ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”
ମହାପ୍ରଭୁଙ୍କ ମହାପ୍ରସାଦ ଯେମିତି ମହାନନ୍ଦ, ମହାପ୍ରେମ, ମହାଭାବ, ମହାପବିତ୍ରତାର ସହିତ ମହିମାମୟ, ମହାପ୍ରସାଦ ପ୍ରସ୍ତୁତ ହେଉଥିବା ସ୍ଥାନ ବା ଶ୍ରୀମନ୍ଦିରର ରୋଷଘର ମଧ୍ୟ ସେହିଭଳି ଦିବ୍ୟତାର ପ୍ରତୀକ । ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ଉପବିଷ୍ଟ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅନ୍ୟାନ୍ୟ ନୀତିକାନ୍ତି ସହିତ ଦୈନିକ ଛ’ଥର ଭୋଗ ଅର୍ପଣ କରାଯାଏ । ଏଗୁଡ଼ିକ ହେଲା ୧.ଗୋପାଳ ବଲ୍ଳଭ ଭୋଗ, ୨. ସକାଳ ଧୂପ ୩. ଭୋଗ ମଣ୍ଡପ ୪. ମଧ୍ୟାହ୍ନ ଧୂପ ୫. ସନ୍ଧ୍ୟା ଧୂପ ୬ ବଡ଼ ସିଂହାର ଭୋଗ । ଉପରୋକ୍ତ ଧୂପଗୁଡ଼ିକରେ ବିସ୍ତୃତ ପ୍ରକାରର ବିପୁଳ ପରିମାଣରେ ଭୋଗ ସାମଗ୍ରୀର ଶୃଙ୍ଖଳିତ ପ୍ରସ୍ତୁତି ଶ୍ରୀମନ୍ଦିର ରୋଷଘରେ ସମ୍ପନ୍ନ ହୋଇଥାଏ । ସମୁଦାୟ ଛପନ ପ୍ରକାରର ଭୋଗ
ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥାଏ । ଭକ୍ତଜନଙ୍କ ଭାବାବେଗରେ ଏହାକୁ ‘ ଛପନ ପଉଟି ଭୋଗ’ ବୋଲି କୁହାଯାଏ ।
ଅବସ୍ଥିତି :- ଶ୍ରୀମନ୍ଦିର ପରିସରରେ ବାଇଶି ପାହାଚର ଦକ୍ଷିଣ ପାଶ୍ୱର୍ରେ, ଆଗ୍ନେୟ କୋଣରେ ନକ୍ସା ଅନୁସାରେ ୨୦୫ ନଂ ପ୍ଲଟ୍ରେ ରୋଷଘର ଅବସ୍ଥିିତ । ପୂର୍ବେ ଏହା କ୍ଷୁଦ୍ରାକାରରେ ଚାରିଗୋଟି ଘର ରହିଥିଲା । ଏହାକୁ ମେର୍ଦା ରୋଷେଇ ଘର କୁହାଯାଏ । ଏବେ ଯେଉଁ ରୋଷେଇଘର ଆମେ ଦେଖୁଛେ ତାହା ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ବିକଶିତ ହେଇଅଛି । ଏହାର ଆକାର ପ୍ର୍ରାୟ ୮୦ ଫୁଟ ଓସାର ୧୦୦ ଫୁଟ ଲମ୍ବ । ରୋଷଘର ପରିସରରେ ରନ୍ଧନ କାର୍ଯ୍ୟରେ ଆବଶ୍ୟକୀୟ ଜଳର ବ୍ୟବହାର ପାଇଁ ଗଙ୍ଗା ଓ ଯମୁନା ନାମରେ ଦୁଇ ଗୋଟି ପ୍ରଶସ୍ତ କୂଅ ରହିଛି । କୂଅ ଦୁଇଟିର