Latest Odisha News

BREAKING NEWS

୩୪ ବର୍ଷ ପରେ ବଦଳିବ ନିୟମ. ଜମିଜମା ରେକର୍ଡିଂ ପାଇଁ ଆସିବ ନୂଆ SOP

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଏବଂ ବେସରକାରୀ ଜମିର ରେକର୍ଡିଂ ପ୍ରକ୍ରିୟାକୁ ଅଧିକ ସରଳ ଓ ପାରଦର୍ଶୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ପ୍ରଚଳିତ ଷ୍ଟାଣ୍ଡାର୍ଡ୍ ଅପରେଟିଙ୍ଗ ପ୍ରୋସିଜିଅର୍ (SOP) ର ପୁନର୍ବିଚାର ଓ ସଂଶୋଧନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

ସୂଚନାଯୋଗ୍ୟ ଯେ, ଜମି ରେକର୍ଡିଂ ପାଇଁ ଶେଷଥର ପାଇଁ ୧୯୯୦ ମସିହାରେ SOP ପୁସ୍ତିକା ପ୍ରକାଶ ପାଇଥିଲା। ଦୀର୍ଘ ୩୪ ବର୍ଷ ମଧ୍ୟରେ ଅନେକ ନୀତି, ନିୟମ ଏବଂ ପ୍ରଶାସନିକ ପରିଚାଳନାରେ ପରିବର୍ତ୍ତନ ଆସିଥିବାରୁ ଏହାର ସାମଗ୍ରିକ ସଂଶୋଧନ ପାଇଁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଜାରି କରିଛନ୍ତି।

ଏହି କମିଟିରେ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଧ୍ୟକ୍ଷତା କରୁଥିବା ବେଳେ ଏଥିରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସଦସ୍ୟମାନେ ସାମିଲ ଅଛନ୍ତି ସେମାନେ ହେଲେ ଚକବନ୍ଦୀ ଓ ବନ୍ଦୋବସ୍ତ ଅତିରିକ୍ତ ସଚିବ, ଜମି ରେକର୍ଡ଼ ଏବଂ ସର୍ଭେ ନିର୍ଦ୍ଦେଶକ, ରାଜସ୍ୱ ପରିଷଦର ସଚିବ, ରାଜସ୍ୱ ବିଭାଗର ଯୁଗ୍ମ ଶାସନ ସଚିବ (ସଦସ୍ୟ-ସଂଯୋଜକ) ।

୧୯୯୦ର SOP ଗୁଡ଼ିକର ସମୀକ୍ଷା କରିବା ସହ ନୂତନ ଭାବେ ପ୍ରଣୀତ ଆଇନ, ସରକାରୀ ସର୍କୁଲାର୍ ଏବଂ ପରବର୍ତ୍ତୀ ନିର୍ଦ୍ଦେଶାବଳୀକୁ ଆଧାର କରି ଏହି କମିଟି ଏକ ନୂତନ ଖସଡ଼ା ପ୍ରସ୍ତୁତ କରିବ। ସାଧାରଣ ଲୋକଙ୍କ ସୁବିଧା ପାଇଁ ଏହି ନୂତନ SOP ଉଭୟ ସରଳ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ କରାଯିବ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, କମିଟିକୁ ଏହି ଆଦେଶ ଜାରି ହେବାର ଏକ ମାସ ମଧ୍ୟରେ ସଂଶୋଧିତ SOP ପୁସ୍ତିକାର ଖସଡ଼ା ଅନୁମୋଦନ ପାଇଁ ଦାଖଲ କରିବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ କମିଟି ଅନ୍ୟ ବିଶେଷଜ୍ଞ ଏବଂ ଅଧିକାରୀମାନଙ୍କର ସହଯୋଗ ମଧ୍ୟ ନେଇପାରିବେ।

ରାଜ୍ୟର ଜମି ପରିଚାଳନା ପ୍ରଣାଳୀକୁ ଆଧୁନିକ କରିବା, ପାରଦର୍ଶିତା ବଢ଼ାଇବା ଏବଂ ପ୍ରଶାସନିକ ଢାଞ୍ଚାକୁ ସୁଦୃଢ଼ କରିବା ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.