Latest Odisha News

BREAKING NEWS

ଦଶହରାରେ ଦାରିଦ୍ର୍ଯ, ବେରୋଜଗାର ପ୍ରସଙ୍ଗ ଉଠାଇଲେ ଆରଏସଏସ ପ୍ରମୁଖ

ନୂଆଦିଲ୍ଲୀ: ଦେଶରେ ବିରୋଧୀଙ୍କ ଯେଉଁ ପ୍ରସଙ୍ଗକୁ କେନ୍ଦ୍ର ସରକାର ତଥା ଶାସକ ଦଳ ବିଜେପି ଏଡାଇ ଦେଉଛି ସେହି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଚାରଧାରାର ପ୍ରୟୋଗଶାଳା କୁହାଯାଉଥିବା ଆରଏସଏସ ବା ରାଷ୍ଚ୍ରୀୟ ସ୍ବଯଂସେବକ ସଂଗଠନର ନେତା ତଥା ମହାସଚିବ ଦତ୍ତାତ୍ରେୟ ହୋସବାଲେ।

ଦଶହରା ଅବସରରେ ରବିବାର ଆରଏସଏସର ଏହି ପ୍ରମୁଖ ନେତା ବେକାରୀ, ଦାରିଦ୍ର୍ୟ ବୃଦ୍ଧିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଦେଶ ଆଗରେ ଏହା ଏକ ବଡ ସମସ୍ୟା ବୋଲି ଦତ୍ତାତ୍ରେୟ ହୋସବାଲେ କହିଛନ୍ତି। ପୂର୍ବରୁ ମଧ୍ୟ ଚଳିତ ବର୍ଷ ଜୁଲାଇରେ ଦେଶର ବଢୁଥିବା ଅତ୍ୟାବଶକୀୟ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ ସରକାର ଗମ୍ଭୀରତାର ସହ ବିଚାର କରିବାକୁ ପରାମର୍ଶ ଦେଇଥିଲେ ହୋସବାଲେ।

ସ୍ୱଦେଶୀ ଜାଗରଣ ମଞ୍ଚ (ଏସଜେଏମ) ଦ୍ୱାରା ଆୟୋଜିତ ଏକ ୱେବିନାରରେ ହୋସବାଲେ ସାମିଲ ହୋଇ କହିଛନ୍ତି ଯେ ୨୦ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ଏବଂ ୨୩ କୋଟି ଦୈନିକ ୩୭୫ ରୁ କମ୍ ଟଙ୍କା ରୋଜଗାର କରୁଛନ୍ତି।

ଦାରିଦ୍ର୍ୟ ଆମ ପାଇଁ ଏକ ରାକ୍ଷସ ଭଳି ଆହ୍ୱାନ ପାଲଟିଛି। ଏହାକୁ ଆମକୁ ଦୂର କରିବା ଜରୁରୀ। ଦାରିଦ୍ର୍ୟ, ଅସମାନତା ଏବଂ ବେକାରୀ ସମସ୍ୟାର ସମାଧାନ କରାଯିବା ଆବଶ୍ୟକ।

ଦେଶରେ ଚାରି କୋଟି ବେକାରୀ ଅଛନ୍ତି, ସେଥିମଧ୍ୟରୁ ୨.୨ କୋଟି ଗ୍ରାମାଞ୍ଚଳରେ ବେରୋଜଗାର ଏବଂ ସହରାଞ୍ଚଳରେ ୧.୮ କୋଟି। ଶ୍ରମଶକ୍ତି ସର୍ବେକ୍ଷଣରେ ବେକାରୀ ହାର ୭.୬ ପ୍ରତିଶତ ହୋଇଛି। ରୋଜଗାର ସୃଷ୍ଟି କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

କୁଟୀର ଶିଳ୍ପକୁ ପୁନର୍ଜୀବିତ କରିବା ଏବଂ ଗ୍ରାମାଞ୍ଚଳରେ ଏହି କାରିଗରଙ୍କ ସଂଖ୍ୟା ବୃଦ୍ଧି କରିବାକୁ ହୋସବାଲେ ଆହ୍ୱାନ ଦେଇଛନ୍ତି। ଏଥିସହ ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ସେ।

Leave A Reply

Your email address will not be published.