Latest Odisha News

BREAKING NEWS

ଦୌଡ଼ିବ ‘ଦୋସ୍ତି’ ଏକ୍ସପ୍ରେସ୍…ପୁଟିନ୍, କିମଙ୍କ ବଡ଼ ପ୍ଲାନ୍ !

ନୂଆଦିଲ୍ଲୀ: ଋଷ ଓ ଉତ୍ତର କୋରିଆ ମଧ୍ୟରେ ପୁଣି ଆରମ୍ଭ ହେବାକୁ ଯାଉଛି ୧୦ହଜାର କିଲୋମିଟର ରେଳଯାତ୍ରା । ଋଷର ବିଶାଳ ସାଇବେରିଆନ୍ ଅଞ୍ଚଳ, ଜଙ୍ଗଲ, ପାହାଡ ଓ ୧୬ଟି ପ୍ରମୁଖ ନଦୀ ଦେଇ ୧୦ହଜାର ୨୧୪ କିଲୋମିଟରର ରେଳ ଯାତ୍ରା କରିବେ ଯାତ୍ରୀ । ଏହି ସମୟରେ ଯାତ୍ରୀ ୟୁରାଲ ପର୍ବତ ଓ ବୈକାଲ ହ୍ରଦ ପରି ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଦେଖିପାରିବେ । ଟ୍ରେନ୍ ୮ଟି ଟାଇମ୍ ଜୋନ ପାର୍ କରିବ। ଫଳରେ ଯାତ୍ରୀ ସମୟ ପରିବର୍ତ୍ତନର ନିଆରା ଅନୁଭୁତି ସାଉଁଟି ପାରିବେ । ଋଷର ରାଜଧାନୀ ମସ୍କୋ ଓ ଉତ୍ତର କୋରିଆ ରାଜଧାନୀ ପ୍ୟୋଙ୍ଗୟାଙ୍ଗ ମଧ୍ୟରେ ଟ୍ରେନ୍ ଯାତ୍ରାକୁ କରୋନା ସମୟରେ ବନ୍ଦ କରି ଦିଆଯାଇଥିଲା । ଏବେ ପୁଣି ରେଳଯାତ୍ରା ଆରମ୍ଭ ହେବାକୁ ଯାଉଛି । ତେବେ ଦୁଇ ଦେଶ ମଧ୍ୟରେ ସେନା, ହତିଆର, ଗୋଳାବାରୁଦ ଓ ଅନ୍ୟ ସାମଗ୍ରୀର ଯୋଗାଣ ଦୃଷ୍ଟିରୁ ବେଶ୍ ଗୁରୁତ୍ବପୂର୍ଣ୍ଣ ଏହି ରେଳ ରୁଟ୍ ।

ଭୂରାଜନୈତିକ ଓ ସାମରିକ ଗୁରୁତ୍ବ

ରେଳଯାତ୍ରା ପୁଣି ଆରମ୍ଭ ହେବାକୁ ଯାଉଥିବା ବେଳେ ବାଣିଜ୍ୟଠୁ ସାମରିକ ଗୁରୁତ୍ବ ଅଧିକ ରହିଥିବା କୁହାଯାଉଛି । ୟୁକ୍ରେନ୍ ସହ ଋଷର ସଂଘର୍ଷ ଲାଗି ରହିଥିବା ବେଳେ କ୍ରେମଲିନର ପ୍ରମୁଖ ସହଯୋଗୀ ରହିଛି ଉତ୍ତର କୋରିଆ । ୟୁକ୍ରେନ୍ ସହ ଯୁଦ୍ଧ ବେଳେ ଋଷକୁ ୧୦ହଜାରରୁ ଅଧିକ ସୈନିକ ଓ ହତିଆର ପଠାଇଥିବା ଗତ ଏପ୍ରିଲରେ କହିଥିଲା ଉତ୍ତର କୋରିଆ । ଏହି ସେନା ସହାୟତା ଋଷକୁ ପଶ୍ଚିମ କୁର୍ସ୍କ କ୍ଷେତ୍ର ଉପରେ ପୁଣି ନିୟନ୍ତ୍ରଣ ନେବାରେ ସହାୟତା କରିଥିଲା । ଋଷ ଉତ୍ତର କୋରିଆକୁ ନିଜର ପ୍ରମୁଖ ସହଯୋଗୀ ମନେକରେ । ଆଉ ସେଥିପାଇଁ ୫ବର୍ଷ ପରେ ପୁଣି ରେଳ ସେବା ଆରମ୍ଭ କରିଥିବା କୁହାଯାଉଛି ।

