ବୌଦ୍ଧ : ବୌଦ୍ଧ ସହରରେ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ୍ ହେଉଥିବାର ଅନେକ ଅଭିଯୋଗ ଆସୁଥିଲା । ଲୁଟେରାମାନେ ଟଙ୍କା ନେଇ ଫେରାର ହୋଇଯାଉଥିବା ବେଳେ, ପୁଲିସ ଲୁଟେରାଙ୍କ ସଂପର୍କରେ କୌଣସି ଟେର ପାଇପାରୁନଥିଲା । କ୍ଷତିଗ୍ରସ୍ତ ଲୋକ ବାରମ୍ବାର ଥାନାକୁ ଯାଇ ଏହିଭଳି ଟଙ୍କା ଲୁଟ୍ ଘଟଣାର ଅଭିଯୋଗ କରୁଥିଲେ ମଧ୍ୟ କ୍ଷତିଗ୍ରସ୍ତ ଲୋକ ନିରାଶ ହୋଇ ଫେରୁଥିଲେ । ତେବେ ଅନେକ ଦିନ ପରେ ବୌଦ୍ଧ ପୁଲିସ ଟଙ୍କା ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟକୁ ଗିରଫ କରିବାରେ ସଫଳ ହୋଇପାରିଛନ୍ତି ।
ସୂଚନା ମୁତାବକ, ଅଶୋକ କୁମାର ଅଗ୍ରୱାଲା ନାମକ ଜଣେ ବ୍ୟବସାୟୀ ବୌଦ୍ଧ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ ଧରିଥିଲେ । ଜଣେ ବ୍ୟକ୍ତିଙ୍କୁ ଧରିଥିବା ଟଙ୍କାରୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ଏବଂ ୫୦ ହଜାର ଟଙ୍କା ନିଜ ପକେଟରେ ରଖି ବଳକା ୨ଲକ୍ଷ ୫୦ ହଜାର ଟଙ୍କାକୁ ବ୍ୟାଗ ଭିତରେ କାରରେ ରଖିଥିଲେ ।
ଗାଡିରେ ଟଙ୍କା ବ୍ୟାଗ ସହିତ ତାଙ୍କର ପତ୍ନୀ ଓ ପୁଅ ଝିଅ ମଧ୍ୟ ବସିଥିଲେ । ଏହି ସମୟରେ କଳା ପଲସର ଗାଡିରେ ଦୁଇଜଣ ଯୁବକ ଆସି କାରରୁ ଟଙ୍କା ବ୍ୟାଗକୁ ଟାଣିନେଇ ଫେରାର ହୋଇଯାଇଥିଲେ । ଏନେଇ ଶ୍ରୀ ଅଗ୍ରୱାଲାଙ୍କ ଥାନା ଅଭିଯୋଗ କରିଥିଲେ । ବୌଦ୍ଧ ପୁଲିସ ଏହି ଘଟଣାର ତଦନ୍ତ କରି ବ୍ୟବସାୟୀଙ୍କଠାରୁ ହୋଇଥିବା ଟଙ୍କା ଲୁଟ୍ ଘଟଣାରେ ଜଣେ ଲୁଟେରାକୁ ଗଂଜାମ ଜିଲ୍ଲା ଆସିକାରୁ ଧରିବାରେ ସଫଳ ହୋଇଛି । ବୌଦ୍ଧ ପୁଲିସ ଲୁଟେରାକୁ ଧରିବାରେ ସଫଳ ହେବା ସହିତ ତା ନିକଟରୁ ୨ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି ।
Comments are closed.