ବ୍ୟାସ ହାରାହାରି ୨୦ ଫୁଟ ଓ ଗଭୀର ପ୍ରାୟ ତିରିଶ ଫୁଟ ହେବ । ଏବେ ଭୂଗର୍ଭର ଜଳସ୍ତର କମିବାରୁ ଏବଂ ରୋଷଘର ଭୋଗ ପରିମାଣ ବଢ଼ିଯିବାରୁ ଏହି କୂଅ ପର୍ଯ୍ୟାପ୍ତ ଜଳ ଯୋଗାଇ ପାରୁନାହିଁ । ଏଣୁ ପ୍ରଶାସନ ପକ୍ଷରୁ ବିହିତ ବ୍ୟବସ୍ଥା କରାଯାଇଛି । ଭୋଗ ପ୍ରସ୍ତୁତ ହେବା ପରେ ରତ୍ନସିଂହାସନ ନିକଟସ୍ଥ ପୋଖରିଆ ବା ଭୋଗ ମଣ୍ଡପ ପର୍ଯ୍ୟନ୍ତ ବୁହାହେବା ପାଇଁ ସ୍ୱତନ୍ତ୍ର ରାସ୍ତା ରହିଅଛି । ରୋଷ ଭିତରେ ଚୁଲିଗୁଡ଼ିକ ପାଖ ଦେଇ ରହିଥିବା ନଳା ସାହାଯ୍ୟରେ ପେଜ ଇତ୍ୟାଦିର ନିଷ୍କାସନ ପାଇଁ ଦକ୍ଷିଣ ପାଶ୍ୱର୍ରେ କୁଣ୍ଡ ରହିଅଛି । ଏହି କୁଣ୍ଡରେ ମୁହଁ ପୁରାଇ ଗାଈଗୋରୁ ଖାଇବା ପରେ ଏହି ପେଜ ଶୁଦ୍ଧିକରଣ ପାଇଁ ଯାନ୍ତ୍ରିକ ବ୍ୟବସ୍ଥା କରାଯାଇଛି । ବହୁଳ ଭାବେ ବ୍ୟବହାର କାରଣରୁ ଏହି ଉଚ୍ଚଛାତ ବିଶିଷ୍ଟ ପ୍ରକାଣ୍ଡ ଗୃହର ଆବଶ୍ୟକୀୟ ମରାମତି କାର୍ଯ୍ୟ କେବଳ ଶ୍ରୀଗୁଣ୍ଡିଚା ଯାତ୍ରା ଅବଧିରେ ସମ୍ପନ୍ନ କରାଯାଇଥାଏ । ଅନ୍ୟ ସମୟରେ ସେବକମାନଙ୍କ ବ୍ୟତୀତ ଅନ୍ୟ କାହାରିକୁ ରୋଷ ପରିସରକୁ ପ୍ରବେଶ ଅନୁମତି ନଥାଏ ।
ରୋଷଘରକୁ ଯିବାପାଇଁ ତିନିପାଶ୍ୱର୍ରୁ ବାଟଥିବା ଜଣାଯାଏ । ପ୍ରଥମେ ବାଇଶି ପାହାଚ ଉପରୁ ଏକ ରାସ୍ତା ଥିଲା ବେଳେ ଦକ୍ଷିଣ ଦୁଆର ପଟୁ ସେବକମାନଙ୍କ ପାଇଁ ରନ୍ଧନ ସାମଗ୍ରୀ ସହିତ ଯିବାପାଇଁ ସୁବିଧା ରହିଛି । ଏହି ପାଖରେ ରୋଷ ଯୋଗାଣିଆମାନେ ସେମାନଙ୍କ କାମ କରିବା ପାଇଁ ସୁବିଧା ରହିଛି । ତୃତୀୟରେ ଛେକ ବୁହାହେବା ପାଇଁ ସ୍ୱତନ୍ତ୍ର ରାସ୍ତା ଆସି ଅଗ୍ନିଶ୍ୱର ମହାଦେବଙ୍କ ମନ୍ଦିର ତଥା ଭୋଗ ମଣ୍ଡପ ପାଶ୍ୱର୍ ଦେଇଯାଇଛି । ରୋଷଘର ନିକଟରେ ଏକ ଗଣେଶ ବିଗ୍ରହ ପୂଜା ପାଉଛନ୍ତି ।
