Latest Odisha News

ଆହା! ମାଳିନୀ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”

ଏକଦା ପୁରୀ ବଡଦାଣ୍ଡରେ ପ୍ରବାହିତ ଅବଲୁପ୍ତ ଏକ କ୍ଷୁଦ୍ର ନଦୀର ନାମ ମାଳିନୀ । ପୁରୀ ସହରର ପ୍ରବେଶ ପଥରେ ଅବସ୍ଥିତ ଅଠର ନଳାର ତଳେ ପ୍ରବାହିତ କାଞ୍ଚି ନାଳର ଏକ ଶାଖା ଲୋକମୁଖରେ ମୁଷାନଈ ଭାବେ ଜଣା ତାହାର ଏକ ଉପଶାଖା କୁମ୍ଭାରପଡା ଓ ବଡଶଙ୍ଖ ଦେଇ ମାଳିନୀ ନଦୀ ନାମରେ ବାଙ୍କିମୁହାଣଠାରେ ସମୁଦ୍ରରେ ମିଶି ଥିବାର ଅନୁମାନ କରାଯାଏ ।

ପୂର୍ବେ କାଞ୍ଚି ନାଳ, ମୁଷାନଈ ଓ ମାଳିନୀ ନଦୀରେ ବର୍ଷା ସାରା ଜଳପ୍ରବାହ ଓ ଗଭୀରତା କାରଣରୁ ରଥକାଠ ଭେଳା ସାହାଯ୍ୟରେ ଅଣାଯାଉଥିବାର କିମ୍ବଦନ୍ତୀ ରହିଅଛି । କାଳକ୍ରମେ ମୁଷାନଈ ଓ ମାଳିନୀର ଗଭୀରତା କମିଯିବାରୁ କାଞ୍ଚି ନାଳର କାଠପୋଲ (ମାଳତୀପାଟପୁର ଷ୍ଟେସନ ନିକଟ)ଠାରେ କାଠଭେଳା ୧୯୭୫ ମସିହା ପର୍ଯ୍ୟନ୍ତ ଆସୁଥିବା ଜଣାଯାଏ । ତାପରେ ରଥକାଠ ମୁଖ୍ୟତଃ ସଡକପଥରେ ଆସୁଅଛି । ବଡଦାଣ୍ଡରେ ମାଳିନୀର ଜଳାଧାର ସଲଗ୍ନ ଉଭୟ ପାଶ୍ୱର୍ରେ ବିରାଟ ଅଞ୍ଚଳ ଯାହା ବିପୁଳ କମଳ ପ୍ରସ୍ଫୁଟିତ ପାଟ ସଦୃଶ୍ୟ ରହିଥିଲା, ହାଲରେ ସେହି ସ୍ଥାନ ପ୍ରଶସ୍ଥ ଶରଧାବାଲି ନାମରେ ଖ୍ୟାତ ।

ଇତିହାସ କହେ ରଥଯାତ୍ରା ଉପଲକ୍ଷେ ଅଷ୍ଟାଦଶ ଶତାବ୍ଦୀରେ ବର୍ତ୍ତମାନର ରଥଠାରୁ ଅପେକ୍ଷାକୃତ ଛୋଟ ଏବଂ ଛଅଗୋଟି ରଥ ନିର୍ମିତ ହେଉଥିଲା । ଶ୍ରୀମନ୍ଦିର ନିକଟରେ ତିନୋଟି ରଥ ଗଢାହେବା ସହ ବଡଦାଣ୍ଡର ବଡଶଙ୍ଖଠାରେ ମାଳିନୀ ନଦୀର ଅପର ପାଶ୍ୱର୍ରେ ଅଧିକ ତିନୋଟି ରଥ ମଧ୍ୟ ଗଢାଯାଉଥିଲା । ଶ୍ରୀମନ୍ଦିରରୁ ଶ୍ରୀଜୀଉମାନେ ରଥରେ ଚଢି ବାଲି ମାଟିର ବଡଦାଣ୍ଡରେ ଭକ୍ତମାନଙ୍କ ବହୁଳ ଶ୍ରମ ବିନିମୟରେ ମାଳିନୀ ନଦୀ ତଟକୁ ଯାଇ ସେଠାରେ ପହଣ୍ଡି ହୋଇ ଡଙ୍ଗା ବା ଭେଳା ସାହାଯ୍ୟରେ ପାର ହୋଇ ପୂନଶ୍ଚ ଆଉ ତିନୋଟି ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରୁଥିଲେ । ରାସ୍ତାର ଅବସ୍ଥା ରଥ ଚକ ଗଡିବା ପାଇଁ ଅନୁକୂଳ ନଥିବା କାରଣରୁ ଗୁଣ୍ଡିଚା ଯାତ୍ରା ତିନିଦିନ ବା ଚାରିଦିନ ହେଉଥିଲା ଏବଂ ସେହି କାରଣରୁ ଗୁଣ୍ଡିଚା ଘରେ ଠାକୁରଙ୍କର ରହଣୀ କାଳ ସଙ୍କୁଚିତ ହେବା ସ୍ୱାଭାବିକ ଥିଲା । ବାହୁଡା ଯାତ୍ରା ମଧ୍ୟ ସେହିପରି ସମ୍ପାଦିତ ହେଉଥିଲା । ଏହିଭଳି ସ୍ଥିତିରେ ସେକାଳର ରଥଗୁଡ଼ିକର ଦକ୍ଷିଣମୋଡ
ଯେ କେଉଁଭଳି କଷ୍ଟ ସାଧ୍ୟ ଥିଲା ତାହା ସହଜରେ ଅନୁମେୟ ।

