Latest Odisha News

BREAKING NEWS

ଚଳନ୍ତା ଟ୍ରେନରେ ପ୍ୟାସେଞ୍ଜରଙ୍କୁ ଲୁଟୁଥିଲେ; ଗିରଫ ହେଲେ ୩ ଜଣିଆ ଗ୍ୟାଙ୍ଗ୍‌

ବାଲେଶ୍ୱର: ବିଭିନ୍ନ ଟ୍ରେନରେ ପଶି ଯାତ୍ରୀମାନଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଲୁଟି ଚାଲିଥିଲେ ଏକ ଡକାୟତ ଦଳ । ଶୁକ୍ରବାର ଦିନ ଏହି ଗ୍ୟାଙ୍ଗରେ ଥିବା ୩ ଜଣ ଦୁର୍ବୃତ୍ତଙ୍କ୍‌ୁ ରେଳବାଇ ସୁରକ୍ଷା ବଳ (ଆରପିଏଫ) ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ, ଏହି ଡକାୟତ ଦଳ ଆଜି ଏକ ଟ୍ରେନରେ ପଶି ଲୁଟିବାକୁ ମସୁଧା କରୁଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ଆରପିଏଫ ଯବାନ ଏହି ଦୁର୍ବୃତ୍ତମାନଙ୍କୁ ଗିରଫ କରିଛି । ଏହି ଗ୍ୟାଙ୍ଗର ୩ଜଣ ସଦସ୍ୟ ‘ପାଟନା-ଏର୍ଣ୍ଣାକୁଲମ ଏକ୍ସପ୍ରେସ’ରେ ଚଢି ଯାତ୍ରୀମାନଙ୍କୁ ଲୁଟିବାକୁ ସ୍ଥିର କରିଥିଲେ ।

ଆରପିଏଫ ପକ୍ଷରୁ ସେମାନଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ଠାରୁ ନଗଦ ୨,୦୦୦ ଟଙ୍କା, ଗୋଟିଏ ଛୁରୀ, ଗୋଟିଏ ମାଚେଟ୍ ସହିତ ୩ଟି ମୋବାଇଲ୍ ଫୋନ ଜବତ କରିଛି ।

ଏହି ଗ୍ୟାଙ୍ଗର ଦୁଇଜଣ ସଦସ୍ୟ ଖଡ଼କପୁରର ହୋଇଥିବା ବେଳେ ଅନ୍ୟ ଜଣକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ବୋଲି ସୂଚନାରୁ ଜଣାପଡ଼ିଛି । ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ସବିଶେଷ ବିବରଣୀ ମିଳିପାରିନାହିଁ ।

ଏଠାରେ ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଷ୍ଟେସନଠାରୁ ରେଳବାଇ ସୁରକ୍ଷା ବଳ ପକ୍ଷରୁ ଏକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ବେଳେ ଏହି ଗ୍ୟାଙ୍ଗର ଡକାୟତି କରିବାର ମସୁଧା ସମ୍ପର୍କରେ ଜଣାପଡ଼ିଥିଲା ।

Leave A Reply

Your email address will not be published.