ରୋଷାଗ୍ନି :- ମହାପ୍ରଭୁଙ୍କ ରୋଷରେ ବ୍ୟବହୃତ ଅଗ୍ନି, ବୈଷ୍ମବାଗ୍ନି, ଏହା ଅନିର୍ବାପିତ । ସନ୍ଧ୍ୟାଧୂପ ଓ ବଡ଼ସିଂହାର ଭୋଗ ଶେଷରେ ରନ୍ଧା ଯିବା ପରେ ସେହି ଚୁଲିରେ ରଡ଼ ଆକାରରେ ଅଗ୍ନି ରହିଥାଏ । ପରଦିନ ସକାଳେ ରୋଷହୋମ ସରିବା ପରେ ସେହି ହୋମର ଅଗ୍ନିଯାଇ ଚୁଲିରେ ନିକ୍ଷେପ କରାଯାଇ ରନ୍ଧନ କାର୍ଯ୍ୟ ଆରମ୍ଭ ହୋଇଥାଏ । ସନ୍ଧ୍ୟା ଧୂପ ଛେକ ସମ୍ପୂର୍ଣ୍ଣ ହେବା ପରେ ଧୋପପଖାଳ ସେବକଙ୍କ କାମ ଆରମ୍ଭ ହୁଏ । ରୋଷଘର ପରିସରରେ ପଡ଼ିଥିବା ସଙ୍ଖୁଡ଼ି, ପେଜ ଇତ୍ୟାଦି ସେମାନେ ଧୋଇ ସଫା କରନ୍ତି । ପରଦିନ ପ୍ରତ୍ୟୁଷରେ ପ୍ରଥମେ ରୋଷ ପାଇକ ସମଗ୍ର ରୋଷଘର ବୁଲି ତଦାରଖ କରନ୍ତି ଓ ପରିଚ୍ଛନ୍ନତା ବିଷୟରେ ପାଳିଆ ମହାସୁଆରଙ୍କୁ ଜଣାନ୍ତି । ପୂର୍ବଦିନ ରନ୍ଧନ ସାମଗ୍ରୀ କେଉଁଠ ବି ସାମାନ୍ୟ ପଡ଼ିଥିଲେ ତାହା ତ୍ରୁଟି ବୋଲି ଧରାଯାଏ । ତା’ପରେ ରୋଷପାଣି ପଡ଼ିଥାଏ । ପାଳିଆ ମହାସୁଆରଙ୍କ ଅନୁମତି କ୍ରମେ ପୂଜାପଣ୍ଡା ରୋଷଘର ଭିତରେ ହୋମ ଆରମ୍ଭ କରନ୍ତି । ହୋମ ପାଇଁ ଆବଶ୍ୟକୀୟ କାଠ ଓ ଘିଅ
ଆଦି ସାମଗ୍ରୀ ଲେଙ୍କା ସେବକ ଆଣି ଯୋଗାଇଦିଅନ୍ତି । ଧୋପଖାଳିଆ ଚୁଲିରୁ ନିଆଁ ଆଣି ହୋମ କରିବାକୁ ଦେଇଥାଆନ୍ତି । ଶ୍ରୀମନ୍ଦିର ରୋଷଘରେ ଦିଆସିଲିର ବ୍ୟବହାର ହୁଏନାହିଁ । ପ୍ରତ୍ୟୁଷରେ ପୂଜାପଣ୍ଡାଙ୍କ ଦ୍ୱାରା ରୋଷହୋମ ମାଧ୍ୟମରେ ବୈଷ୍ଣବାଗ୍ନି ସଂସ୍କାରିତ ହୋଇ ଅହିଆ ବା ଚୁଲିରେ ପତିତ ହେବା ପରେ ରୋଷଘର ଚଳଚଞ୍ଚଳ ହେଇଉଠେ । ସମ୍ପୃକ୍ତ ସେବକମାନେ ନିଜ ନିଜ ସେବାରେ ବ୍ୟସ୍ତ ହେଇପଡ଼ନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ବେଳେ ରୋଷଘର ଚୁଲି ଜଳେ ନାହିଁ ସେତେବେଳେ ଗୁଣ୍ଡିଚା ମନ୍ଦିର ରୋଷଘର ଚଳଚଞ୍ଚଳ ହୋଇଉଠେ । ଯାତ୍ରା ଶେଷରେ ନିଳାଦ୍ରି ବିଜେ ପରଦିନ ପୁଣି ଶ୍ରୀମନ୍ଦିର ସିଂହଦ୍ୱାର ପାଶ୍ୱର୍ରେ ଥିବା ବଡ଼ ଅଖଡ଼ା ମଠର ଅଖଣ୍ଡ ଅନଳରୁ ଅଗ୍ନି ଆସି ନୀତି ଅନୁସାରେ ରୋଷକାର୍ଯ୍ୟ ଆରମ୍ଭ କରାଯାଏ ।
ରୋଷ ଚୁଲି :- ରୋଷଘରେ ସମୁଦାୟ ୨୪୦ ଗୋଟି ଚୁଲି ରହିଅଛି । ଏ ଚୁଲି ତିନି ପ୍ରକାରର :-
୧. ଅହିଆ :- ଇଟାରେ ମାଟି ଯୋଡ଼େଇ ହେଇ ଆୟତାକାର କ୍ଷେତ୍ରରେ ପ୍ରାୟ ୩ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଚୁଲିରେ ଏକାସାଙ୍ଗରେ ଧାଡ଼ି ହେଇ ତିନିଗୋଟି ହାଣ୍ଡି ବସିପାରେ । ଏହି ଚୁଲିରେ ସାମନା ଭାଗରେ ଜାଳେଣି କାଠ ଭରିବା ପାଇଁ ଓ ଅଙ୍ଗାର ବାହାର କରିବା ପାଇଁ ପୃଥକ ବାଟ ରହିଥାଏ ।
୨. ନଅ ପାଖୁଡ଼ା ବିଶିଷ୍ଟ ଚୁଲି :- ଜାଳେଣିର ଉତ୍ତାପରୁ ସମ୍ପୂର୍ଣ୍ଣ ବିନିଯୋଗ କରାଯାଇ ଏକ ସଙ୍ଗେ ନଅଗୋଟି କୁଡ଼ୁଆରେ ରନ୍ଧାଯିବା ଏହି
ପ୍ରକାର ଚୁଲିର ବୈଚିତ୍ର । ଷଟକୋଣଯୁକ୍ତ ଏହି ଚୁଲିରେ ଛଅ ଗୋଟି ଝିଙ୍କା ରହିଥାଏ । ଏହାକୁ ‘ଷଡ଼କୋଣିୟ ଅଗ୍ନିଯନ୍ତ୍ର’ କୁହାଯାଏ । ଛଅଗୋଟି ଅଗ୍ନିନିର୍ବାପକ ଫାଙ୍କ ମଧ୍ୟରୁ କେନ୍ଦ୍ରରେ ଗୋଟିଏ ବଡ଼ କୁଡ଼ୁଆ ବସିବା ପରେ ଅନ୍ୟ ଚାରୋଟି ପ୍ରତ୍ୟେକରେ ଦୁଇଟି କରି ଅପେକ୍ଷାକୃତ ଛୋଟ କୁଡ଼ୁଆରେ ଏକ ସମୟରେ ରନ୍ଧନ କ୍ରିୟା ସମାପନ ହୋଇଥାଏ । ଗୋଟିଏ ମୁହଁ ସାହାଯ୍ୟରେ ଜାଳେଣି ବ୍ୟବହାର କରାଯାଏ । ଏହାପରେ ଆବଶ୍ୟକ ସ୍ଥଳେ ଆଉ ନଅଗୋଟି କୁଡ଼ୁଆ ଅଥବା ତା’ଠାରୁ କମ୍ ସଂଖ୍ୟକ କୁଡ଼ୁଆ ବସି ପୁଣି ରନ୍ଧାଯାଏ ।
୩. ପିଠା ଚୁଲି :- ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରିବା ପାଇଁ ସାଧାରଣ ଚୁଲିର ବ୍ୟବହାର ହେଇଥାଏ । ରୋଷଘରେ ରହିଥିବା ୨୪୦ଗୋଟି ଚୁଲିକୁ ଦଶଗୋଟି ବିଭାଗରେ ବିଭକ୍ତ କରାଯାଇଛି । ସେଥିରେ କୋଠଭୋଗ, ପିଠା ପ୍ରସ୍ତୁତି, ସଙ୍ଖୁଡ଼ି ରନ୍ଧନ ତଥା
ବିଭିନ୍ନ ମଠର ମାଲିକାନାରେ ଚୁଲିସବୁ ରହିଅଛି । ବିଭିନ୍ନ ମଠ ନାମରେ ଥିବା ଚୁଲିସବୁ ଅଧିକୃତ ସୁଆରମାନଙ୍କ ଦ୍ୱାରା ବ୍ୟବହୃତ ହୋଇଥାଏ । ସେମାନେ ମଠର ବରାଦ ମୁତାବକ ଭୋଗ ପ୍ରସ୍ତୁତ କରି ଯୋଗାଇ ଥାଆନ୍ତି । ଚୁଲିର ମାଲିକାନା ବିକ୍ରି