Latest Odisha News

BREAKING NEWS

କାହିଁକି ଡିଏମକେ ସାଂସଦଙ୍କ ଉପରେ ରାଗିଗଲେ ଧର୍ମେନ୍ଦ୍ର?

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ମୁହାଁମୁହିଁ । ଭାଷାକୁ ନେଇ କଥା କଟାକଟି । ପ୍ରଶ୍ନକାଳରେ ବିରୋଧୀଙ୍କ ଜୋରଦାର ହଙ୍ଗାମା । ସଂସଦରେ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଚାଲିଥିବା ବେଳେ ପ୍ରଶ୍ନକାଳରେ ପିଏମ୍ ଶ୍ରୀରେ ସ୍କୁଲ ଫଣ୍ଡକୁ ନେଇ ପ୍ରଶ୍ନ ଉଠାଇଥିଲେ ଡିଏମକେ ସାଂସଦ । ଜାତୀୟ ଶିକ୍ଷା ନୀତି ଦ୍ବାରା ହିନ୍ଦୀ ଭାଷାକୁ ଲଦିବାକୁ ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିବା ସହ ଲାଗୁ ନକରିବାରୁ କେନ୍ଦ୍ର ଅନୁଦାନ ଅଟକାଇଥିବା କହିଥିଲେ ବିରୋଧୀ । ଗୃହର ଓ୍ବେଲରେ ଡିଏମକେ ସାଂସଦ ବିରୋଧ ପ୍ରଦର୍ଶନ କରିଥିଲେ । ତେବେ ବିରୋଧୀଙ୍କୁ କଡା ଜବାବ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସଂସଦରେ ଭାଷା ଯୁଦ୍ଧ !

ତାମିଲନାଡୁକୁ ଶିକ୍ଷା ସଂପର୍କିତ ଫଣ୍ଡ ଦିଆନଯିବାକୁ ନେଇ ପ୍ରଶ୍ନ ଉଠାଇଥିଲେ ଚେନ୍ନାଇ ସାଉଥର ଡିଏମକେ ସାଂସଦ ଟି ସୁମତି । ପିଏମଶ୍ରୀ ଯୋଜନାରେ ରାଜ୍ୟକୁ ୨ହଜାର କୋଟି ଟଙ୍କା ମିଳିବାର ଥିଲା । ତେବେ ଜାତୀୟ ଶିକ୍ଷାନୀତିକୁ ବିରୋଧ କରିବାରୁ ଅନୁଦାନ ମିଳିନଥିବା ସେ କହିଥିଲେ । ଏହା ସଂଘୀୟ ବ୍ୟବସ୍ଥାକୁ ଆଘାତ । ଶିକ୍ଷା କ୍ଷେତ୍ରରେ ଆର୍ଥିକ ଆବଣ୍ଟନକୁ ଅସ୍ତ୍ର କରି ରାଜ୍ୟ ସରକାରଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଉଦ୍ୟମ ହେଉଥିବା ଡିଏମକେ ସାଂସଦ କହିଥିଲେ । କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ରାଜ୍ୟରେ ସ୍କୁଲରେ ପଢୁଥିବା ପିଲାଙ୍କୁ ପ୍ରଭାବିତ କରିବ ବୋଲି ସେ କହିଥିଲେ ।

‘ହିନ୍ଦୀ ଲଦିବାକୁ ଉଦ୍ୟମ ହେଉନି’

ଡିଏମକେ ସାରା ଦେଶକୁ ଜାତୀୟ ଶିକ୍ଷାନୀତି-୨୦୨୦କୁ ନେଇ ବିଭ୍ରାନ୍ତ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କୌଣସି ରାଜ୍ୟ ଉପରେ ହିନ୍ଦୀ ଲଦିବାକୁ ଉଦ୍ୟମ କରାଯିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ଯଦି ହିନ୍ଦୀ ଲଦିବାକୁ ଉଦ୍ୟମ ହୋଇଥାନ୍ତା ତେବେ କେମିତି ଅଣବିଜେପି ଶାସିତ କର୍ଣ୍ଣାଟକ ଏହାକୁ ଲାଗୁ କରିଛି । ଅନ୍ୟ ଅଣବିଜେପି ଶାସିତ ରାଜ୍ୟ ମଧ୍ୟ ଏନଇପି-୨୦୨୦କୁ ଲାଗୁ କରିଛନ୍ତି । ତାମିଲନାଡୁର ପିଲାଙ୍କ ଭବିଷ୍ୟତକୁ ନେଇ ଡିଏମକେ ପ୍ରତିବଦ୍ଧ ନୁହେଁ । ଦଳ ପିଲାଙ୍କ ଭବିଷ୍ୟତ ନଷ୍ଟ କରିବାରେ ଲାଗିଛି । ଡିଏମକେ ନେତା ଜାଣିଶୁଣି ରାଜନୀତି କରୁଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏଭଳି ପଦକ୍ଷେପକୁ ସେ ଅସଭ୍ୟ ଓ ଅଲୋକତାନ୍ତ୍ରିକ ବୋଲି କହିଛନ୍ତି ।

