ଭୁବନେଶ୍ବର: ରାଜ୍ୟର ୪ଟି ବିଦ୍ୟୁତ୍ ବିତରଣ କମ୍ପାନୀ ଉପରେ ଓଡ଼ିଶା ସରକାରଙ୍କ ୬ ହଜାର ୫୮୭ କୋଟି ଟଙ୍କା ବକେୟା ରହିଛି । ଏନେଇ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ଶକ୍ତି ବିଭାଗର ମନ୍ତ୍ରୀ ଭାବେ ସିଂ ଦେଓ ସୂଚନା ଦେଇଛନ୍ତି ଯେ, ଏହି ୪ଟି କମ୍ପାନୀ ମଧ୍ୟରେ ସିଇଏସୟୁ (ସେସୁ) ସର୍ବାଧିକ ୨ ହଜାର ୬୫୧ କୋଟି ଟଙ୍କା ବକେୟା ରଖିଥିବାବେଳେ, ନେସ୍କୋ ଉପରେ ୯୫୧ କୋଟି ଟଙ୍କା ବାକି ରହିଛି । ସେହିପରି ୱେସ୍କୋ ଉପରେ ୧ ହଜାର ୬୭୭ କୋଟି ଏବଂ ସାଉଥକୋ ଉପରେ ୧ ହଜାର ୩୦୦ କୋଟି ଟଙ୍କା ବକେୟା ରହିଥିବା ମନ୍ତ୍ରୀ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ।
ଏ ସମସ୍ତ ଚାରୋଟି କମ୍ପାନୀ ଟାଟା ପାୱାର ଅଧୀନରେ ଆସୁଛନ୍ତି । ଯାହା ବର୍ତ୍ତମାନ ସେସୁ ପରିବର୍ତ୍ତନ ହୋଇ ଟିପିସିଓଡିଏଲ ଭାବେ, ନେସ୍କୋ ପରିବର୍ତ୍ତନ ହୋଇ ଟିପିଏନଓଡିଏଲ, ୱେସ୍କୋ ପରିବର୍ତ୍ତନ ହୋଇ ଟିପିଡବ୍ଲୁଓଡିଏଲ ଏବଂ ସାଉଥକୋ ପରିବର୍ତ୍ତନ ହୋଇ ଟିପିଏସଓଡିଏଲ ଭାବେ କାର୍ଯ୍ୟ କରୁଛି । ତେବେ ଏ ସମସ୍ତ ବକେୟା ପ୍ରଦାନ କରିବା ଲାଗି ଗ୍ରୀଡକୋ ଟାଟା ପାୱାରର ନୂତନ ମ୍ୟାନେଜମେଣ୍ଟ ସହିତ କାର୍ଯ୍ୟ କରୁଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ତେବେ ଟାଟା ପାୱାର ଓଡ଼ିଶାରେ ଗତ ଚାରି ବର୍ଷ ହେବ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ମଧ୍ୟ ଏହା ପୂର୍ବରୁ ଏହି ବକେୟା ଟଙ୍କା ରହିଥିଲା । ଯାହା ପ୍ରାୟତଃ ବଢିଚାଲିଛି । ଆଗକୁ ଏପରି ସ୍ଥିତି ଲାଗି ରହିଲେ ଟଙ୍କା ଫେରିବା ସମ୍ଭାବନା ଶୂନ ରହିଛି ।