ଶୋଭାଯାତ୍ରାରେ ଗଜପତି ଯାଉଥିବା ବେଳେ ବଡ଼ଦାଣ୍ଡରେ ସମବେତ ଅଗଣିତ ଭକ୍ତମାନେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଦେଇ ଗଜପତି ରାଜାଙ୍କୁ ସମ୍ମାନ ପ୍ରଦର୍ଶନ କରିଥାନ୍ତି । ଏହି ପଟୁଆରରେ ରାଜ ପରିବାରର ସଦସ୍ୟ, ରାଜଗୁରୁ, ଲେଙ୍କା, ବେହେରା ଖୁଣ୍ଟିଆ, ମେକାପ, ଗରାବଡୁ, ଦେଉଳକରଣ, ମୁଦୁଲି ଇତ୍ୟାଦି ସେବକ ରହିଥାନ୍ତି ।
ଏହାଛଡ଼ା ଗଜପତି ମହାରାଜା ରଥଯାତ୍ରା ଉତ୍ସବରେ ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ନୀତି କରିଥାନ୍ତି । ତାହା ହେଲା ଶ୍ରୀଲକ୍ଷ୍ମୀନାରାୟଣ ଭେଟ । ବାହୁଡ଼ାଦିନ ରାଜନହର ନିକଟକୁ ମହାପ୍ରଭୁଙ୍କ ରଥ ପହଞ୍ଚିବା ପରେ ଲକ୍ଷୀନାରାୟଣ ଭେଟ ଅନୁଷ୍ଠିତ ହୋଇଥାଏ । ଏହି ଭେଟକୁ ଗଜପତି ମହାରାଜା ପାରମ୍ପରିକ ଭାବେ କରାଇଥାଆନ୍ତି ।
ଅତୀତରେ ଶ୍ରୀକ୍ଷେତ୍ର ଧାମରେ ପାଳିତ ହେଉଥିବା ରଥଯାତ୍ରାରେ ଗଜପତି ମହାରାଜାଙ୍କ ଛେରାପହଁରା ଲାଗି ପଟୁଆର ଓ ଶୋଭାଯାତ୍ରା ବହୁ ଆଡ଼ମ୍ବର ସହକାରେ ପାଳିତ ହେଉଥିଲା । ରାଜାମାନେ ସୁସଜ୍ଜିତ ହସ୍ତୀ ସହିତ ବର୍ଣ୍ଣାଢ୍ୟ ପଟୁଆରରେ ରଥ ନିକଟକୁ ଆସୁଥିଲେ । ରଥରେ ଛେରାପହଁରା ନୀତି ସମାପନ କରୁଥିଲେ ।
ପୁରୀ ଗଜପତି ମହାରାଜା ସିଂହଦ୍ୱାର ବା ମୁଖ୍ୟଦ୍ୱାର ବା ପୂର୍ବ ଦ୍ୱାର ବାଟେ ଶ୍ରୀମନ୍ଦିରକୁ ଯାଆନ୍ତି ନାହିଁ । ଦକ୍ଷିଣ ଦ୍ୱାର ବାଟେ ସେ ଶ୍ରୀମନ୍ଦିର ଭିତରକୁ ମହାପ୍ରଭୁଙ୍କୁ ଦର୍ଶନାର୍ଥେ ଯାଇଥାଆନ୍ତି ।
ଗଜପତି ବଂଶର ପରମ୍ପରା ଅନୁସାରେ ଜେନାମଣିମାନେ ମହାରାଜା ପଦରେ ଅଭିଷିକ୍ତ ହେଲାପରେ କେବଳ ଚାରୋଟି ନାମରେ ନାମିତ କରାଯାଇଥାଏ । ଯଥା – ରାମଚନ୍ଦ୍ର ଦେବ, ବୀରକିଶୋରଦେବ, ଦିବ୍ୟସିଂହଦେବ ଓ ମୁକୁନ୍ଦ ଦେବ । ସେହିପରି ରାଣୀମାନଙ୍କର ନାମ ଯଥାକ୍ରମେ ଚନ୍ଦ୍ରମଣି ପାଟମହାଦେଇ, ସୂର୍ଯ୍ୟମଣି ପାଟମହାଦେଇ, ଲୀଳାବତୀ ହୋଇଥାଏ ।
ବର୍ତ୍ତମାନର ଗଜପତି ମହାରାଜା ଦିବ୍ୟସିଂହ ଦେବ ମହାପ୍ରଭୁଙ୍କର ଜଣେ ପରମ ଭକ୍ତ । ସେ ରାଜାଭିଷେକ ହେବାର ପ୍ରଥମ କିଛିବର୍ଷ ମଧ୍ୟରେ ତାଙ୍କ ଜୀବନରେ କେତୋଟି ଦିବ୍ୟ ଅନୁଭୁତି ରହିଛି । ସେତେବେଳେ ନନ୍ଦିନୀ ଶତପଥି ରାଜ୍ୟର ମୁଖ୍ୟମନ୍ତ୍ରୀ ଥାଆନ୍ତି । ବଡ଼ଦାଣ୍ଡରେ ପ୍ରଶାସନ ବେଶ୍ ଗର୍ବ ଅନୁଭବ କରୁଥାଆନ୍ତି ଯେ, ପହଣ୍ଡି ପୂର୍ବରୁ ସମସ୍ତ ନୀତିକାନ୍ତି ଯଥାଶିଘ୍ର ପାଳିତ ହୋଇଯାଇଛି । ସେହି ଅହଂକାରରେ ପ୍ରଶାସନ ନିଜର ବାହାଦୁରୀ ବଖାଣୁଥଆନ୍ତି । ପହଣ୍ଡି ଚାଲିଲା । ମହାପ୍ରଭୁ ରତ୍ନବେଦୀ, ବାଇସି ପାହାଚ ଅତିକ୍ରମ କଲାପରେ ସିଂହଦ୍ୱାର କୁମୁଟ ନିକଟରେ ପହଣ୍ଡିରେ ଅଟକି ଗଲେ । ପହଣ୍ଡିରେ ଆଉ ଆଗକୁ ଯାଇନପାରି ମହାପ୍ରଭୁ ସେଇଠି ଅଟକିଗଲେ ।
ସେବକ, ସେବାୟତ, ଦଇତାପତିମାନଙ୍କର ଟଣାଟଣି ଉଠାପକାରେ ମଧ୍ୟ ମହାପ୍ରଭୁ ତିଳେ ହେଲେ ହଲିଲେ ନାହିଁ ମଧ୍ୟ । ଅଚଳମେରୁ ପରି ପଡ଼ିରହିଲେ । ପହଣ୍ଡି ଅଗ୍ରସର ହୋଇପାରିଲା ନାହିଁ । ମହାପ୍ରଭୁଙ୍କ ପହଣ୍ଡି ଆଗକୁ ହୋଇପାରିଲା ନାହିଁ । ଘଣ୍ଟାଏ ଏହିପରି ରହିଲା ପରେ ସମସ୍ତେ ପ୍ରମାଦ ଗଣିଲେ । କ’ଣ କରିବେ ଠାକୁର କିପରି ପହଣ୍ଡି କରି ଆଗକୁ ଯିବେ ସେହି ଚିନ୍ତା ସମସ୍ତଙ୍କୁ ଘାରିଲା । ସେତେବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥାଆନ୍ତି ରବିନାରାୟଣ ମିଶ୍ର । ସେ ତୁରନ୍ତ ଗଜପତି ମହାରାଜାଙ୍କ ନିକଟକୁ ଧାଇଁଗଲେ । କହିଲେ “ମଣିମା…ମଣିମା…ମଣିମା ପହଣ୍ଡିରେ ହଲୁନାହାନ୍ତି । ଆପଣ ଆସନ୍ତୁ କିଛି ଗୋଟେ କରନ୍ତୁ ମଣିମା… ।”
ଗଜପତି ମହାରାଜା ରାଜନହରରୁ ଝପଟି ଆସିଲେ । ବଡ଼ଦାଣ୍ଡର ଗହଳି ଭିତରେ ମହାପ୍ରଭୁଙ୍କ ସମ୍ମୁଖରେ ଲମ୍ବ ହୋଇ ଶୋଇପଡ଼ିଲେ । ମହାପ୍ରଭୁଙ୍କୁ ହାତଯୋଡ଼ି ପ୍ରଣିପାତ କରି ଆକୁଳ ନିବେଦନ କଲେ, ମଣିମା ଆପଣ ଚାଲନ୍ତୁ ମଣିମା…ବାସ୍ ତାପରେ ସେବାୟତମାନେ ମହାପ୍ରଭୁଙ୍କୁ ଟେକିବାରେ ମହାପ୍ରଭୁ ପୁନର୍ବାର ପହଣ୍ଡିରେ ଆଗକୁ ଚାଲିଲେ । ଉପସ୍ଥିତ ଶହ ଶହ ଭକ୍ତମାନଙ୍କ ମୁହଁରୁ ସ୍ୱତଃପ୍ରବୃତ ଉଚ୍ଚାରିତ ହେଉଥିଲା । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।
ଏହାହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କ । ମହାପ୍ରଭୁ ସମସ୍ତ କଥାକୁ ସହି ନିଅନ୍ତି କିନ୍ତୁ ଗର୍ବ ଓ ଅହଙ୍କାରକୁ ସହି ପାରନ୍ତି ନାହିଁ । ସେ ଗର୍ବ ଗଞ୍ଜନ । ମହାପ୍ରଭୁ ଶ୍ରୀଜଗନ୍ନାଥ ସେଦିନ କିଛି ବ୍ୟକ୍ତିଙ୍କର ଅହଙ୍କାରକୁ କ୍ଷୁର୍ଣ୍ଣ କରିବାକୁ ପହଣ୍ଡିରେ ଅଟକି ରହିଥିଲେ ଏବଂ ସେହି ଠାକୁର ତାଙ୍କର ପରମଭକ୍ତ ମହାରାଜା ଦିବ୍ୟସିିଂହ ଦେବଙ୍କ ପ୍ରାର୍ଥନାରେ ପହଣ୍ଡିରେ ଅଗ୍ରସର ହେବାକୁ ଲାଗିଲେ ।
Comments are closed.