Latest Odisha News

ସଡ଼କ ଦୁର୍ଘଟଣା ଚିନ୍ତା: ସର୍ଭେ ପାଇଁ ଓଡ଼ିଶା ଆସିବ ଜାତୀୟ ବିଶେଷଜ୍ଞ ଟିମ୍

ରାଜ୍ୟର ୪ଟି ସହରରେ ଅଡିଟ୍ କରିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଦିନକୁ ଦିନ ସଡ଼କ ଦୁର୍ଘଟଣା ସଂଖ୍ୟା ବଢୁଛି । ସଡ଼କ ଦୁର୍ଘଟଣା ନେଇ ରାଜ୍ୟର ଚାରିଟି ପ୍ରମୁଖ ସହରରେ ସର୍ଭେ ହେବ । କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ସହରରେ ସର୍ଭେ କରିବେ ଜାତୀୟ ବିଶେଷଜ୍ଞ ଟିମ୍ । ସେମାନେ ଟ୍ରାଫିକ୍ ନିୟମ ପାଳନ କେତେ କଡ଼ାକଡ଼ି ହେଉଛି ତାର ତଦାରଖ କରିବେ । ଫୁଟପାଥ୍, ରାସ୍ତା ନିର୍ମାଣ ଶୈଳୀ, ସାଇନବୋର୍ଡର ଅନୁଧ୍ୟାନ କରିବ ବିଶେଷଜ୍ଞ ଟିମ୍ ।

ଜାତୀୟ ରାଜପଥ, ରାଜ୍ୟ ରାଜପଥ ସହ ଜିଲ୍ଲା ପ୍ରମୁଖ ରାସ୍ତାଗୁଡ଼ିକରେ ସର୍ଭେ କରାଯିବ । ସେହିପରି ରାଜ୍ୟ ପରିବହନ ବିଭାଗ, ପୋଲିସ, ପୂର୍ତ୍ତ, ଶିକ୍ଷା, ସ୍ୱାସ୍ଥ୍ୟ ବିଭାଗରୁ ତଥ୍ୟ ସଂଗ୍ରହ କରିବା ସହ ସେମାନଙ୍କର କାମର ସମୀକ୍ଷା କରିବେ ଜାତୀୟ ବିଶେଷଜ୍ଞ ଟିମ୍ । ରାସ୍ତାରେ ବ୍ଲକସ୍ପଟ୍ ଖୋଜିବେ ।

ଓଡ଼ିଶାରେ ସଡ଼କ ଦୁର୍ଘଟଣା ବଢୁଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ସଡ଼କ ସୁରକ୍ଷା କମିଟି । ଏହି କମିଟିର ସୁପାରିଶ ଅନୁସାରେ ଏକ ବିଶେଷଜ୍ଞ ଟିମ୍ ଓଡ଼ିଶା ଗସ୍ତରେ ଆସି ସ୍ଥିତି ପରଖିବେ । ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

ଏଥିପାଇଁ କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ସ୍ଥିତ ଇଣ୍ଡିଗ୍ରେଟେଡ୍ ମଲଟି ମୋଡାଲ୍ ଟ୍ରାନଜିଟ୍ ସିଷ୍ଟମ୍ (DIMTS) ଲିଃ ସଂସ୍ଥା, ଟ୍ରାନ୍ସପୋର୍ଟ ରିସର୍ଚ୍ଚ ଏଣ୍ଡ ଇନଜୁରୀ ପ୍ରିଭେନସନ୍ ପ୍ରୋଗ୍ରାମ୍ (TRIPP) ଓ ଦିଲ୍ଲୀ ଆଇଆଇଟିର ବିଶେଷଜ୍ଞ ଟିମକୁ ନିଯୁକ୍ତି କରାଯାଇଛି ।

ନିୟମ ଉଲ୍ଲଂଘନକାରୀଙ୍କ ଧରିବା ଓ ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାର ତଦାରଖ କରିବ ଟିମ୍ । ଏଥିପାଇଁ ଡ୍ରାଇଭିଂ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ବି ପରିଦର୍ଶନ କରିବେ । କେନ୍ଦ୍ରୀୟ ଟିମର ଓଡ଼ିଶା ଗସ୍ତ ପୂର୍ବରୁ ଆବଶ୍ୟକ ସମସ୍ତ ତଥ୍ୟ ପ୍ରସ୍ତୁତ ରଖିବାକୁ ସଂପୃକ୍ତ ବିଭାଗକୁ ଚିଠି ଲେଖିଛନ୍ତି ପରିବହନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ।

Leave A Reply

Your email address will not be published.