Latest Odisha News

BREAKING NEWS

ମା’ ଆସୁଛନ୍ତି ହେଲେ ସୁନା ଚାନ୍ଦି ମଧ୍ୟରେ ଚଣ୍ଡିପାଠ ଆଉ ଶୁଭୁନି

ପିୟୁଷ ରଞ୍ଜନ ରାଉତଙ୍କ ଆଲେଖ୍ୟ

ଚାନ୍ଦି ମେଢ଼, ସୁନା ମୁକୁଟ, ବିଶାଳ ତୋରଣ, ଅହରାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ, ଦୁଲ ଦାଲ ଭଷାଣି ଉତ୍ସବ ; ଇତ୍ୟାଦି ଇତ୍ୟାଦି। ହେଲେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଏହା ପଛର ଅର୍ଥ ଆଦାୟର ଭୟାନକ କାହାଣୀ ? ଦୁର୍ଗାପୂଜା ଆଉ ସେକାଳର ଆରମ୍ଭ ହୋଇଥିବା ବିନୋଦବିହାରି ଅବା ଆଜିର ପରିଚିତ ବାଲୁବଜାର ବଙ୍ଗୀୟ ପୂଜାହେଉ କି ଚୌଧୁରୀ ବଜ଼ାର ଚାନ୍ଦି ମେଢ଼ର ଉଦ୍ଦେଶ୍ୟ ଏବଂ ମହତ୍ତ୍ୱ ଆଜିର ଦୁର୍ଗା ପୂଜାରେ ଦେଖିବାକୁ ମିଳୁନି ବୋଲି କିଛି ବୁଦ୍ଧିଜୀବୀଙ୍କଠାରୁ ଶୁଣିବାକୁ ମିଳୁଛି ।

ଆଜିର ଦୁର୍ଗା ପୂଜା ଯୁବ ପିଢୀଙ୍କ ପାଇଁ ଏକ ସୌଖିନ ଉତ୍ସବ ଅବା ନିଜର ଦବଦବା ଅବା ପତିଆରା ଦେଖେଇବା। ନିକଟରେ କିଛି ପୂଜା କମିଟିର ବୟସ୍କ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ମିଳିଥିଲା। ଆଉ କିଛି କହିଥିଲେ ଯେତେବେଳେ ଆମେ ଗଣମାଧ୍ୟମରେ ଦେଖୁ ଏବଂ ଶୁଣୁ, ଅବା ଖବରକାଗଜରେ ପଢୁ ଆମ ଅଞ୍ଚଳରେ ଏଥର ବିରାଟକାୟ ତୋରଣ ହେବ, ଅବା ଚାନ୍ଦି ମେଢ଼ ହେବ, ଅବା ଏଥର ସୁନା ମୁକୁଟ ହେବ, ସେତେବେଳେ ଆମ ମଧ୍ୟରେ ଭୟ ଆସେ। ଭୟ ଆସିବାର କାରଣ ମୋ ଭଳି ବ୍ୟବସାୟୀଙ୍କ ଉପରେ ଏହାର ଖର୍ଚ୍ଚ ନ୍ୟସ୍ତ ହୁଏ। ଚାରି ଦଶନ୍ଧି ତଳେ ଟଙ୍କା ଦୁଇ ଶହ ଚାନ୍ଦା ଦେଇ ଯୋଉ ଗର୍ବ ଅନଭୁତି କରୁଥିଲୁ, ଆଜି ଟଙ୍କା ଦୁଇଲକ୍ଷ ଦେଲାପରେ ମଧ୍ୟ ଆହୁରି ଦେବା ପାଇଁ ପଡ଼ୁଛି।

