Latest Odisha News

ବିରଳ ‘Oh+ve’ ଗ୍ରୁପର ରକ୍ତ ଦେଇ ଦେବଦୂତ ସାଜିଲେ ରାଉରକେଲାର ରଜତ

ଅନୁଗୋଳ: ରକ୍ତ ସମ୍ପର୍କ ନାହିଁ । କିନ୍ତୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ । ରାଉରକେଲାରୁ ଆସିଲେ ଅନୁଗୋଳ । ଜଣେ ଗର୍ଭବତୀଙ୍କୁ ବିରଳ ଗ୍ରୁପର ରକ୍ତ ଦେଇ ଦେବଦୂତ ସାଜିଛନ୍ତି ରାଉରକେଲାର ରଜତ ଏକ୍କା । ତାଙ୍କର ମହାନତା ଓ ପରୋପକାରକୁ ନେଇ ଏବେ ଅନୁଗୋଳ ସହରରେ ଭାରି ଚର୍ଚ୍ଚା ।

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍‌ ସରାଙ୍ଗ ଗାଁର ମୁନା ବେହେରାଙ୍କ ସ୍ତ୍ରୀ ପ୍ରମିଳା ବେହେରା ୯ ମାସର ଗର୍ଭବତୀ । ୨୦ ତାରିଖ ଦିନ ରକ୍ତ ପରୀକ୍ଷା ବେଳେ ତାଙ୍କର ହିମୋଗ୍ଲୋବିନ୍ ପରିମାଣ ୬ ପ୍ରତିଶତକୁ ଖସିଥିବା ଜଣାପଡ଼ିଥିଲା । ତୁରନ୍ତ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ପରୀକ୍ଷା ବେଳେ ଜଣାପଡ଼ିଲା ପ୍ରମିଳାଙ୍କର ବ୍ଲଡ ଗ୍ରୁପ୍ ହେଉଛି ‘Oh+ve’(ବମ୍ବେ ଫେନୋଟାଇପ୍) । ଯାହାକି ଏକ ବିରଳ ଗ୍ରୁପ୍‌ର ରକ୍ତ ।

ଲକ୍ଷେ ଲୋକଙ୍କ ଭିତରେ ପ୍ରାୟ ୪ ଜଣଙ୍କଠାରେ ଏହି ଗ୍ରୁପ୍‌ର ରକ୍ତ ଥିବା ଦେଖିବାକୁ ମିଳିଥାଏ । ପ୍ରମିଳାଙ୍କୁ ଏଭଳି ଏକ ବ୍ଲଡ ଗ୍ରୁପର ରକ୍ତ ଆବଶ୍ୟକତା ଥିବା ଜାଣିବା ପରେ ଚିନ୍ତାପେ ପଡ଼ିଯାଇଥିଲେ ପରିବାର ଲୋକ । ବହୁ ଚେଷ୍ଟ ସତ୍ତ୍ୱେ ଏହି ଗ୍ରୁପର ରକ୍ତଦାତାଙ୍କର କୌଣସି ସନ୍ଧାନ ମିଳି ନଥିଲା ।

ପ୍ରମିଳାଙ୍କ ଦିଅର ନରେଶ ବେହେରା ଅନୁଗୁଳ ରକ୍ତଭଣ୍ଡାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ । ଜିଲ୍ଲାର ଜଣେ ରକ୍ତଦାତା ପୂର୍ବରୁ ବିଭିନ୍ନ ସ୍ଥାନରେ ଏହି ବିରଳ ରକ୍ତଦାନ କରିଥିବା ରାଉରକେଲାର ରଜତ ଏକ୍କାଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ରଜତ ଗତକାଲି ଅନୁଗୁଳରେ ପହଞ୍ଚିଥିଲେ ରଜତ ।

ଅନୁଗୋଳ ରକ୍ତଭଣ୍ଡାରରେ ରକ୍ତଦାନ କରିଥିଲେ । ବମ୍ବେ ଫେନୋଟାଇପ୍ ରକ୍ତ ବିରଳ । ରଜତ ବର୍ତ୍ତମାନ ସୁଦ୍ଧା ୧୨ ଥର ରକ୍ତଦାନ କରିଛନ୍ତି । ଏହି ବିରଳ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇ ପାରୁଥିବାରୁ ସେ ବେଶ ଖୁସି ଅଛନ୍ତି । ଆଗକୁ ମଧ୍ୟ କାହାର ଆବଶ୍ୟକତା ପଡିଲେ ସେବା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି ରାଉରକେଲାର ରଜତ ଏକ୍କା ।

Leave A Reply

Your email address will not be published.