Latest Odisha News

BREAKING NEWS

ସଡ଼କ ସୁରକ୍ଷା ସପ୍ତାହରେ ସୁନ୍ଦରଗଡ଼ରେ ଗଡ଼ିଲା ସଚେତନତା ରଥ

ସୁନ୍ଦରଗଡ଼: ନୂଆ ଟ୍ରାଫିକ ନିୟମ ପାଳନ ଓ ସଡ଼କ ଦୁର୍ଘଟଣା କମାଇବା ଦିଗରେ ସଚେତନତା ପାଇଁ ସୁନ୍ଦରଗଡ଼ରେ ୩୨ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି।

ଏହି ଅବସରରେ ସୋମବାର ଦିନ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରୁ ଏକ ସଚେତନତା ରଥ ବାହାରିଥିଲା। ଯାହାକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓ ଏସ୍‌ପି ସାଗରିକା ନାଥ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

“ଆଜିଠାରୁ ଯେଉଁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି, ସେଥିରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଚାଲିବ। ସୁନ୍ଦରଗଡ଼ ଓ ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ନୂଆ ଟ୍ରାଫିକ ନିୟମକୁ ଠିକ୍ ଭାବେ ଲାଗୁ କରିବା ଓ ଏହାର ନିୟମିତ ତଦାରଖ, ଚାଳକମାନଙ୍କ ଆଖି ପରୀକ୍ଷା, ସଡ଼କ ଦୁର୍ଘଟଣା ରୋକିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ” ବୋଲି କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଜାନୁୟାରୀ ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଚାଲିବ। ପ୍ରଥମ ଦିନରେ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ ଅଫିସ ପରିସରରୁ ବାହାରି ସହର ପରିକ୍ରମା କରିଥିଲା।

ସେହିପରି ସୁନ୍ଦରଗଡ଼ ନୂଆ ବସ୍‌ଷ୍ଟାଣ୍ଡ ଛକଠାରେ ଏକ ପଥପ୍ରାନ୍ତ ନାଟକ ଆୟୋଜନ କରାଯାଇଥିଲା। ସପ୍ତାହ ସାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଇକେଲ ଶୋଭାଯାତ୍ରା, ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ସହ ଭାରୀଯାନ ଚାଳକମାନଙ୍କୁ ଟ୍ରାଫିକ ନିୟମ ଓ ସଡ଼କ ସୁରକ୍ଷା ସମ୍ପର୍କରେ ତାଲିମ ଦିଆଯିବ।

ଅନ୍ୟପକ୍ଷରେ ମଦ୍ୟପାନ କରି ଗାଡ଼ି ନ ଚଳାଇବା, ଟ୍ରାଫିକ ନିୟମ ମାନିବା, ଦ୍ରୁତଗତିରେ ଗାଡ଼ି ନ ଚଳାଇବା, ହେଲମେଟ୍ ପିନ୍ଧିବା, ସିଟ୍ ବେଲ୍ଟ ବାନ୍ଧିବା, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ନ କରିବା, କ୍ଷମତାଠାରୁ ଅଧିକ ଲୋକ ବାଇକ୍‌ରେ ନ ବସିବା ଭଳି ନିୟମ ଠିକ୍ ଭାବେ ପାଳନ ହେଉଛି କି ନା ସେନେଇ ସଚେତନତା ସହ କଡ଼ାକଡ଼ି ଯାଞ୍ଚ ଚାଲିବ।

ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ନିର୍ଭୟା ଯୋଜନା ଅଧୀନରେ ସୁନ୍ଦରଗଡ଼ ଜିଲ୍ଲା ପୋଲିସକୁ ୧୨ଟି ଦୁଇ ଚକିଆ ଗାଡ଼ି ମିଳିଛି। ମହିଳାଙ୍କ ନିରାପତ୍ତା ଓ ସଡ଼କ ସୁରକ୍ଷା ପାଇଁ ଏହିସବୁ ଗାଡ଼ି ଜିଲ୍ଲାର ସମସ୍ତ ଥାନାକୁ ପ୍ରଦାନ କରାଯିବ। ଏହି ଗାଡ଼ିକୁ ମହିଳା ପୋଲିସ କର୍ମଚାରୀମାନେ ବ୍ୟବହାର କରିବେ।

“ସ୍କୁଲ ଓ କଲେଜ ଖୋଲିବା ପରେ ରୋଡ୍ ରୋମିଓମାନେ ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ଓ ହଇରାଣ କରିବା ଭଳି ଆଶଙ୍କା ରହିଛି। ତେଣୁ ସେଭଳି ପରିସ୍ଥିତିରେ ସେମାନଙ୍କ ପାଖରେ ତୁରନ୍ତ ପହଂଚିବା ପାଇଁ ଏହି ଗାଡ଼ିକୁ ବ୍ୟବହାର କରିବେ ମହିଳା ପୋଲିସ କର୍ମଚାରୀ। ମହିଳାଙ୍କ ନିରାପତ୍ତା ଓ ସଶକ୍ତିକରଣ ଦିଗରେ ଏହା ଏକ ପ୍ରଭାବୀ ପଦକ୍ଷେପ ହେବ”, କହିଛନ୍ତି ସୁନ୍ଦରଗଡ଼ ଏସପି ସାଗରିକା ନାଥ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ, ଅତିରିକ୍ତ ଆର୍‌ଟିଓ ସୁସ୍ମିତା ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ତଥା ସଂସ୍କୃତି ଅଧିକାରୀ ଅନୀଲ କେର୍‌କେଟାଙ୍କ ସହିତ ପୋଲିସ ଓ ପରିବହନ ବିଭାଗର ବରିଷ୍ଠ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.