Latest Odisha News

BREAKING NEWS

‘ଜଗା-କାଳିଆ’ ୨/୩ ଦିନ ଭିତରେ ଏମ୍ସରୁ ଡ଼ିସଚାର୍ଜ ହେବେ, ଶିଘ୍ର ଓଡ଼ିଶା ଫେରିବେ ଦୁଇ ଭାଇ – ଦିଲ୍ଲୀ ଏମ୍ସ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡରୁ ଅସ୍ତ୍ରୋପଚାର ହୋଇ ଅଲଗା ହୋଇଥିବା ଯାଆଁଳା ଶିଶୁ ଜଗା-କାଳିଆ ୨/୩ ଦିନ ଭିତରେ ସମ୍ପୂର୍ଣ୍ଣ ସୁସ୍ଥତା ଅର୍ଜନ କରି ଏମ୍ସରୁ ଡ଼ିସଚାର୍ଜ ହେବେ । ଏମ୍ସ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଏବେ ଦୁଇ ଭାଇ ଜଗା-କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

“ଦୁଇ ତିନି ଦିନ ଭିତରେ ଦିଲ୍ଲୀ ଏମ୍ସରୁ ଡ଼ିସଚାର୍ଜ ହେଲା ପରେ ଜଗା-କାଳିଆ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ରହିବେ, ପରେ ଦୁହେଁ ଆମ ସହିତ ଓଡ଼ିଶା ଆସିବେ,” ବୋଲି କହିଛନ୍ତି ଜଗା-କାଳିଆ ଦୁଇ ଯାଆଁଳା ଭାଇଙ୍କ ବାପା ଭୂୟାଁ କହଁର ।

ନୂଆଦିଲ୍ଲୀର ଏମ୍ସ ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି ଯେ, ଦୁଇ ଭାଇଙ୍କ ମୁଣ୍ଡରୁ ଅପରେସନ ଷ୍ଟିଚ୍ ବାହାର କଲା ପରେ ଏବେ ଦୁହେଁ ଦ୍ରୁତ ଗତିରେ ଆରୋଗ୍ୟ ଲାଭ କରୁଛନ୍ତି । ଦୁଇ ଭାଇଙ୍କ ମୁଣ୍ଡ ଭିତରେ ଅସ୍ତ୍ରୋପଚାର କରି ନୂଆ ଶିରା ପ୍ରଶିରା ପ୍ରତିରୋପଣ କରିଥିଲେ ଏମ୍ସର ନ୍ୟୁେରୋ ସର୍ଜରୀ ବିଶେଷଜ୍ଞମାନେ ।

ଡ଼ାକ୍ତରମାନେ କହିଛନ୍ତି ଖୁବ ଶିଘ୍ର ଦୁଇଭାଇ ସମ୍ପୂର୍ଣ୍ଣ ରୂପେ ସୁସ୍ଥତା ଅର୍ଜନ କରି ସ୍ୱାଭାବିକ ଭାବେ ଚଲାବୁଲା କରିବେ ଏହି ଦୁଇ ଯାଆଁଳା ଭାଇ ।

ସୂଚନାଯୋଗ୍ୟ କନ୍ଧମାଳ ଜିଲ୍ଲାର ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ରହିଥିବା ଦୁଇଭାଇଙ୍କର ଦିଲ୍ଲୀ ଏମ୍ସରେ ନ୍ୟୁରୋ ସର୍ଜରୀ ବିଶେଷଜ୍ଞ ପ୍ରଫେସର ଡ଼ାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅସ୍ତ୍ରୋପଚାର କରାଯାଇ ଅଲଗା କରାଯାଇଥିଲା । ଏବେ ଦୁହେଁ ସୁସ୍ଥତା ଅନୁଭବ କରୁଛନ୍ତି । ଦୁହିଁଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ଘଟିବାରେ ଲାଗିଛି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସା ଲାଗି ସମସ୍ତ ପ୍ରକାର ବନ୍ଦୋବସ୍ତ କରି ଗତ ନଭେମ୍ବର ୨୬ ତାରିଖରେ ନୂଆଦିଲ୍ଲୀସ୍ଥ ଏମ୍ସରେ ଦୁଇଭାଇଙ୍କୁ ଭେଟି ଆରୋଗ୍ୟ କାମନା କରିଥିଲେ ।

ଓଡ଼ିଶାର ଅଗଣିତ ଜନସାଧାରଣ ଦୁଇ ଭାଇଙ୍କ ଆରୋଗ୍ୟ କାମନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଦୁଇ ଭାଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଓଡ଼ିଶା ଫେରିବା ଖବର ଶୁଣି ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.