Total 230 Platoons Of Police Deployed Through Out The State For Durga Puja

ପ୍ରଶ୍ନ ଉଠେ ଯେ ଆମ ଅଞ୍ଚଳରେ ଯେତେବେଳେ ପୂଜା କରିବା ନିଷ୍ପତ୍ତି ହୋଇଥିଲା, ସେତେବେଳେ ଆମେ ଏହାର କମିଟିରେ ଆଗ ଧାଡିରେ ଥିଲୁ। ପୂଜା କରିବାର ଉଦ୍ଦେଶ୍ୟ ଥିଲା ଅଞ୍ଚଳରେ ଭାଇଚାରା ଏବଂ ନିଜ ସଂସ୍କୃତିକୁ ବଜାୟ ରଖିବା। ହେଲେ ଏବେ କୋଉ ସଂସ୍କୃତିକୁ ବଜାୟ ରଖିଛି ଆଜିର ଦୁର୍ଗା ପୂଜା ବୋଲି କେହି କେହି ପ୍ରଶ୍ନ କରିବା ସ୍ୱାଭାବିକ। ସେଦିନର ଦାସକାଠିଆ ପାଲା, ଘଣ୍ଟ ମୃଦଙ୍ଗ ଶବ୍ଦ, ଚଣ୍ଡୀ ପାଠ ଆଉ ନା ଶୁଭୁଛି ନା ଦିଶୁଛି ବରଂ ଆଜିର ସାଜସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ଯେମିତି ପ୍ରାୟୋଜିତ କାର୍ଯ୍ୟକ୍ରମ ହୋଇଗଲାଣି। ଆଉ ଏଥିରେ ଦୁର୍ଗା ମୂର୍ତ୍ତି ଏକ ବାହାନା ଯେପରିକି ପ୍ରାୟ ଦଶ ଦିନ ନିଜ ଅଞ୍ଚଳକୁ ବ୍ୟସ୍ତ ରଖିବା ! ମା ଆସୁଛନ୍ତିଠାରୁ ମା ମେଲାଣି ନେଉଛନ୍ତି ପର୍ଯ୍ୟନ୍ତ ।

ଏହାସବୁ ଶୁଣିବା ପରେ ମୋ ମନରେ ମଧ୍ୟ ବହୁ ପ୍ରଶ୍ନ ଆଶେ। ଆମ ଓଡ଼ିଆ ସଂସ୍କୃତି କହିଲେ ଜଗନ୍ନାଥ। ହେଲେ ଆମ ରଥଯାତ୍ରାରେ ଏମିତି କିଛି ଅସୁବିଧା ହେଉନି । ତେବେ କଣ ଚାନ୍ଦି ମେଢ଼, ସୁନା ମୁକୁଟ, ବିଶାଳ ତୋରଣ, ଅହରାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ, ଦୁଲ ଦାଲ ଭଷାଣି ଉତ୍ସବ ଇତ୍ୟାଦି ଇତ୍ୟାଦି ବିନା ପୂଜା ହୋଇ ପାରିବନି ? ସମ୍ଭବତଃ ବିଗତ ଦୁଇ ବର୍ଷ ମହାମାରିରେ ଦୁର୍ଗା ପୂଜାରୁ ବହୁତ କିଛି ଶିଖିବାର ଥିଲା ପରମ୍ପରାରେ କିଭଳି ପୂଜା ହୋଇ ପାରିଥିଲା। ମଣ୍ଡପରେ ଦର୍ଶନ ବାରଣ ଥିଲା ଏବଂ ମୂର୍ତ୍ତିର ଉଚ୍ଚତା କମ ଥିଲା ; ହେଲେ ଲୋକଙ୍କ ମଧ୍ୟରେ ଭକ୍ତି ଭାବନା ଥିଲା । ଲୋକେ ଶାରଦୀୟ ବିଶେଷାଙ୍କ ବହି ପଡୁଥିଲେ, ଯାହା ବିଗତ କିଛି ଦଶନ୍ଧିରେ ଦିଶୁନଥିଲା । ସାଧାରଣ ଲୋକେ ହୁଅନ୍ତୁ ଅବା ବ୍ୟବସାୟିକ ହୁଅନ୍ତୁ ସମସ୍ତେ ଅଧିକା ସମୟ ଘରେ ନିଜ ପରିବାର ସହିତ ବିତାଉଥିଲେ। ବହୁ ଲୋକେ ମତେ କହିଛନ୍ତି ମାଁଙ୍କୁ ସିନା ଚର୍ମ ଚକ୍ଷୁରେ ଦେଖି ପାରିଲୁନି ହେଲେ ପାର୍ବଣର ମହତ୍ତ୍ୱ ଏତେ ବର୍ଷ ପରେ ପୁନର୍ବାର ଅନୁଭୂତି ହୋଇଛି,ଏବଂ ଭବିଷ୍ୟତ ପୀଢ଼ି ମଧ୍ୟ ପରିବାର ସହିତ ଉପଭୋଗ କରିଛନ୍ତି।