ଖର୍ଦ୍ଦି ବା ବନ୍ଧକ ସୂତ୍ରରେ ହସ୍ତାନ୍ତର ହୋଇପାରେ । ଚୁଲିଗୁଡ଼ିକର ଅଧିକାର ସ୍ୱତ୍ତ୍ୱ ପ୍ରଶାସନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ମାଲିକାନା ଦ୍ୱନ୍ଦ୍ୱ ଅଦାଳତି ମାମଲାରେ ବହୁଦିନ ଚାଲି ଫଇସଲା ହେବା ନଜିର ଅଛି । ଚୁଲିଗୁଡ଼ିକ ସୁଆର ସେବକଙ୍କ ଆୟର ପ୍ରମୁଖ ଉତ୍ସ ହେଇଥିବାରୁ ଏହା ଯୌତୁକ ଆକାରରେ ମଧ୍ୟ ପ୍ରଦାନ କରାଯାଇପାରେ
ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁସାରେ ଓଡ଼ିଆ ମଠ, ଏମାର ମଠ, ଶ୍ରୀରାମ ଦାସ ମଠ, ଉତ୍ତରପାଶ୍ୱର୍ ମଠ, ରାଘବଦାସ ମଠ, ତ୍ରିମାଳି ମଠ, ଜଗନ୍ନାଥ ବଲ୍ଲଭ ମଠ, ପଞ୍ଜାବୀ ମଠ, ଶଙ୍କରାନନ୍ଦ ମଠ, ଗଙ୍ଗାମାତା ମଠ, ଲକ୍ଷ୍ମୀଭଦ୍ର ମଠ, ବଡ଼ସନ୍ଥ ମଠ, ବଉଳ ମଠ, ରାଧାକାନ୍ତ
ମଠ, ବଡ଼ଝାଡ଼ୁ ମଠ, ଆଚାରୀ ମଠ, ମହୀପ୍ରକାଶ ମଠ, ଖଜୁରିଆ ମଠ ଓ ହରିଡ଼ା ଖଣ୍ଡି ମଠ ପ୍ରଭୃତି ନାମରେ ରେକର୍ଡ଼ ଥିବାବେଳେ ବିଭିନ୍ନ ସୁଆରମାନେ ଭଡ଼ାସୂତ୍ରେ ବା ମଠର ଅଧିକାର ପ୍ରାପ୍ତ ହୋଇ ବ୍ୟବହାର କରୁଛନ୍ତି । ଏହା ବ୍ୟତୀତ ଚକ୍ରକୋଟ, ନୀଳକଣ୍ଠେଶ୍ୱର ମହାଦେବ, ଭିଙ୍ଗାରପୁର ଷ୍ଟେଟ ପ୍ରଭୃତିଙ୍କ ନାମରେ ମଧ୍ୟ କେତେଗୋଟି ଚୁଲି ରହିଥିବାର ଜଣାଯାଏ ।
ପାକ କାର୍ଯ୍ୟର ନିୟମ :- ଶୌଚ ଓ ସୂଚୀ ରକ୍ଷା ହେଉଛି ପାକଶାଳାର ପ୍ରଧାନ ନିୟମ । ରନ୍ଧନ ସାମଗ୍ରୀ ଅମୁଣିଆ ଭାବରେ ରୋଷ ଭିତରକୁ ନିଆଯିବାଠାରୁ ରନ୍ଧନାନ୍ତେ ଛେକ ବୁହାଯିବା ପର୍ଯ୍ୟନ୍ତ ଏହି ନିୟମ ପାଳନ କରାଯାଏ । ସୁଆରମାନେ ସ୍ନାନ ଶୌଚାଦି କର୍ମସାରି ଶୁଦ୍ଧ ପଇତା ଧାରଣ କରି ରୋଷଘର ଭିତରକୁ ପ୍ରବେଶ କରିଥାଆନ୍ତି । ରୋଷେଇ ସମୟରେ ମୁହଁରେ ଗାମୁଛା ଗୁଡ଼ାଇ ରଖିଥାଆନ୍ତି ।
