Latest Odisha News

BREAKING NEWS

ରୋଡ୍ ଶୋ ରାଜନୀତି

ଭୁବନେଶ୍ବର : ନିର୍ବାଚନ ପ୍ରଚାର ପାଇଁ ରୋଡ୍ ଶୋ କରୁଛନ୍ତି ହେଭିଓ୍ବେଟ୍ ନେତା। ଭୁବନେଶ୍ବର ଜନପଥରେ ମୋଦି ରୋଡ୍ ଶୋ କରିଛନ୍ତି ତ ସିଲଭର ସିଟିରେ ପାଓ୍ବାର ଶୋ କରିଛନ୍ତି ବିଜେପିର ନମ୍ବର ଟୁ ଅମିତ ଶାହା। ଜେପି ନଡ୍ଡା, ହେମାମାଳିନୀ ବି ଗୋଟେ ପରେ ଗୋଟେ ରୋଡ୍ ଶୋ କରି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବି ରାଜଧାନୀରେ ରୋଡ୍ ଶୋ କରିଛନ୍ତି ତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଓ୍ବାର ଶୋ କରୁଛନ୍ତି ଭିକେ ପାଣ୍ଡିଆନ । ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କୁ କେତେ ଫାଇଦା ଦେବ ରୋଡ୍ ଶୋ ? ଭୋଟର ମନ ଜିଣିବାରେ କେତେ ସଫଳ ହେବ ?

ଜନପଥରେ ମୋଦି ଶୋ’
ରାଜଧାନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଓ୍ବାର ଶୋ । ୧୦ତାରିଖରେ ମୋଦିଙ୍କ ରୋଡ୍ ଶୋରେ ବଡ ସନ୍ଦେଶ ଦେଇଥିଲା ବିଜେପି । ଏଥର ଓଡିଆ ଅସ୍ମିତାକୁ ନିର୍ବାଚନୀ ପ୍ରସଙ୍ଗ କରିଛି ବିଜେପି । ମୋଦିଙ୍କ ରୋଡ୍ ଶୋରେ ଓଡିଆ କଳା, ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା । ଦେଢ ଶହରୁ ଅଧିକ ମହିଳା ପଶାପାଲି ଶାଢୀ ପିନ୍ଧି ସାମିଲ ହୋଇଥିଲେ । ରୋଡ୍ ଶୋ ଦ୍ବାରା ବିଜେପି ଓଡିଆ ଅସ୍ମିତା ପ୍ରତି ଦଳର ପ୍ରତିବଦ୍ଧତାକୁ ଦର୍ଶାଇଥିଲା। ୨୦ତାରିଖରେ ପୁରୀ ବଡଦାଣ୍ଡରେ ସିଂହଦ୍ବାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରୋଡ୍ ଶୋ କରିବେ ମୋଦି । ବଡଦାଣ୍ଡକୁ ପିପିଲି ଚାନ୍ଦୁଆ ଓ ରଘୁରାଜପୁର ପଟ୍ଟଚିତ୍ରରେ ସଜାଯିବ । ଏଠିବି ଓଡିଆ ଅସ୍ମିତା ନେଇ ମୁଖର ହୋଇପାରନ୍ତି ମୋଦି।

ବିଜେପି ହେଭିଓ୍ବେଟଙ୍କ ପାଓ୍ବାର ଶୋ’
କେବଳ ମୋଦି ନୁହନ୍ତି କେନ୍ଦ୍ରୀୟ ବିଜେପିର ବଡ ଚେହେରା ରାଜ୍ୟରେ ଗୋଟେ ପରେ ଗୋଟେ ରୋଡ୍ ଶୋ କରି ମାହୋଲ୍ ବିଜେପି ସପକ୍ଷରେ କରିବାକୁ ଉଦ୍ୟମ କରୁଛନ୍ତି । କଟକରେ ବିଜେପିର ଚାଣକ୍ୟ ଅମିତ ଶାହା ରୋଡ୍ ଶୋ କରିଛନ୍ତି ତ ରାଜଧାନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୋଟ୍ ମାଗିଛନ୍ତି । ସେହିପରି କଟକ ସଦର ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପାଇଁ କିଶନନଗରରେ ରୋଡ୍ ଶୋ କରିଛନ୍ତି ବିଜେପି ସାଂସଦ ତଥା ବଲିଉଡର ଡ୍ରିମଗାର୍ଲ ହେମାମାଳିନୀ ।

