Latest Odisha News

BREAKING NEWS

ଲଗାଣ ବର୍ଷାରେ ଓଡ଼ିଶା ବେହାଲ: ରାଜ୍ୟରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର : ବଙ୍ଗୋପସାଗରେ ଘନିଭୂତ ହୋଇଥିବା ଲଘୁଚାପ ଯୋଗୁଁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ସମଗ୍ର ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଭାରତୀୟ ପାଣିପାଗ ବିଭାଗ କହିଛନ୍ତି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ଟି ଜିଲ୍ଲାରେ ବଜ୍ରପାତ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ।

ରବିବାର ମଧ୍ୟାହ୍ନ ଠାରୁ ରାଜ୍ୟର ପ୍ରାୟ ଅନେକ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ହୋଇଥିବା ବେଳେ ସୋମବାର ସକାଳୁ ବର୍ଷା ଏପର୍ଯ୍ୟନ୍ତ ଜାରି ରହିଥିବାର ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ରର କର୍ତ୍ତୃପକ୍ଷ ।

ତେବେ ଲଘୁଚାପ ଜନିତ ଲଗାଣ ବୃଷ୍ଟିପାତ ଯୋଗୁଁ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକର ପ୍ରାୟ ୧୫ଟି ଗ୍ରାମରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ରାମଗୁଡ଼ିକର ସବୁ ରାସ୍ତାରେ ପାଣି ଚାଲିଛି । ଯାନବାହନ ଚଳାଚଳ ବ୍ୟାହତ ହୋଇଥିବା ଲକ୍ଷ୍ୟ କରାଯାଇଛି ।

କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଜୁନାଗଡ଼ ଅଞ୍ଚଳରେ ଥିବା ହାତୀ ନଦୀ ଓ ତେଲ ନଦୀ ଉଛୁଳିବାରେ ଲାଗିଛି । ସେଠାରେ ବନ୍ୟା ପରିସ୍ଥିତିର ଆଶଙ୍କା ସୃଷ୍ଟି ହୋଇଛି । ବର୍ଷାଜଳ କେତେକ ଗ୍ରାମ ମଧ୍ୟରେ ପ୍ରବେଶ କରିବା ଆରମ୍ଭ କରିଛି ।

ପରିସ୍ଥିତ ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ସାଙ୍ଗକୁ ତାରପୋଲିନ ବିଭିନ୍ନ ପୀଡ଼ିତ ଗ୍ରାମଗୁଡ଼ିକରେ ବଣ୍ଟନ ଆରମ୍ଭ ହୋଇଯାଇଛି ବୋଲି ଜିଲ୍ଲାର ବରିଷ୍ଠ ପ୍ରଶାସନ ଅଧିକାରୀ କହିଛନ୍ତି ।

ସାରା ରାଜ୍ୟରେ ଲଗାଣ ବର୍ଷାଯୋଗୁଁ ଜୀବନ ଯାପନ ବ୍ୟାହତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଶେଷକରି କବିସୂର୍ଯ୍ୟନଗର ଓ ଆସ୍କା ଅଞ୍ଚଳର କେତେକ ଗ୍ରାମରେ ବର୍ଷା ଜଳ ପ୍ରବେଶ କରିଛି । ଜିଲ୍ଲାର ଅନେକ ପରିବାର ବିଭିନ୍ନ ସ୍ଥାନରେ ଥିବା ସ୍କୁଲ ଗୃହ ତଥା ସମ୍ପର୍କୀୟଙ୍କ ପକ୍କା ଘରେ ଆଶ୍ରୟ ନେଇଛନ୍ତି ।

ତେବେ ସୂତ୍ରରୁ ଜଣାପଡ଼ିଛି, ପ୍ରବଳ ବର୍ଷା ଯୋଗୁଁ ପୁରୀ ସହରରେ ଥିବା ମାର୍କଣ୍ଡ ପୋଖରୀ ନିକଟ ପୁରୁଣା ପାଚେରୀ ଭୁଷୁଡ଼ି ପଡ଼ିଛି ।

ଏହାଛଡ଼ା ପାଇକଦାକୁଳଗଡ଼ା ଓ ଥୁଆପଲ୍ଲୀ ଗ୍ରାମ ପ୍ରବଳ ବର୍ଷାରେ ରାସ୍ତାଘାଟ ଜଳାର୍ଣ୍ଣବ ହେବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ।

Leave A Reply

Your email address will not be published.