ଏହାକୁ ‘ବାଘମୁହାଁ’ ବା ‘ମୁହାଁପାରିବା’ ବୋଲି କୁହାଯାଏ । କଥାବାର୍ତ୍ତା ସମୟରେ ପାଟିରୁ ଛେପ ପଡ଼ିନଯିବା ଓ ପାକ ଦ୍ରବ୍ୟର ସୁଗନ୍ଧ ଆଘ୍ରାଣ କରିନପାରିବା ପାଇଁ ଏହି ବ୍ୟବସ୍ଥା ରହିଛି । ଭୋଗରେ ଯେପରି ଝାଳ ପଡ଼ିନଯାଏ ସେଥିପ୍ରତି ସତର୍କ ଦୃଷ୍ଟି ଦିଆଯାଏ । କୌଣସି ପ୍ରକାର ସାମାନ୍ୟ ତ୍ରୁଟି ବିଚ୍ୟୁତି ପାଇଁ ଭୋଗ ମାରା ହେବାର ସମ୍ଭାବନା ରହିଥାଏ ।
ରନ୍ଧନ ଉପକରଣ ଓ କୌଶଳ :- ସାଧାରଣତଃ ରନ୍ଧନ ପାଇଁ ଆବଶ୍ୟକ ପନିକି, କଟୁରି, କୋରଣା, ଶିଳ ଘୋରଣା, ପିଠା ପ୍ରସ୍ତୁତ ପାଇଁ କଡ଼େଇ, ତଇ, ଜାଲିଚଟୁ, ପିଠା ଖଡ଼ିକା ଆଦି ରହିଥାଏ । ସଙ୍ଖୁଡ଼ି ରନ୍ଧନ ପାଇଁ କେବଳ ନାଲି ରଙ୍ଗର କୁଡ଼ୁଆ ବ୍ୟବହାର ହୋଇଥାଏ । ଚୁଲିରେ କୁଡ଼ୁଆ ବସାଇବା ଓ ରନ୍ଧନ ସରିବା ପରେ ଓହ୍ଳାଇବା କାର୍ଯ୍ୟ ଏକ ବାଉଁଶ କାଠିରେ ଲାଗିଥିବା କତା ଦଉଡ଼ିର ଏକ ଫାସ ସାହାଯ୍ୟରେ ଅତ୍ୟନ୍ତ କୌଶଳର ସହିତ ସମ୍ପନ୍ନ ହୋଇଥାଏ । କୁଡ଼ୁଆର ଫଙ୍ଗରେ ଏହି ଫାସ ଦେଇ ରୋଷେଇ କରିବା କୌଶଳ ମହାପ୍ରସାଦ ରନ୍ଧନ କୌଶଳର ବୈଚିତ୍ରମୟ ଦିଗ । ରନ୍ଧନ ସମୟରେ ଘାଣ୍ଟିବା ଓ ଫୁଟଣ ଇତ୍ୟାଦି ପାଇଁ ଲୁହା ଡଙ୍କିର ଆବଶ୍ୟକତା ରହିଥାଏ ।
ରନ୍ଧନପାତ୍ର ଭାବରେ ବ୍ୟବହୃତ ନାଲି କୁଡ଼ୁଆ ସବୁ ନିର୍ଦ୍ଦିଷ୍ଟ ଆକାରର ପ୍ରସ୍ତୁତ ହୋଇଥାଏ । ଏଗୁଡ଼ିକୁ କୁମ୍ଭାର ସେବକମାନେ ଅନେକ ନିୟମମାନି ନିଷ୍ଠାର ସହ ପ୍ରସ୍ତୁତ କରିଥାଆନ୍ତି । ବନମାଟିକୁ ଭଲ ଭାବେ ସଫା କରି କାମ କରାଯାଏ । ସେଥିରେ ନଖ, କେଶ, କୃମି, ସିପ, ଶାମୁକା ଆଦି ରହିଥିଲେ ପାତ୍ର ଅଯୋଗ୍ୟ ହୋଇଥାଏ । ସୁଆରମାନେ ଅନେକ ପରିମାଣର ହାଣ୍ଡି କୁଡ଼ୁଆ ଆଦି ସଂଗ୍ରହ କରି ଗଚ୍ଛିତ ରଖିଥାଆନ୍ତି । କେତେଜଣଙ୍କ ପାଇଁ ଭୋଗ କେଉଁ ଆକାରର ହାଣ୍ଡିରେ ସଠିକ୍ ହେବ ତାହା ତାଙ୍କ ତୁଣ୍ଡରେ ରହିଥାଏ । ଏକ ସଙ୍ଗେ ହଜାର ହଜାର ଲୋକଙ୍କ ପାଇଁ ଭୋଗ ପ୍ରସ୍ତୁତି ଯୋଜନା ମଧ୍ୟ ମୁହେଁ ମୁହେଁ କରାଯାଇପାରେ । ରୋଷ ସହିତ ସମସ୍ତ ସେବକ ପାରସ୍ପରିକ ସହଯୋଗ ଭିତ୍ତିରେ କାମ କରିଥାଆନ୍ତି ।
