Latest Odisha News

BREAKING NEWS

୫୦ ବର୍ଷ ହେବ ସୂର୍ଯ୍ୟ କିରଣ ଦେଖି ନ ଥିଲା ଏହି କଇଁଛ

ନୂଆଦିଲ୍ଲୀ: କଇଁଛର ଏକ କରୁଣ କାହାଣୀ ସୋସିଆଲ ମିଡିଆରେ ବେଶ ଆଲୋଡନ ସୃଷ୍ଟି କରିଛି । ଯେଉଁ ଜୀବ ପ୍ରାକୃତିକ ପରିବେଶ ବିନା ଚଳି ପାରେନି ସେ ପୁଣି ୫୦ ବର୍ଷ ହେବ ସୂର୍ଯ୍ୟକିରଣ ଦେଖି ନ ଥିଲା । ଆମେରିକାର ନ୍ୟୁ ଜର୍ସିରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି । ଇଷ୍ଟର୍ଣ୍ଣ ବକ୍ସ ଟର୍ଟଲ ଶ୍ରେଣୀର ଏହି କଇଁଛ ଯାହାର ନାମ ରକଲୀନା ଗୋଟିଏ ଘରେ କୈଦ ହୋଇ ରହିଥିଲା । ୧୯୭୭ରେ ଗୋଟିଏ ଛୋଟ ପିଲା ତାକୁ ଜଙ୍ଗଲରୁ ଧରି ଆଣିଥିଲା । ସେବେଠାରୁ ଏହା ଗୋଟିଏ ଘରେ ବନ୍ଦୀ ଜୀବନ ଯାପନ କରୁଥିଲା । କୌଣସି ସୂତ୍ରରୁ ଖବର ପାଇ ରେସକ୍ୟୁ ଟିମ ରକଲୀନାକୁ ଉଦ୍ଧାର କରିଥିଲେ । ସେତେବେଳକୁ ଏହା ପୂରା ରୋଗୀଣା ହୋଇ ପଡିଥିଲା । ପଛ ପାଦ ସଂକ୍ରମିତ ହୋଇଥିବା ବେଳେ ପିଠ ବଙ୍କା ହୋଇ ଯାଇଥିଲା । ଏହାର ଫଟୋ ଓ ଭିଡିଓ ଅନେକଙ୍କୁ ବ୍ୟଥୀତ କରିଥିଲା ।

ଏବେ ରକଲୀନା ଧୀରେ ଧୀରେ ସୁସ୍ଥ ହେଉଛି । ପ୍ରକୃତ କଇଁଛ ଭଳି ବ୍ୟବହାର କରିବା ସହ ମାଟି ଖୋଳି ଖାଦ୍ୟ ସଂଗ୍ରହ କରୁଛି । ଏହା ତା ପାଇଁ ନୂଆ ଜୀବନ ସଦୃଶ । ତାର ଶରୀରରେ ସୂର୍ଯ୍ୟକିରଣ ପଡିବା ପରେ ସେ ପ୍ରଥମେ ବିଚଳିତ ହୋଇ ପଡିଥିଲା । ପରେ ଅବଶ୍ୟ ଏହାର ମଜା ସେ ଉଠାଇଥିଲା । ରକଲୀନାକୁ ଏବେ ଜଙ୍ଗଲକୁ ପଠା ଯାଇ ପାରିବ ନାହିଁ କିମ୍ବା ଅନ୍ୟ କଇଁଛ ସହ ଛଡା ଯାଇ ପାରିବନି । ଏବେ ସେ ଏକ ଖୋଲା ସ୍ଥାନରେ ସ୍ୱାଧୀନ ଭାବେ ଚଳୁଛି । ଆଗକୁ ମଧ୍ୟ ଏଠାରେ ରହିବ ବୋଲି ରେସକ୍ୟୁ ଟିମର ଜଣେ ସଦସ୍ୟ କହିଛନ୍ତି ।

Comments are closed.