Latest Odisha News

BREAKING NEWS

ଜାମୁରୋଳ ଗିଳି ଅକଳରେ ନାଗ ! ଏକ୍ସରେରେ ଜଣାପଡ଼ିଲାନି ହେଲା ଅପରେସନ୍

ଭୁବନେଶ୍ୱର: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପ୍ରହରାଜପୁର ଗ୍ରାମର ବସନ୍ତ ବେହେରାଙ୍କ ବାଡ଼ିରେ ଗତକାଲି ଏକ ନାଗ ସାପ ଦେଖି ସେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରାଙ୍କୁ ଖବର ଦେଇଥିଲେ । ସୁଶାନ୍ତ ୪ ଫୁଟ୍ ଲମ୍ବର ନାଗ ସାପଟିକୁ ଉଦ୍ଧାର କରିବା ବେଳେ ତା ପେଟ ଭିତରେ କିଛି କଠିନ ପଦାର୍ଥ ଥିବାର ଦେଖିବାକୁ ପାଇଥିଲେ ।

କିନ୍ତୁ ସେଇ ପଦାର୍ଥ ଟି କଣ ହେଇଥିବ, ତାହା ସୁଶାନ୍ତ ଙ୍କର କଳ୍ପନା ବାହାରେ ଥିଲା । ସୁଶାନ୍ତ ସାପଟିକୁ ନ ଛାଡ଼ି ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟ ଆଣିଥିଲେ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଗତକାଲି ସନ୍ଧ୍ୟାରେ ଏକ୍ସରେ କରାଇଥିଲେ ହେଲେ ସାପ ପେଟ ଭିତରେ କଣ ଅଛି ତାହା ନିଶ୍ଚିତ ହୋଇ ପାରି ନଥିଲେ ।

ଡେଲାଙ୍ଗ ରେଞ୍ଜ ଅଫିସରଙ୍କ ପରାମର୍ଶ କରିବା ପରେ ଆଜି ଭୁବନେଶ୍ବର ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରି ବିଭାଗକୁ ନାଗ ସାପ ଟିକୁ ନିଆଯାଇଥିଲା । ସେଠାରେ ଭେଟେରିନାରୀ ସର୍ଜରି ବିଭାଗର ପ୍ରଫେସର ଡାକ୍ତର ଇନ୍ଦ୍ରମଣୀ ନାଥ ନାଗ ସାପଟିର ଆହୁରି ଅଧିକ ଥର ଏକ୍ସରେ କରିବା ପରେ ମଧ୍ୟ ସାପ ପେଟ ଭିତରେ କଣ ଅଛି ତାହା ଜଣା ପଡିନଥିଲା । ଶେଷରେ ପେଟ ଭିତରେ ଥିବା କଠିନ ବସ୍ତୁକୁ ବାହାର କରିବା ପାଇଁ ଅପରେସନ କରିବା ପାଇଁ ପ୍ରଫେସର ନାଥ ନିର୍ଣ୍ଣୟ ନେଇଥିଲେ ।

ପ୍ରଥମେ ସାପ ଟିକୁ ନିଶ୍ଚେତକ ଇଂଜେକସନ ଦିଆଯାଇଥିଲା । ସାପଟି ନିସ୍ତେଜ ହେବା ପରେ ପ୍ରଫେସର ନାଥ ଏବଂ ସହକାରୀ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଶଙ୍କର ବେହେରା ସାପର ଅପରେସନ ଆରମ୍ଭ କରିଥିଲେ । ସାପର ଉପର ଚମଡା କାଟି, ଭିତର ମାଂସପେଶୀ କୁ କାଟି, ପେଟ ଭିତରକୁ କାଟି ଦେଖିବା ପରେ ଯେଉଁ ବସ୍ତୁକୁ ଦେଖିଲେ, ପ୍ରଥମେ ତାକୁ କେହି ବି ଚିହ୍ନି ପାରିଲେ ନାହିଁ । ତେବେ, ଯେତେବେଳେ ଡାକ୍ତର ସିଦ୍ଧାର୍ଥ ସମ୍ପୂର୍ଣ୍ଣ ବସ୍ତୁଟିକୁ ବାହାରକୁ ଆଣିଲେ, ସେତେବେଳେ ତାହା ଏକ ଫଳ ବା କୋଳି ବୋଲି ସମସ୍ତେ ନିଶ୍ଚିତ ହୋଇଥିଲେ ମଧ୍ୟ, ପ୍ରକୃତରେ ତାହା କି ଫଳ ବା କୋଳି ତାହା ଠିକ ରେ ଜଣା ପଡୁନଥିଲା ।

