Latest Odisha News

BREAKING NEWS

ଟି୨୦ରେ ରୋହିତ ହାସଲ କଲେ ସର୍ବାଧିକ ଶତକ

ବାଙ୍ଗାଲୋର: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଭାରତର ରୋହିତ ଶର୍ମା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ସେ ପ୍ରଥମ ଖେଳାଳି ଭାବେ ଟି୨୦ରେ ୫ଟି ଶତକ ହାସଲ କରିଛନ୍ତି । ତାଙ୍କ ପଛକୁ ୪ ଶତକ ସହ ଭାରତର ସୂର୍ଯ୍ୟକୁମାର ଯାଦବ ଏବଂ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ରହିଛନ୍ତି । ଏହି ମ୍ୟାଚରେ ଭାରତ ୨୨ ରନରେ ୪ଟି ୱିକେଟ ହରାଇ ବିପଦରେ ପଡିଥିଲା । ରୋହିତ ଓ ରିଙ୍କୁଙ୍କ ପ୍ରଦର୍ଶନ ବଳରେ ଟିମଇଣ୍ଡିଆ ୨୧୩ ରନର ବିଜୟ ଲକ୍ଷ୍ୟ ଆଫଗାନିସ୍ତାନ ସମ୍ମୁଖରେ ରଖିଥିଲା ।

ରୋହିତ ଟି୨୦ରେ ଭାରତର ଅଧିନାୟକ ଭାବେ ସର୍ବାଧିକ ରନ ହାସଲରେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି । କୋହଲି ୫୦ ମ୍ୟାଚରେ ୧୫୭୦ ରନ କରିଥିବା ବେଳେ ରୋହିତ ୫୪ ମୁକାବିଲାରେ ୧୬୪୮ ରନ ସଂଗ୍ରହ କରିଛନ୍ତି । ତେବେ ଓଭରାଲ ଅଷ୍ଟ୍ରେଲିଆର ଆରୋନ ଫିଂଚ ଶୀର୍ଷରେ ରହିଛନ୍ତି । ସେ ୭୬ ମ୍ୟାଚରେ ୨୨୩୬ ରନ କରିଛନ୍ତି ।

ରୋହିତ କ୍ରିକେଟର ୩ଟି ଯାକ ଫର୍ମାଟରେ ପ୍ରଥମ ଖେଳାଳି ଭାବେ ଅତି କମରେ ୫ଶତକ ହାସଲ କରିଛନ୍ତି । ଟି୨୦ କ୍ରିକେଟରେ ସର୍ବାcଧିକ ଛକା ମାରିବାରେ ମଧ୍ୟ ରୋହିତ ଇଂଲଣ୍ଡର ଇଆନ ମୋର୍ଗାନଙ୍କୁ ପଛରେ ପକାଇ ଦେଇଛନ୍ତି । ମୋର୍ଗାନ ୮୬ ଛକା ମାରିଥିବା ବେଳେ ରୋହିତ ତାଙ୍କଠାରୁ ଅଧିକ ୪ ଛକା ମାରି ସାରିଛନ୍ତି । ୮୨ ଛକା ସହ ଫିଂଚ ତୃତୀୟ ସ୍ଥାନରେ ରହିଛନ୍ତି । ରିଙ୍କୁ ସିଂଙ୍କ ସହ ରୋହିତ ୧୯୦ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ସମସ୍ତ ୱିକେଟରେ ଏହା ସର୍ବାଧିକ ପାର୍ଟନରଶିପ ।

ମ୍ୟାଚର ଅନ୍ତିମ ଓଭରରେ ରୋହିତ ଓ ରିଙ୍କୁ ୩୬ ରନ ସଂଗ୍ରହ କରିଥିଲେ । ଟି୨୦ରେ ତୃତୀୟ ଥର ପାଇଁ ଏହି କୀର୍ତିମାନ ସ୍ଥାପନ ହୋଇଛି । ୨୦୦୭ରେ ଯୁବରାଜ ସିଂ ଓ ୨୦୨୧ରେ କିରନ ପୋଲାର୍ଡ ୩୬ ରନ ସଂଗ୍ରହ କରିଥିଲେ । ଅବଶ୍ୟ ରୋହିତ-ରିଙ୍କୁ ୫ଟି ଛକା ଓ ଗୋଟିଏ ଚୌକା ମାରିଥିଲେ । ୧ ରନ ନୋ ବଲରୁ ଓ ଦୌଡିକରି ୧ ରନ କରିଥିଲେ । ଟି୨୦ ଫର୍ମାଟରେ ଭାରତ ପକ୍ଷରୁ ସବୁଠାରୁ ବଡ ଇନିଂସରେ ସେ ୪ର୍ଥ ସ୍ଥାନରେ ରହିଛନ୍ତି । ଶୁଭମନ ଗିଲ(୧୨୬), ରିତୁରାଜ ଗାଏକ୍ୱାଡ(୧୨୩) ଓ ବିରାଟ କୋହଲି(୧୨୨) ତାଙ୍କଠାରୁ ଆଗରେ ରହିଛନ୍ତି ।

Leave A Reply

Your email address will not be published.