ରାଜଧାନୀରେ ନବୀନଙ୍କ ରୋଡ୍ ଶୋ’
ରୋଡ୍ ଶୋରେ ପଛରେ ପଡିନି ବିଜେଡି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଭୁବନେଶ୍ବରରେ ପ୍ରାୟ ଅଢେଇ ଘଣ୍ଟା ଧରି ରୋଡ୍ ଶୋ କରିଥିଲେ । ସ୍ବତନ୍ତ୍ର ବସରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ସହ ରୋଡ୍ ଶୋ କରି ଯୋଡି ଶଙ୍ଖରେ ଭୋଟ୍ ମାଗିଥିଲେ । ଗଙ୍ଗନଗର ଛକରୁ ରୋଡ୍ ଶୋ ଆରମ୍ଭ ହୋଇ ଶିଶୁଭବନ ଯାଏଁ ଚାଲିଥିଲା। ବିଭିନ୍ନ ସ୍ଥାନରେ ନବୀନ କର୍ମୀ ଓ ସମର୍ଥକଙ୍କୁ ସମ୍ବୋଧନ କରିଥିଲେ। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଣ୍ଡିଆନ ରୋଡ୍ ଶୋ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।

କେଉଁଠି ପ୍ରାର୍ଥୀ କେଉଁଠି ନାହାନ୍ତି
ମୋଦି ହୁଅନ୍ତୁ କି ଶାହା, ବିଜେପି ନେତାଙ୍କ ରୋଡ୍ ଶୋରେ ଦଳୀୟ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିଛି । ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସାଙ୍ଗରେ ନେଇ ମୋଦି ଭୁବନେଶ୍ବରରେ ରୋଡ୍ ଶୋ କରିଥିଲେ ତ ଶାହା କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବାରବାଟୀ-କଟକ ବିଧାନସଭା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ରୋଡ୍ ଶୋ କରିଥିଲେ । ତେବେ ନବୀନ କିମ୍ବା ପାଣ୍ଡିଆନଙ୍କ ରୋଡ୍ ଶୋରେ ଦଳୀୟ ପ୍ରାର୍ଥୀ ସାଙ୍ଗରେ ରହିନାହାନ୍ତି । ନବୀନଙ୍କ ରୋଡ୍ ଶୋରେ କେବଳ ପାଣ୍ଡିଆନ ଓ ସୁରକ୍ଷାକର୍ମୀ ରହିଥିବା ବେଳେ ପାଣ୍ଡିଆନ ଏକା ହିଁ ରୋଡ୍ ଶୋ କରିଛନ୍ତି । ରୋଡ୍ ଶୋ ମାଧ୍ୟମରେ ଲୋକଙ୍କ ସହ ସିଧାସଳଖ ଯୋଡି ହେବା ସହ ନିଜ ଦଳର ପ୍ରାର୍ଥୀଙ୍କୁ ନେଇ ସାଙ୍ଗରେ ନେଇ ଭୋଟରଙ୍କ ଆଶୀର୍ବାଦ ମାଗୁଛନ୍ତି ନେତା । ତେବେ ଲୋକଙ୍କ ଉପରେ ରୋଡ୍ ଶୋର କେତେ ପ୍ରଭାବ ପଡିବ ? ରୋଡ୍ ଶୋ ବେଳର ଜନଗହଳି ଭୋଟରେ ପରିଣତ ହେବ କି ନାହିଁ? ପ୍ରାର୍ଥୀଙ୍କୁ ଜିତାଇବାରେ କେତେ କାମ ଦେବ ନେତାଙ୍କ ପାଓ୍ବାର ଶୋ? ତାଉପରେ ନଜର ରହିଛି ।

Comments are closed.