Latest Odisha News

BREAKING NEWS

ନଗଡ଼ାବାସୀ ନେଲେ କରୋନା ଟିକା

ଯାଜପୁର: ବହୁ ଚର୍ଚ୍ଚିତ ତଥା ଅପପୁଷ୍ଟିର ଅପବାଦ ମୁଣ୍ଡେଇଥିବା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡ଼ାରେ ଟିକାକରଣ ହୋଇଛି। ସୋମବାର ଉପର ଓ ତଳ ନଗଡ଼ାର ୬୫ଜଣ ଜୁଆଙ୍ଗ ଆଦିବାସୀ, ଗୁହିଆସାଳରୁ ୫୬, ତୁମୁଣିର ୩୮ଜଣ ଜୁଆଙ୍ଗଙ୍କୁ ପ୍ରଥମ ଡୋଜ୍ ଟିକା ପ୍ରଦାନ କରାଯାଇଛି। ଏହା ସହିତ ନାଲିଆଡାବରରେ ୨ଜଣ ଓ ସେଠାରେ ରହୁଥିବା ବିଭିନ୍ନ ବିଭାଗର ୧୬ଜଣ କର୍ମଚାରୀଙ୍କୁ ମଧ୍ୟ ଟିକା ଦିଆଯାଇଛି।

ଟିକାକରଣ ପାଇଁ ସପ୍ତାହକ ତଳେ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଅଙ୍ଗନବାଡ଼ି ଓ ଆଶାକର୍ମୀମାନେ ଘର ଘର ବୁଲି ଟିକା ନେବାକୁ ବୁଝାଇଥିଲେ। ସେମାନେ ବୁଝାଇବା ପରେ ନଗଡ଼ାବାସୀ କରୋନାର ଭୟାବହତା ବୁଝିବା ସହ ଟିକା ନେବାକୁ ରାଜି ହୋଇଥିଲେ।

କରୋନାର ପ୍ରଥମ ଲହରରେ ଆଦିମ ଆଦିବାସୀ ବିଶେଷ କରୋନା ସଂକ୍ରମିତ ହୋଇ ନ ଥିଲେ। ହେଲେ ଦ୍ଵିତୀୟ ଲହର ସହରରୁ ଗାଁ ଆଉ ଦୁର୍ଗମ ଅଞ୍ଚଳରେ ମଧ୍ୟ ପ୍ରବେଶ କରିସାରିଛି। ଏମିତି ପରିସ୍ଥିତିରେ ସରକାର ଆଦିବାସୀ ଅଞ୍ଚଳରେ ମଧ୍ୟ ଟିକାକରଣକୁ ସର୍ବାଧିକ ଗୁରୁତ୍ଵ ଦେଉଛନ୍ତି। ବିଶେଷ କରି ଆଦିମ ଆଦିବାସୀମାନେ ଦୁର୍ଗମ ଅଞ୍ଚଳରେ ରହୁଥିବାରୁ ତା ଉପରେ ଅଧିକ ଗୁରୁତ୍ଵ ଦେବା ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେ ଅଞ୍ଚଳରେ କରୋନା ସଂକ୍ରମଣ ରୋକିବା ପାଇଁ ଟେଷ୍ଟି, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ଵ ଦିଆଯାଉଛି। ଜଣେ ସଂଗରୋଧରେ ରହିଲେ ତାଙ୍କ ପରିବାରକୁ ଆର୍ଥିକ ପ୍ରୋତ୍ସାହନ ସହ ୧୪ ଦିନ ପାଇଁ ଅତିରିକ୍ତ ରାସନ ପ୍ରଦାନ କରାଯାଉଛି। ଆଦିବାସୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ହାଟ ବଜାରକୁ ଆସୁଥିବା ବେଳେ ଏଠାରୁ ସଂକ୍ରମିତ ହୋଇ ସେମାନଙ୍କ ଗାଁ ଓ ପଦରକୁ ଯାଉଛନ୍ତି। ଫଳରେ ସେ ଅଞ୍ଚଳରେ ସଂକ୍ରମଣ ବଢୁଛି।

Leave A Reply

Your email address will not be published.