ଅନେକ ବର୍ଷ ଯାତ୍ରା ଅବସରରେ ବଡଦାଣ୍ଡରେ ରଥ ଅଟକିବା ସ୍ଥାନମାନଙ୍କରେ ହରିଶୟନ ଏକାଦଶୀ ତିଥିରେ ଜୀଉମାନଙ୍କର ସୁନାବେଶ ହୋଇଥିବାର ମଧ୍ୟ କିମ୍ବଦନ୍ତୀ ରହିଅଛି । ତେବେ କୌଣସି ପ୍ରକାର ଶୟନ ପୂର୍ଣ୍ଣିମା ସୁଦ୍ଧା ଠାକୁରଙ୍କୁ ପହଣ୍ଡି କରାଇ ରତ୍ନସିହାଂସନରେ ପୁନଃସ୍ଥାପିତ କରିବା ପାଇଁ ଗଜପତିଙ୍କ ପରିଚାଳିତ ଇଷ୍ଟେଟ ସଦା ତତ୍ପର ରହିଥାଏ । ସେହି ପ୍ରଚେଷ୍ଟାର ଫଳ ସ୍ୱରୂପ ସମ୍ପ୍ରତି ୧୯୬୨ ମସିହାରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟସରକାରଙ୍କ ହାତକୁ ଚାଳିଯିବା ପରେ ବିଭାଗୀୟ ସହାୟତାରେ ଏହି ଘୋଷଯାତ୍ରା ପରିଚାଳନା ଅନେକାଂଶରେ ସହଜ ହୋଇପାରିଛି । ସେବକ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଦାୟୀତ୍ୱ ବଣ୍ଟନ ସହିତ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ତଥା ସମୀକ୍ଷା ଯୋଗୁଁ ଏ ଯାତ୍ରା ସଫଳ ଭାବେ ସମ୍ପାଦିତ ହୋଇପାରୁଛି । ପିଚୁ ସହ ଗୋଡି ଆଚ୍ଛାଦିତ ସଡକରେ ରଥ ଗୁଡ଼ିକ ଘୁ ଘୁ ହୋଇ ମାଡି ଚାଲୁଛି । ଗୁଣ୍ଡିଚା ଓ ବାହୁଡା ଯାତ୍ରା ଗୋଟିଏ ଗୋଟିଏ ଦିନରେ ସମ୍ପନ୍ନ ହୋଇପାରୁଛି । ଫଳରେ ନବଦିନ ଯାତ୍ରା ଅବସରରେ ଶ୍ରୀଜୀଉମାନେ ଆଡପ ମଣ୍ଡପରେ ଅଧିକ ଦିନ ରହିପାରୁଛନ୍ତି ଏବଂ ଭକ୍ତମାନେ ଶ୍ରୀମୁଖ ଦର୍ଶନକରି ପରମ ଆନନ୍ଦ ଲାଭ କରୁଛନ୍ତି ।

ଏବେ ବଡଦାଣ୍ଡର ସେ ପୁରୁଣା ଚିତ୍ର ବଦଳି ଯାଇଛି । ମାଳିନୀ ନଦୀ ପୋତି ହୋଇ ସେହିସ୍ଥାନରେ ସହରର ଆର୍ବଜନା ପୂର୍ଣ୍ଣ ପାଣି ନିଷ୍କାସିତ ହେବାପାଇଁ ଏକ ବୃହତ ନଳା ସୃଷ୍ଟି ହେଇଛି ଯାହା ପୂର୍ବପରି ଯାଇ ବାଙ୍କି ମୁହାଣରେ ମିଶିଅଛି । କାଳର କରାଳ ଗର୍ଭରେ ଭୌଗଳିକ ପରିବର୍ତ୍ତନ ସ୍ୱାଭାବିକ । ଯଦି ଏବେ ଥାଆନ୍ତା ସେହି ମାଳିନୀ ନଦୀ ତେବେ ରଥଯାତ୍ରାର ଆକର୍ଷଣ ନିଶ୍ଚିତ ଭାବେ ହୋଇଥାଆନ୍ତା ନିଆରା ! ଆହା! ମାଳିନୀ ।

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Comments are closed.