Latest Odisha News

BREAKING NEWS

ଅଜଣା ଗାଡି ଧକ୍କାରେ ଚାଲିଗଲା ୩ ଯୁବକଙ୍କ ଜୀବନ

ବରଗଡ: ବରଗଡ଼ ଜିଲ୍ଲା ଲୁହୁରାଚଟି ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜାତୀୟ ରାଜପଥ ଉପରେ ଅଜଣା ଗାଡ଼ି ଧକ୍କାରେ ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଯୁବକ ମାନେ ଅଶୋକା ବିଲିକନ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି l

ସୂଚନା ଅନୁଯାୟୀ, ଗତ ରାତିରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ଲୁହୁରାଚଟି ଜାତୀୟ ରାଜପଥ ଉପରେ ଏକ ଟ୍ରକ ବ୍ରେକଡାଉନ ହୋଇ ପଡିରହିଥିଲା l ତେବେ ଉକ୍ତ ବ୍ରେକଡାଉନ ଗାଡିଟି ରାସ୍ତା ଉପରେ ଥିବାରୁ ଅନ୍ୟ ଯାନବାହାନ ପ୍ରତି ଯେପରି ରାତିରେ ବିପଦ ନହୁଏ ସେଥିପାଇଁ ଅଶୋକା ବିଲିକନ କମ୍ପାନୀର କର୍ମଚାରୀ ମାନେ ଉକ୍ତ ଟ୍ରକ ଟିର ଚାରିପଟେ ବ୍ୟାରିକେଟର ବ୍ୟବସ୍ଥା କରୁଥିଲେ l କିନ୍ତୁ କିଏ ଜାଣିଥିଲା ଅନ୍ୟଙ୍କୁ ଦୁର୍ଘଟଣାରୁ ବଞ୍ଚାଇବାକୁ ଯାଇ ନିଜେ ଦୁର୍ଘଟଣାର ଶିକାର ହୋଇଯିବେ ବୋଲି l

ଏହି ସମୟରେ ହଠାତ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଗାଡ଼ି ସେମାନଙ୍କ ଉପରକୁ ମାଡିଯାଇଥିଲା । ଘଟଣା ସ୍ଥଳରେ ହିଁ ତିନି ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା l ତେବେ ଅଜଣା ଗାଡିଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ବେଳେ ଏପର୍ଯ୍ୟନ୍ତ ଗାଡିଟିର ପରିଚୟ ମିଳିପାରିନାହିଁ l

ମୃତ ତିନି ଜଣ ଯୁବକଙ୍କ ମୃତଦେହକୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି l ମୃତ ଯୁବକ ମାନେ ହେଲେ ସୋହେଲାର ବିକାଶ ଷଣ୍ଡ, ବନ୍ଦଲା ଗ୍ରାମର ପାର୍ଥବ ସାହୁ ଏବଂ ଜଗତସିଂହପୁର ଜିଲ୍ଲାର ସୁବ୍ରତ ମଲ୍ଲିକ ବୋଲି ଜଣାପଡିଛି l ତେବେ ତିନିଜଣ ଯାକ ବରଗଡ଼ ବରାହଗୁଡା ସ୍ଥିତ ଅଶୋକା ବିଲିକନ କମ୍ପାନୀରେ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ l

ଡ୍ୟୁଟିରେ ଥିବା ସମୟରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାରୁ ପରିବାର ଲୋକେ ମୃତକଙ୍କୁ କମ୍ପାନୀ ତରଫରୁ କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି କରାଯାଇଛି l ଅନ୍ୟପଟେ ସୋହେଲା ପୋଲିସ ଏହି ଦୁର୍ଘଟଣାକୁ ନେଇ ଅଧିକ ତଦନ୍ତ ଚଲାଇଛି ଏବଂ ଦୁର୍ଘଟଣା ଘଟାଇ ଫେରାର ଥିବା ଗାଡିର ପତ୍ତା ଲଗାଇବା ସହିତ ଗାଡ଼ି ଡ୍ରାଇଭରକୁ ଗିରଫ କରିବାକୁ ଖୋଳତାଡ଼ ଆରମ୍ଭ କରିଦେଇଛି l

Leave A Reply

Your email address will not be published.