ଦୌଡ଼ିବ ‘ଦୋସ୍ତି’ ଏକ୍ସପ୍ରେସ୍

ରେଳସେବା ଦ୍ବାରା ଋଷ ଓ ଉତ୍ତରକୋରିଆ ମଧ୍ୟରେ ସେନା ହତିଆର, ଗୋଳାବାରୁଦ ସହ ଅନ୍ୟ ସାମଗ୍ରୀର ଯୋଗାଣ ସହଜ ହେବ । ପୂର୍ବରୁ ହିଁ ଉତ୍ତର-କୋରିଆ ଋଷକୁ ହତିଆର ଓ ଗୋଳାବାରୁଦ ପଠାଉଥିବା ସାଟେଲାଇଟ୍ ଇମେଜରୁ ଜଣାପଡିଛି । ଏବେ ରେଳସେବା ଏହି ସପ୍ଲାଏ ଲାଇନକୁ ଆହୁରି ମଜବୁତ କରିବ । ଉଭୟ ଋଷ ଓ ଉତ୍ତର କୋରିଆ ଉପରେ ପଶ୍ଚିମ ଦେଶର ପ୍ରତିବନ୍ଧକ ଲାଗୁ ହୋଇଛି । ତେବେ ରେଳସେବା ଏହି ପ୍ରତିବନ୍ଧକକୁ ଏଡାଇ ଦୁଇ ଦେଶ ମଧ୍ୟରେ ଆର୍ଥିକ ଓ ସାମରିକ ସହଯୋଗ ବଢାଇବାର ସୁଯୋଗ ଦେବ । ସେହିପରି ରେଳପଥ ଦ୍ବାରା ବାଣିଜ୍ୟ ମଧ୍ୟ ସହଜ ହେବ । ଫଳରେ ଦୁଇ ଦେଶର ଅର୍ଥବ୍ୟବସ୍ତା ମଜବୁତ ହେବା ସହ ପଶ୍ଚିମ ଦେଶର ଚାପ ବି କମ୍ ରହିବ ।

୧୦ହଜାର କିଲୋମିଟର ଯାତ୍ରା, ଲାଗିବ ୮ଦିନ

ଜୁନ୍ ୧୭ତାରିଖରୁ ଦୁଇ ଦେଶର ରାଜଧାନୀ ମଧ୍ୟରେ ପୁଣି ଥରେ ରେଳସେବା ଆରମ୍ଭ କରାଯିବ । ୧୦ହଜାର କିଲୋମିଟରର ଏହି ଯାତ୍ରା ପାଇଁ ୮ଦିନ ସମୟ ଲାଗିବ । ଏହା ଦୁନିଆର ସବୁଠୁ ଲମ୍ବା ସିଧାସଳଖ ରେଳଯାତ୍ରା । ଆସନ୍ତା ମଙ୍ଗଳବାର ପ୍ୟୋଙ୍ଗୟାଙ୍ଗରୁ ୮ଦିନିଆ ଯାତ୍ରା ପାଇଁ ବାହାରିବ । ଜୁନ୍ ୨୫ତାରିଖରେ ଏହା ମସ୍କୋରେ ପହଞ୍ଚିବ । ସେହିପରି ୨୬ଜୁନରୁ ମସ୍କୋରୁ ବାହାରି ଜୁଲାଇ ୪ତାରିଖରେ ପ୍ୟୋଙ୍ଗୟାଙ୍ଗରେ ପହଞ୍ଚିବ । ଏହି ରେଳଯାତ୍ରା ଋଷ ଓ ଉତ୍ତର କୋରିଆ ମଧ୍ୟରେ ସାଂସ୍କୃତିକ ସେତୁ ଭଳି କାମ କରିବ । ତେବେ ବିଦେଶୀଙ୍କୁ ରେଳଯାତ୍ରା ପାଇଁ ଅନୁମତି ମିଳିବ କି ନାହିଁ, ତାହା ସ୍ପଷ୍ଟ ହୋଇନି । ଏହି ରେଳ ରୁଟରେ ଇଂଜିନିୟରିଂ ଚମତ୍କାର ଦେଖିବାକୁ ମିଳୁଛି । ଏହା ୧୮୯୧ରେ ଆରମ୍ଭ ହୋଇଥିଲା, ପରେ ମସ୍କୋକୁ ବ୍ଲାଦିବୋସ୍ତୋକ ସହ ଯୋଡା ଯାଇଥିଲା । ୨୦୨୦ ଫେବ୍ରୁଆରୀରେ ଋଷ ଓ ଉତ୍ତର କୋରିଆ ମଧ୍ୟରେ କୋଭିଡ୍ ମହାମାରୀ ଯୋଗୁଁ ରେଳସେବା ବନ୍ଦ କରାଯାଇଥିଲା ।

Comments are closed.