ଭୁବନେଶ୍ବର: ବିଜେଡିରେ ଯୋଗଦେଲେ ଇଞ୍ଜିନିୟର ତଥା ଅଭିନେତା ରୁଦ୍ର ଶ୍ୟାମ ପାଣିଗ୍ରାହୀ । ଆଜି ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ରୁଦ୍ର । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ।
ବିଜେଡିରେ ମିଶିବା ପରେ ରୁଦ୍ର ଶ୍ୟାମ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଲି । କାରଣ, ଓଡ଼ିଶାରେ ଯୁବକ ମାନଙ୍କ ଉପରେ ଫୋକସ କରୁଛନ୍ତି ମୁଖ୍ୟମନ୍ତ୍ରୀ ।
ରୁଦ୍ର ଆହୁରି କହିଛନ୍ତିଯେ, ଓଡ଼ିଶାର ମନ୍ଦିର ମାଳିନୀକୁ ସୁନ୍ଦର କରି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ଆଗରୁ ଯାହା ହୋଇ ନଥିଲା, ତାହା କରାଯାଉଛି । ହକି ଷ୍ଟାଡିୟମ ବିକାଶ, କ୍ରୀଡା, ସଂସ୍କୃତିର ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି । ୨୦୩୬ ସୁଦ୍ଧା ଆମେ ନୂଆ ଓଡ଼ିଶା ଦେଖିବା । ବିଜେଡିର ସବୁ ବର୍ଗକୁ ଧନ୍ୟବାଦ । ଯୁବକ ଆଗକୁ ଆସନ୍ତୁ ଓ ବଢିବା ଓଡ଼ିଶାକୁ ସଶକ୍ତ କରିବାରେ କାମ କରନ୍ତୁ ବୋଲି ରୁଦ୍ର କହିଛନ୍ତି ।
ଏହି ଅବସରରେ ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ରୁଦ୍ରଙ୍କର ଯୋଗଦାନ ପରେ ଦଳ ଆହୁରି ସଶକ୍ତ ହେବା ସହ ୨୦୨୪ ରେ ଭଲ ଭୋଟ୍ ରେ ଜିତିବ ।
ତେବେ କିଛି ଦିନ ପୂର୍ବରୁ ରୁଦ୍ରଙ୍କର ପତ୍ନୀ ତଥା ଅଭିନେତ୍ରୀ ଜିନା ସାମଲ ମଧ୍ୟ ବିଜେଡିରେ ଯୋଗଦେଇଥିଲେ ।
Comments are closed.