କାହିଁକି ଭାଷାକୁ ନେଇ ଆରପାର?

ଜାତୀୟ ଶିକ୍ଷା ନୀତି-୨୦୨୦ର ତିନି ଭାଷା ଫର୍ମୁଲା ଦ୍ବାରା ତାମିଲନାଡୁରେ କେନ୍ଦ୍ର ସରକାର ହିନ୍ଦୀ ଭାଷାକୁ ଲଦିବାକୁ ଉଦ୍ୟମ କରୁଥିବା ଡିଏମକେ କହୁଛି । ତେବେ ଦଳର ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର। ଜାତୀୟ ଶିକ୍ଷା ନୀତିର ତ୍ରିଭାଷୀ ଫର୍ମୁଲା ଅନୁସାରେ ଛାତ୍ରଛାତ୍ରୀ ପ୍ରଥମ ଭାଷା ଭାବେ ମାତୃଭାଷା ସହ ଅନ୍ୟ ଦୁଇଟି ଭାଷା ପଢିବେ। କେନ୍ଦ୍ର ସରକାର ଜାତୀୟ ଏକତା ମଜବୁତ କରିବାକୁ ହିନ୍ଦୀ ଭାଷାକୁ ପ୍ରୋତ୍ସାହିତ କରିଆସୁଛନ୍ତି। ସେହିପରି ଇଂରାଜୀ ଭାଷାକୁ ତୃତୀୟ ଭାଷା ଭାବେ ନେଇପାରିବେ ଛାତ୍ରଛାତ୍ରୀ। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଏହି ନୀତିକୁ ଲାଗୁ କରିବା ଉପରେ ଜୋର ଦେଉଛନ୍ତି କେନ୍ଦ୍ର ସରକାର। ତେବେ ତାମିଲନାଡୁ ସରକାର ତାମିଲ ଅସ୍ମିତା, ଦ୍ରାବିଡ ଗୌରବ କଥା କହି ତିନି ଭାଷା ଫର୍ମୁଲାକୁ ଲାଗୁ କରିନି। ରାଜ୍ୟ ଏବେବି ଦୁଇ ଭାଷା ଫର୍ମୁଲାରେ ଅଡି ବସିଛି।

ତାମିଲନାଡୁରେ ହିନ୍ଦୀ ବିରୋଧୀ ସ୍ବର ସ୍ବାଧୀନତା ପରଠୁ ଶୁଣିବାକୁ ମିଳିଛି । ୧୯୬୩ ମସିହାରେ ହିନ୍ଦୀକୁ ରାଷ୍ଟ୍ରଭାଷା କରିବା ନେଇ ପ୍ରସ୍ତାବ ଆସିବା ବେଳେ ବି ତାମିଲନାଡୁରେ ଜୋରଦାର ବିରୋଧ କରାଯାଇଥିଲା । ଏପରିକି ହିଂସାତ୍ମକ ପ୍ରଦର୍ଶନ କରିଥିଲେ ଡିଏମକେ ନେତା ଓ ସମର୍ଥକ । ଏବେ ମଧ୍ୟ ଭାଷାକୁ ନେଇ କେନ୍ଦ୍ର ସହ ଡିଏମକେ ଆରପାରର ଲଢେଇ ଚଳାଇଛି । ଏନଇପି ଲାଗୁ ନକରିବାରୁ କେନ୍ଦ୍ର ସ୍କୁଲ ପାଇଁ ଅନୁଦାନ ଅଟକାଇଥିବା ଡିଏମକେ ଅଭିଯୋଗ କରିଛି । ସେପଟେ ଭାଷାକୁ ନେଇ ଡିଏମକେ ରାଜନୀତି କରୁଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି । ଆସନ୍ତାବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଜୋରଦାର ହୋଇଛି ଭାଷା ଯୁଦ୍ଧ ।

Comments are closed.