Latest Odisha News

BREAKING NEWS

ଋଷ, ୟୁକ୍ରେନକୁ ଆମେରିକାର ଅଲଟିମେଟମ୍

ନୂଆଦିଲ୍ଲୀ: ଋଷ, ୟୁକ୍ରେନକୁ ଅଲଟିମେଟମ ଦେଲେ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ । ଯଦି ଦୁଇ ଦେଶ ମଧ୍ୟରେ ଶାନ୍ତି ବୁଝାମଣା ନେଇ ସ୍ପଷ୍ଟ ସଂକେତ ନମିଳେ ତେବେ ପଛକୁ ହଟିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ନେଇ ଉଦ୍ୟମ ସପ୍ତାହ ସପ୍ତାହ କିମ୍ବା ମାସ ମାସ ଧରି ଚାଲିପାରିବନି । ତେଣୁ ଏନେଇ ଶୀଘ୍ର ନିଷ୍ପତି ନେବା ଜରୁରୀ । ତେଣୁ ଆଗାମୀ କିଛି ସପ୍ତାହ ମଧ୍ୟରେ ଶାନ୍ତି ବୁଝାମଣା ସମ୍ଭବ କି ନୁହେଁ? ଯଦି ସମ୍ଭବ ତେବେ ଏଥିରେ ଆମେରିକା ସାମିଲ ରହିବ, ନହେଲେ  ଅନ୍ୟ ପ୍ରସଙ୍ଗ ଉପରେ ଫୋକସ୍ କରିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେବି ଶାନ୍ତି ବୁଝାମଣା ପାଇଁ ଆଗ୍ରହୀ, ତେବେ ଏହା ଆଗକୁ ବଢୁଥିବା ନେଇ ସଙ୍କେତ ନମିଳିଲେ ଟ୍ରମ୍ପ ଏଥିରୁ ଓହରିଯିବେ ବୋଲି ମାର୍କୋ ରୁବିଓ କହିଛନ୍ତି ।

୨୪ଘଣ୍ଟା ଭିତରେ ଯୁଦ୍ଧ ରୋକିବାକୁ କହିଥିଲେ

ନିର୍ବାଚନ ପ୍ରଚାର ସମୟରେ ହ୍ବାଇଟ୍ ହାଉସକୁ ଯିବାର ୨୪ଘଣ୍ଟା ମଧ୍ୟରେ ଋଷ-ୟୁକ୍ରେନ ଯୁଦ୍ଧ ରୋକିବାକୁ କହିଥିଲେ ଡୋନାଲ୍ଡ ଟ୍ରମ୍ପ । ତେବେ ଦାୟିତ୍ବ ନେବା ପରେ ସେ ଏପ୍ରିଲ, ମେ ମଧ୍ୟରେ ଶାନ୍ତି ବୁଝାମଣା ହୋଇଯିବ ବୋଲି କହିଥିଲେ । ଏବେ ଋଷ-ୟୁକ୍ରେନ ମଧ୍ୟରେ ଶକ୍ତି ଉତ୍ସକୁ ନେଇ ବୁଝାମଣା ହୋଇଛି । ପରସ୍ପରର ଶକ୍ତି ଉତ୍ସ ଉପରେ ୩୦ଦିନ ପର୍ଯ୍ୟନ୍ତ ଆକ୍ରମଣ ନକରିବାକୁ ରାଜି ହୋଇଛନ୍ତି ଦୁଇ ଦେଶ । ଋଷ-ୟୁକ୍ରେନ ମଧ୍ୟରେ ଶାନ୍ତି ବୁଝାମଣା ନେଇ ସାଉଦି ଆରବର ରାଜଧାନୀ ରିୟାଦରେ ଆଲୋଚନା ହେଉଛି । ଏଥିରେ ଆମେରିକା ଗୁରୁତ୍ବପୂର୍ଣ୍ଣ ଭୂମିକା ନେବା ସହ ଉଭୟ ପକ୍ଷ ସହ ଚର୍ଚ୍ଚା କରୁଛି । ଋଷ ରାଷ୍ଟ୍ରପତି ପୁତିନଙ୍କ ସହ ଫୋନରେ ବି ଆଲୋଚନା କରିଥିଲେ ଟ୍ରମ୍ପ ।

ବନ୍ଦ ହେବନି ଋଷ-ୟୁକ୍ରେନ ଯୁଦ୍ଧ !

ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ୟମ ପାଇଁ ହିଁ ଋଷ-ୟୁକ୍ରେନ ମଧ୍ୟରେ ଶକ୍ତି ଉତ୍ସରେ ସଂଘର୍ଷ ବିରତି ବୁଝାମଣା ହୋଇଥିଲା । ଏହାପରେ ଚଳିତ ମାସ ଶେଷ ସୁଦ୍ଧା କୌଣସି ମତେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ । ତେବେ ଦୁଇ ଦେଶ ମଧ୍ୟରେ ଉଭୟ ପକ୍ଷରୁ ଆକ୍ରମଣ ଜାରି ରହିଛି । ଶୁକ୍ରବାର  ଖାରକିଭ୍ ଓ ସୁମି ସହର ଉପରେ ଋଷର ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ଜଣ ଆହତ ହୋଇଥିବା ୟୁକ୍ରେନୀୟ ଅଧିକାରୀ କହିଛନ୍ତି । ଟ୍ରମ୍ପଙ୍କ ଉଦ୍ୟମ ପରେ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବା ନେଇ ଆଶା କରାଯାଉଥିଲା । ତେବେ ମାର୍କୋ ରୁବିଓଙ୍କ ବୟାନ ପରେ ଯୁଦ୍ଧ ବନ୍ଦ ହେବା ଉପରେ ପ୍ରଶ୍ନଚିହ୍ନ ଲାଗିଛି ।

ଋଷରେ ହତିଆର ବନାଉଛି ଚୀନ୍!

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଚୀନ ବିରୋଧରେ ବଡ ବୟାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଚୀନ୍ ଋଷକୁ ତୋପ, ବାରୁଦ ପରି ହତିଆର ଯୋଗାଉଛି । ଚୀନର ପ୍ରତିନିଧି ଋଷରେ ହତିଆର ଉତ୍ପାଦନ କରୁଥିବା ଜେଲେନସ୍କି କହିଛନ୍ତି। ଏନେଇ ତାଙ୍କ ପାଖରେ ପ୍ରମାଣ ରହିଛି । ୟୁକ୍ରେନର ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସିଙ୍କ ରିପୋର୍ଟ ଆଧାରରେ ଏଭଳି କହୁଥିବା ଜେଲେନସ୍କି କହିଛନ୍ତି । ଏନେଇ ଆସନ୍ତା ସପ୍ତାହରେ ଦସ୍ତାବିଜ ଜାରି କରିପାରେ ୟୁକ୍ରେନ୍ । ତେବେ ଜେଲନସ୍କିଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ଚୀନ୍ । ୨୦୨୨ ଫେବ୍ରୁଆରୀରୁ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠୁ ଚୀନ୍ ଋଷକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ନେଇ ଅନେକ ଥର ଅଭିଯୋଗ କରିଛନ୍ତି ଜେଲେନସ୍କି।

Comments are closed.