ଏହା ପରେ ଯେତେବେଳେ ଡାକ୍ତରୀ ଟିମ ସାପର ପେଟକୁ ସିଲେଇ କରିବା ବେଳେ ଶୁଭେନ୍ଦୁ ସେଇ ଫଳକୁ ହାତରେ ଧରି ଦେଖିବା ବେଳକୁ ତାହା ଏକ (Rose apple) ବା ଜାମୁରୋଳ ଫଳ ବୋଲି ଚିହ୍ନି ପାରିଥିଲେ । ଏହାପରେ ଡାକ୍ତରୀ ଟିମ ର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ପ୍ରଫେସର ନାଥ କହିଛନ୍ତି “ଏହା ନିଶ୍ଚୟ ଭାବରେ ଏକ ବିରଳ ଘଟଣା, ମୋର ୩୦ ବର୍ଷରୁ ଉର୍ଦ୍ଧ ଚାକିରି କାଳ ଭିତରେ ସାପ ଜାମୁରୋଳ ଖାଇବା ଆମେ କେବେ ହେଲେ ଦେଖିନଥିଲୁ ବା ଶୁଣି ମଧ୍ୟ ନାହୁଁ । ଅପରେସନ ପରେ ସାପଟି ସୁସ୍ଥ ଅଛି, ତାକୁ ଆଣ୍ଟିବାୟୋଟିକ ଏବଂ ପେନ-କିଲର ଇଂଜେକସନ ଦିଆଯାଇଛି । ସାପଟିର ଗ୍ୟାଷ୍ଟ୍ରୋ- ଇଣ୍ଟେନଷ୍ଟାଇନାଲ  ଟ୍ରାକ କୁ ସେଇ ଜାମୁରୋଳ ଫଳଟି ଅବରୋଧ କରିଥିଲା । ଯଦି ଆମେ ତାକୁ ଅପରେସନ କରି ବାହାର ନଥାନ୍ତୁ, ସାପଟି କିଛି ଦିନ ପରେ ମରି ଯାଇଥାନ୍ତା” ।

ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ସାପ ମାନେ ଯଦିଓ ମାଂସାଶୀ ପ୍ରାଣୀ, କିନ୍ତୁ ଏଇ କ୍ଷେତ୍ରରେ ଖାଦ୍ୟ ବାରିବାରେ ନିଜର ଭୁଲ ଯୋଗୁଁ ତାର ଏଇ ଅବସ୍ଥା ହୋଇଛି । କୌଣସି ଏକ ମୂଷା ବା ଗୁଣ୍ଡୁଚି ମୂଷା ସେଇ ଜାମୁରୋଳକୁ ଅଳ୍ପ ଖାଇ ବା ଧରି ବା ମୁହଁ ମାରି ଛାଡି ଦେଇଥିବା ଅବସ୍ଥାରେ ତାଙ୍କ ଶରୀରର ଗନ୍ଧ ସେଇ ଫଳରେ ରହିଥିବ । ସେଇ ମୂଷା ବା ଗୁଣ୍ଡୁଚି ମୂଷା ଗନ୍ଧ ଜାମୁରୋଳରୁ ପାଇବା ପରେ ସାପଟି ଭୁଲ ବଶତଃ ତାହାକୁ ନିଜର ଖାଦ୍ୟ ଭାବି ଗିଳିଦେଇଛି । ଆଗରୁ ଅନେକ ଥର ନାଗ ସାପ ଏହି ଭଳି ଅଖାଦ୍ୟ ଖାଇ ମୃତ୍ୟୁ ମୁଖରେ ମଧ୍ୟ ପଡିଛନ୍ତି” ।

ସାପଟିକୁ ଅବଜରଭେସନରେ ରଖାଯାଇଛି । ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଷ୍ଟିଚ ଖୋଲିବା ପରେ ତାହାକୁ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯିବ । ତେବେ, ଗୁଗୁଲରେ ସର୍ଚ କରିବାରୁ ସାରା ପୃଥିବୀରେ କେଉଁଠି ମଧ୍ୟ କୌଣସି ସାପ ଜାମୁରୋଳ ଖାଇବା ଘଟଣା ଆଗରୁ ଘଟି ନଥିବା କଥା ଜଣା ପଡିଛି ।

Leave A Reply

Your email address will not be published.