ଅନ୍ୟପଟରେ ଯଦି ଓଡ଼ିଶାରେ ଦୁର୍ଗା ପୂଜାକୁ ନିକଟ ଅତୀତକୁ ଆଧାର କରି ବିଶ୍ଲେଷଣ କରାଯାଏ, ତେବେ ଏହା ମନ୍ଦିର ଅବା ପୀଠରେ ମୂଳାଅଷ୍ଟମୀଠାରୁ ଆରମ୍ଭ ହୋଇ ବିଜୟାଦଶମୀ ପର୍ଯ୍ୟନ୍ତ ଷୋଳ ଦିନ ଧରି କଳସ ପୂଜାକୁ ଷୋଳ ପୂଜା ବୋଲି କୁହାଯାଏ ଏବଂ ଏହା ମଧ୍ୟ ଶ୍ରୀକ୍ଷେତ୍ରରେ ଦୂର୍ଗାମାଧବ ପୂଜା ହେବାର ବିଧି ପ୍ରଚଳିତ ଅଛି। ଆଉ ଦୂର୍ଗା ପୂଜା କହିଲେ ଏକ ଅବା ଅଧିକରୁ ଅଧିକ ଦୁଇ ଫୁଟ ମଧ୍ୟରେ ସୀମିତ। ଆଉ ଆଜି ମଧ୍ୟ ମଣ୍ଡପ ମଧ୍ୟରେ ପୂଜା ହେଉଛନ୍ତି ଏକ ଫୁଟ ମଧ୍ୟରେ ସୀମିତ ଘଟ ପୂଜା ଏବଂ ଘଟ ବିସର୍ଜନ ସହିତ ଦୂର୍ଗା ପୂଜା ସମ୍ପୂର୍ଣ୍ଣ ହୁଏ। ହେଲେ କିଛି ବର୍ଷ ପୂର୍ବେ ବଙ୍ଗୀୟ ସଂସ୍କୃତି ଆପଣାଇ ନେଇ ଓଡ଼ିଶାର ସାହି ବସ୍ତିରେ ପୂଜା ମଣ୍ଡପ ସୃଷ୍ଟି ହୋଇ ସାର୍ବଜନୀନ ଦୂର୍ଗା ମହୋତ୍ସବ ପାଳନ ହୋଇଆସୁଛି। ଯାହା ଆଗରୁ ଅଷ୍ଟମୀ, ନବମୀ ଏବଂ ଦଶମୀରେ ରାବଣ ପୋଡି ପର୍ଯ୍ୟନ୍ତ ସୀମିତ ଥିଲା। ତାହା ବର୍ତ୍ତମାନ ତିନି ଦିନରୁ ବଢି ପୁରା ସାତ ଦିନରେ ପହଞ୍ଚି ସାରିଛି। ଏହା ସହିତ ସହର ରଙ୍ଗ ମଧ୍ୟ ବଦଳି ସାରିଛି ପାର୍ବଣରେ।