ପ୍ରଥମେ ଆରମ୍ଭ ହୁଏ ଯୋଗାଣିଆମାନଙ୍କ କାମ । ରୋଷେଇ ପାଇଁ ସଠିକ୍ ଯୋଗାଡ଼ ଗୁରୁତ୍ୱପୂର୍ଣ୍ଣ । ନଡ଼ିଆ କୋରା, ପରିବାକଟା, ମସଲାବଟା ଆଦି କାମ ଅଣସେବକମାନଙ୍କ ଦ୍ୱାରା କରାଯାଇଥାଏ । ଏଥିରେ ପାଣି ବ୍ୟବହାର କରାଯାଏ ନାହିଁ । ପୂର୍ବ ବରାଦ ଅନୁସାରେ ନିର୍ଦ୍ଦିଷ୍ଟ ଆକାରର ହାଣ୍ଡି କୁଡ଼ୁଆରେ ଆବଶ୍ୟକୀୟ ପରିମାଣର ପରିବା, ମସଲା, କୋରାନଡ଼ିଆ ଆଦି ସଜାଡ଼ି ଏହି ଯୋଗାଣିଆମାନେ ସୁଆରଙ୍କୁ ସଠିକ୍ ସମୟରେ ଯୋଗାଇ ଦେଇଥାନ୍ତି । ସୁଆର ନିଜ ପାଇଁ ଉଦ୍ଦିଷ୍ଟ ଚୁୁଲିରେ ସମସ୍ତ ନିୟମ ମାନି ପାକକାର୍ଯ୍ୟ ସମ୍ପନ୍ନ କରିଥାଆନ୍ତି । ପ୍ରତିହାରୀ ସେବକ ନୀତି ଅନୁସାରେ ଭୋଗ ଡାକିଗଲେ ଛେକ ବୁହା ଆରମ୍ଭ ହୁଏ । ମୁହଁରେ ତୁଣ୍ଡି ବାନ୍ଧି ସୁଆରମାନେ ଶକ୍ତ ବାଉଁଶରେ ଦୁଇ ପଟେ ଥିବା ବାହୁଙ୍ଗିରେ ଭୋଗ କୁଡ଼ୁଆ ସବୁ ଥାକ କରି କାନ୍ଧରେ ବୋହି ନେଇଯାଆନ୍ତି । ରୋଷଘରେ ବହୁ ସଂଖ୍ୟକ ଚୁଲିରେ ବିପୁଳ ପରିମାଣର କାଠ ଏକ ସଙ୍ଗେ ଜଳିବାଜନିତ ଉଚ୍ଚ ତାପମାନରେ ଅନେକ ସମୟ ଧରି ରହି ରନ୍ଧନ କାର୍ଯ୍ୟ କରିବା କେବଳ ମହାପ୍ରଭୁଙ୍କଠାରେ ସମର୍ପଣ ଭାବ ରଖିବା ଦ୍ୱାରା ସମ୍ଭବ ହେଇଥାଏ । ସେଇଭଳି ଭୋଗ ସବୁ ନେଇ ପୂଜା ଉଦ୍ଦେଶ୍ୟରେ ଛେକରେ ବୋହି ନେବା ମଧ୍ୟ ବହୁଳ ଶ୍ରମ ଓ ନିଷ୍ଠା ସାପେକ୍ଷ ।
ସେବା ଓ ସେବକ :- ରୋଷଘରେ ବିଶେଷତଃ ସୁଆର ଓ ମହାସୁଆର ବର୍ଗର ସେବକ ସମ୍ପୃକ୍ତ ରହିଥାଆନ୍ତି । ଏହି ଦୁଇ ସାଜ୍ଞା ବ୍ୟତିତ ଏମାନେ ପଣ୍ଡା, ପଢିହାରୀ, ସୁବୁଦ୍ଧି, ସାନ୍ତରା, ଦାସ, ଦୀକ୍ଷିତ, ମହାପାତ୍ର, ମୁଦୁଲି, ପାଢୀ, ଇତ୍ୟାଦି ବୋଲାଇଥାଆନ୍ତି । ଏହା ଶାଢ଼ିବନ୍ଧା ସେବା ନୁହେଁ । ଏହି ସେବା ପାଇଁ ସନନ୍ଦ ନାହିଁ । କୌଳିକ ବିଧିରେ ବାରବର୍ଷ ବୟସ ହେଲେ ଏମାନେ ସେବା ପାଇଁ ଯୋଗ୍ୟ ହୁଅନ୍ତି । ବ୍ରତୋପନୟନ ପରେ ସ୍ନାନ ପୂର୍ଣ୍ଣିମାରେ ଛେକ ନେଇ ନିଯୋଗରେ ଭଗାରି ହୁଅନ୍ତି । ଏହି ସେବା ବଂଶାନୁକ୍ରମିକ । ଯୋଗ୍ୟତା ବଳରେ ପନ୍ତୀ ବାଢ଼ିଲେ ସେବକ ଭାବରେ ନିଯୁକ୍ତି ତଥା ଖେଇ ପାଆନ୍ତି । କୋଠଭୋଗ ସୁଆର ଭାବରେ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରାପ୍ତ ହୁଅନ୍ତି ।
ରୋଷ ସେବକମାନଙ୍କୁ ପଚିଶଗୋଟି ବର୍ଗରେ ବିଭକ୍ତ କରାଯାଇଛି । ସେଥିମଧ୍ୟରୁ ପାଳିଆ ମହାସୁଆର ମୁଖ୍ୟ ଭାବରେ ରୋଷ ପରିଚ୍ଛନ୍ନତାଠାରୁ ଆରମ୍ଭ କରି ଭୋଗର ମାନ ବଜାୟ ରହିବା , ପ୍ରଥମେ ଭୋଗ ବାଢ଼ିବା , ଭୋଗ ସମୟରେ ଉପସ୍ଥିତ ରହିବା ପର୍ଯ୍ୟନ୍ତ ଅନେକ ଦାୟିତ୍ୱ ଏହାଙ୍କ ଉପରେ ନ୍ୟସ୍ତଥାଏ । ତାଙ୍କ ପଛକୁ ପିଠାସୁଆର, ବିଣ୍ଡୁଆ, ଚଣାପୁଆ, ପାଗୁଆ, ତୋଳାବଡ଼ୁ , ତୁ’ଣ ସୁଆର, ଅମାଲୁ ସୁଆର, ପନ୍ତି ବଡ଼ୁ, ବେହେରା ପନ୍ତିବଡ଼ୁ, ଚନ୍ଦ୍ରକାନ୍ତି ମହାସୁଆର, ରୋଷପାଇକ ବିରିବୁହା, ପ୍ରଭୃତି ନାମକରଣଅନୁସାରେ ରହି ନିଜ ନିଜ ସେବା ସମ୍ପନ୍ନ କରନ୍ତି । ଏହା ଛଡ଼ା ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଦେଉଳ ଯଥା ମହାଲକ୍ଷ୍ମୀ ମନ୍ଦିର, ସୂର୍ଯ୍ୟ ମନ୍ଦିର ଆଦିରେ କେବଳ ପିଠା ଭୋଗ ପ୍ରସ୍ତୁତି ପାଇଁ ପାଞ୍ଚ ପ୍ରକାରର ସୁଆର ନିଯୁକ୍ତ ଅଛନ୍ତି । ଆହୁରି କୋଠଭୋଗ ପାଇଁ ଯୋଗାଣିଆ, ପାଣିଆ, ହାଣ୍ଡି ଯୋଗାଣିଆ, ଧୋପଖାଳ, ଜଗିଆ ମହାସୁଆର ଓ ବଲ୍ଲଭ ଯୋଗାଣିଆ ପ୍ରଭୃତି ସେବକଙ୍କ ସହଯୋଗ ମଧ୍ୟ ରହିଥାଏ । ମହାପ୍ରଭୁଙ୍କ ରୋଷ ସହିତ ସମ୍ପୃକ୍ତ ସମସ୍ତ ସେବକଙ୍କ ନିଷ୍ଠାପର ସେବା ମନୋବୃତ୍ତି ସକାଶେ ମହାପ୍ରସାଦର ପବିତ୍ରତା ଅକ୍ଷୁର୍ଣ୍ଣ ରହିଛି । ଜୟ ଜଗନ୍ନାଥ
( ପ୍ରଦତ୍ତ ଚୁଲିର ଫୋଟୋ ରୋଷଘର ଚୁଲିର ଅବିକଳ ନକଲ ନୁହେଁ, ଆଂଶିକ ପ୍ରତିକୃତି ମାତ୍ର । )
କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯
Comments are closed.