ରାଉରକେଲା:ରାଉରକେଲା ବିମାନ ଦୁର୍ଘଟଣା ସମୟରେ ସ୍ଥାନୀୟ ଜନସାଧାରଣ ଏବଂ ଉଦ୍ଧାରକାରୀ ଦଳ ଯେଉଁ ସାହସିକତା ଓ ତତ୍ପରତା ପ୍ରଦର୍ଶନ କରିଛନ୍ତି ସେଥିପାଇଁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିପଦ ସମୟରେ ଆପଣମାନଙ୍କର ଏହି ନିସ୍ୱାର୍ଥପର ସେବା ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ରକ୍ଷା ପାଇପାରିଛି। ସ୍ଥାନୀୟ ପ୍ରଶାସନ,ଜନସାଧାରଣ, ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀଙ୍କ ସମନ୍ୱିତ ଉଦ୍ୟମ ପ୍ରଶଂସନୀୟ। ସରକାର ଆହତମାନଙ୍କ ସହ ଅଛନ୍ତି ଏବଂ ସେମାନଙ୍କର ଉତ୍ତମ ଚିକିତ୍ସା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି।
ଏପଟେ ଡିଜିସିଆଇର ୫ ଜଣିଆ ଟିମ ଘଟଣା ସ୍ଥଳରେ ପହଞ୍ଚି ରାଉରକେଲା ବିମାନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାଥାଉକି, ଗତକାଲି ଭୁବନେଶ୍ବରରରୁ ରାଉରକେଲାକୁ ଅଭିମୁଖେ ଉଡାଣ ଭରିଥିଲା ଘରୋଇ ବିମାନ । ଅଚାନକ ମଝି ଆକାଶରୁ ଖସି ପଡିଥିଲା ଚାର୍ଲି-୨୦୮ (Cessna-208) ମଡେଲର ଏହି ୯-ସିଟର ବିମାନ । ପ୍ରଚଣ୍ଡ ଶବ୍ଦରେ କମ୍ପିଥିଲା ପୂରା ଅଞ୍ଚଳ। ଶବ୍ଦ ଶୁଣି ଦଉଡି ଆସିଥିଲେ ଆଖପାଖରେ ଥିବା ଲୋକ। ଘଟଣାସ୍ଥଳକୁ ପହଞ୍ଚି ବିମାନରେଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସହଯୋଗ କରିଥିଲେ।
ବିମାନଟି ରାଉରକେଲା ବିମାନବନ୍ଦରରୁ ମାତ୍ର ଦଶ କିଲୋମିଟର ଦୂରରେ ଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆଗକୁ ଉଡ଼ିବା ଅସମ୍ଭବ ହେବା ପରେ ପାଇଲଟ୍ ଜରୁରୀକାଳୀନ ମେ-ଡେ କଲ୍ କରିବା ସହ ତୁରନ୍ତ ରାଉରକେଲା ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି)କୁ ସୂଚନା ଦେଇଥିଲେ। ପାଇଲଟ୍ ଜନବସତି ଅଞ୍ଚଳକୁ ଏଡ଼ାଇ ଏକ ଖୋଲା ପଡିଆରେ ଆପାତକାଳୀନ ଲ୍ୟାଣ୍ଡିଂ କରିଥିଲେ।
ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ୬ ଜଣଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଓ ସେଠାରୁ ଜୟପ୍ରକାଶ ହସ୍ପିଟାଲକୁ ନେଇଥିଲେ। ଘଟଣାସ୍ଥଳରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ଡିଆଇଜି ବ୍ରିଜେଶ ରାୟ, ଏସ୍ପି ନୀତେଶ ୱାଧ୍ୱାନୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଉପବାଚସ୍ପତି ଭବାନୀଶଙ୍କର ଭୋଇ ମଧ୍ୟ ହସ୍ପିଟାଲରେ ଆହତମାନଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।