ତେବେ ପ୍ରଶ୍ନ ଆସିବା ସ୍ୱାଭାବିକ, ଯଦି ଆମର ପରମ୍ପରା ଏକ ଫୁଟରେ ସୀମିତ ତାହେଲେ ଦଶ ଫୁଟରୁ ଉର୍ଦ୍ଦ୍ୱ ଉଚ୍ଚତା ମୂର୍ତ୍ତି ନିର୍ମାଣ, ଚାନ୍ଦି ମେଢ଼, ସୁନା ମୁକୁଟ ହେବାର କାରଣ କଣ ହୋଇପାରେ? ସତରେ କଣ ଆମେ ଯେଉଁ ଦଶ ଫୁଟ ମୂର୍ତ୍ତି ଦେଖି ଭାବ ବିହ୍ଵଳିତ ହୋଇ ପଡୁ ସିଏ କଣ ସତରେ ପୂଜା ପାଆନ୍ତି? ଉତ୍ତର ଅବଶ୍ୟ ଚକିତ କରିପାରେ। ହେଲେ ଏହା ଶିଳ୍ପୀର ମନରେ ଥିବା ଦୁର୍ଗାଙ୍କ ଏକ କାଳ୍ପନିକ ଦୃଶ୍ୟ। ହୋଇପାରେ ଯାହା ମଣ୍ଡପରେ ଶୋଭା ପାଆନ୍ତି ଏବଂ ଭଷାଣିରେ ମୁଖ୍ୟ ଆକର୍ଷଣ ସାଜନ୍ତି। ହେଲେ ଏତେ ଆଡ଼ମ୍ବର ପାର୍ବଣରେ ଏହି ମୁଖ୍ୟ ଆକର୍ଷଣ ସାଜିଥିବା ମୂର୍ତ୍ତି ଯେତେବେଳେ ଅସ୍ଥାୟୀ ପୁଷ୍କରିଣୀରେ ଠେଲି ଦିଆ ଯାଏ, ସେତେବେଳେ ବହୁବାର ପ୍ରଶ୍ନ ଆସିଛି ସତରେ କଣ ମା ଦୁର୍ଗା ସ୍ୱପ୍ନରେ କହିଥିଲେକି ମୋତେ ମଣ୍ଡପରେ ପୂଜା କର, ନିଜର ଆମୋଦ ପ୍ରମୋଦ ରାଜ ରାସ୍ତାରେ କର ଏବଂ ଏମିତି ବିସର୍ଜନ କର ଯେପରି ଘରୁ ଅଳିଆ ବାହାରକୁ ଫିଙ୍ଗିଲା ପରି।

ସମ୍ଭବତଃ ଆମ ପାର୍ବଣ ୠତୁରେ ଆମୂଳ ଚୂଳ ପରିବର୍ତ୍ତନର ଆବଶ୍ୟକତା ଅଛି। ନହେଲେ ଆଗାମୀ ଦିନରେ ଚଳ ଚଞ୍ଚଳ ସହର କେବଳ ଚାନ୍ଦି ମେଢ଼, ସୁନା ମୁକୁଟରେ, ତୋରଣରେ ସୀମିତ ରହିଯିବ। ସବୁଠୁ ଆଶ୍ଚର୍ଯ୍ୟ ଗୋଟେ ସହରକୁ ଏମିତି ଅଯଥା ବ୍ୟସ୍ତ ବହୁଳ କରିବା କଣ ଠିକ? ଅନ୍ୟପଟରେ ପାର୍ବଣର ଅନ୍ତିମ ଅଧ୍ୟାୟ ବିସର୍ଜନରେ ଯାହାଙ୍କୁ ମା କହି ପୂଜା କରନ୍ତି, ତାଙ୍କୁ ଏତେ ପ୍ରଦୂଷିତ ଭାବେ ତିଆରି କରନ୍ତି ଯେ ନଦୀରେ ବିସର୍ଜନ ନକରିବା ପାଇଁ କଟକଣା ଲାଗେ । ତେଣୁ ଆଗାମୀ ଦିନରେ ପାର୍ବଣ ପାଇଁ ସମସ୍ତେ ପ୍ରଥମେ ନିଜ ଅଞ୍ଚଳରେ ପୁଷ୍କରିଣୀ ଖୋଳନ୍ତୁ। ମୂର୍ତ୍ତିକୁ ପ୍ରଦୂଷଣ ମୁକ୍ତ କରାଯାଉ। ସାଂସ୍କୃତିକ କର୍ଯ୍ୟକ୍ରମରେ ଚଣ୍ଡି ପାଠ ହେଉ। ନାଚ ଗୀତ ବନ୍ଦ ହେଉ। ପାର୍ବଣକୁ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ କରାଯାଉ। ରାସ୍ତା ଘାଟକୁ ମୁକୁଳା ରଖା ଯାଉ । ଯାତାୟାତରେ ଯେପରି କଟକଣା ନଲାଗୁ ଏବଂ ସହରକୁ ସହର ଭଳି ରହିବାକୁ ଦିଆଯାଉ।

Leave A Reply

Your email address will not be published.