Latest Odisha News

ଶିକ୍ଷକଙ୍କ କମାଲ: ତିଆରି କଲେ ରୋବୋ, ୨୫ଟି ସ୍କୁଲରେ ପଢାଇଲାଣି ପାଠ

କର୍ଣ୍ଣାଟକ: ସ୍କୁଲ ୟୁନିଫର୍ମ ପିନ୍ଧି, ମୁଣ୍ଡରେ ଦୁଇଟି ବେଣୀ ଓ ରିବନ ବାନ୍ଧି କୁନି ଝିଅଟିଏ ନିୟମିତ ସ୍କୁଲ ଆସୁଛି । ସେ ପାଠ ପଢିବା ପାଇଁ ନୁହେଁ ବରଂ ଅନ୍ୟ ପିଲାମାନଙ୍କୁ ପଢାଇବା ପାଇଁ । ଏହା ଶୁଣିବା ପରେ ଆପଣ ଭାବୁଥିବେ ଗୋଟେ କୁନି ଝିଅ କ’ଣ ପଢାଉଥିବ ? ବାସ୍ତବରେ ଏହା କୌଣସି ଛାତ୍ରୀ ନୁହେଁ, ସେ ଏକ ରେବୋ । ଏହାକୁ କର୍ଣ୍ଣାଟକର ଜଣେ ଶିକ୍ଷକ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ।

କର୍ଣ୍ଣାଟକ ସିରସି ଗ୍ରାମର ଶିକ୍ଷକ ଅକ୍ଷୟ ମାଶେଲକର । ସେ ଏକ ସୁନ୍ଦର ରୋବୋକୁ ତିଆରି କରିଛନ୍ତି । ଏହାର ନାଁ ରଖିଛନ୍ତି ‘ଶିକ୍ଷା’ । ଗାଁର ଶିକ୍ଷା ପଦ୍ଧତିକୁ ଅଧିକ ମଜାଦାର ଓ ଆଧୁନିକ ତଥା ବୈଜ୍ଞାନିକ ଶୈଳୀର କରିବା ଲାଗି ସେ ଏହି ରୋବୋ ନିର୍ମାଣ କରିଛନ୍ତି । ଅକ୍ଷୟଙ୍କ ପରିବାର ଶିକ୍ଷାଦାନ ସହ ଜଡ଼ିତ ଥିବାରୁ ସେ ବି ଶିକ୍ଷାଦନ କରିବା ଲାଗି ପିଲାଟି ବେଳୁ ନିଷ୍ପତ୍ତି ନେଇଥିଲେ । ଆଉ ବଡ଼ ହେବା ପରେ ସତକୁସତ କଲେଜ୍ ପ୍ରଫେସର ହେଲେ । ଅକ୍ଷୟ ଜାଣନ୍ତି ଗାଁର ଶିକ୍ଷା ପଦ୍ଧତି ବହୁତ ଅନୁନ୍ନତ । ଆଜି ବି ପୁରୁଣା ଶୈଳୀରେ ପଢା ଯାଉଛି । ତେଣୁ କୋଭିଡ଼ ସମୟରେ ମିଳିଥିବା ଅବସର ସମୟକୁ ଗ୍ରାମର ଶିକ୍ଷା ପ୍ରଣାଳୀକୁ ଉନ୍ନତ କରିବାଲାଗି ‘ଶିକ୍ଷା’ ନାମକ ଏହି ରୋବୋ ତିଆରି କଲେ ।

ରୋବୋଟି ଦେଖିବାକୁ ଜଣେ ସ୍କୁଲ ଛାତ୍ରୀ ଭଳି । ଆଉ ଏହା ପିଲାଙ୍କୁ ପଢାଇବାରେ ବେଶ୍ ସକ୍ଷମ । ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସେ ପଢାଉଛି । ଦେଢ ବର୍ଷର ଗବେଷଣା ଓ ପରିଶ୍ରମ ପରେ ଅକ୍ଷୟ ଏହି ରୋବୋ ତିଆରି କରିବାରେ ସଫଳ ହୋଇଛନ୍ତି । ଏଥିପାଇଁ ସେ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ରୋବୋ ‘ଶିକ୍ଷା’ କନ୍ନଡ଼ ଓ ଇଂରାଜୀ ଭାଷାର ରାଇମ୍ ସହ ବିଭିନ୍ନ ଶେପ୍‌ର ନାମ, ଇଂରାଜୀ ଆଲଫାବେଟ୍‌, ଗଣିତର ଗୁଣନ, ହରଣ, ମିଶାଣ, ଫେଡ଼ାଣ, ପଣିକିଆ ଆଦି ପଢାଇପାରୁଛି । ‘ଶିକ୍ଷା’ ୨୫ଟି ସ୍କୁଲକୁ ଯାଇ ପିଲାଙ୍କୁ ପଢାଇସାରିଲାଣି । ପିଲାମାନେ ରୋବୋକୁ ଦେଖି ବହୁତ ଖୁସି ହୋଇ ଯାଆନ୍ତି । ଅକ୍ଷୟ କୁହନ୍ତି, ଶିକ୍ଷାକୁ ନିର୍ମାଣ କରିବା ପଛର କାରଣ କେବଳ ଶ୍ରେଣୀ ଗୃହରେ ଟେକ୍ନଲୋଜି ବ୍ୟବହାର କରିବା ନୁହେଁ ବରଂ ପିଲାଙ୍କୁ ରୋବୋ ତିଆରି ପ୍ରତି ଆକୃଷ୍ଟ କରିବା ଥିଲା ମୋର ଉଦ୍ଦେଶ୍ୟ ।

Leave A Reply

Your email address will not be published.