Latest Odisha News

BREAKING NEWS

ଚାଲିଗଲେ ଋତୁ, ଛାଡିଗଲେ ସ୍ମୃତି…

ଭୁୁବନେଶ୍ୱର: ସବୁଦିନେ ସମସ୍ତଙ୍କୁ ଖବର ଦେଉଥିବା ଲୋକ ଆଜି ନିଜେ ଖବର ପାଲଟିଛି । ଆଉ ନାହାନ୍ତି ଋତୁ ଟହଲ । ଗତକାଲି ଏହି ଖବର ଓଡିଶା ଗଣମାଧ୍ୟମ ସଂସ୍ଥାରେ ଖେଳାଇଦେଇଥିଲା ଶୋକର ଛାୟ । ଗଣମାଧ୍ୟମ ଜଗତର ଜଣେ ଅତ୍ୟନ୍ତ ଭଦ୍ର ଚରିତ୍ର ଆମକୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । ଉଚ୍ଚ ରକ୍ତଚାପରେ ଜୁଝିଆସିଥିବା ଋତୁ ଟହଲ ଶେଷରେ ବ୍ରେନ୍ ଷ୍ଟ୍ରୋକ୍‌ରେ ପୀଡିତ ହୋଇ ପ୍ରାଣ ହରାଇଥିଲେ ।

ଦୀର୍ଘ ୧୮ ବର୍ଷ ଧରି ସେ ଓଡିଶା ଗଣମାଧ୍ୟମ ସଂସ୍ଥାରେ ଜଡିତ ଥିଲେ । ୨୦୦୩, ଇ-ଟିଭିରେ ନିଜ କ୍ୟାରିଅର ଆରମ୍ଭ କରିଥିବା ଋତୁ ଟହଲ ପରବର୍ତ୍ତୀ ସମୟରେ ଓଟିଭି, ନକ୍ଷତ୍ର ଟିଭି, ଏମ୍‌ବିିସି, ନ୍ୟୁଜ୍ ୱାର୍ଲଡ ଓଡିଶା ଓ ନ୍ୟୁଜ-୯ ଭଳି ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ଥିଲେ । ସହକର୍ମୀଙ୍କ ନିକଟରେ ସେ ଜଣେ ଭଦ୍ର ଓ ମେଳାପୀ ଲୋକ ଭାବେ ପରିଚୟ ହାସଲ କରିଥିଲେ ।

ହଠାତ୍ ଜୁଲାଇ ୧୫ ରାତିରେ ସେ ଅସୁସ୍ଥ ହୋଇପଡିଥିଲେ । ପରଦିନ ସକାଳୁସକାଳୁ ପ୍ରଥମେ ବ୍ରହ୍ମପୁର ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ବ୍ରେନ୍‌ଷ୍ଟ୍ରୋକ୍ ହୋଇଥିବା ଜଣାପଡିବା ପରେ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଡ୍‌ମିଟ୍ କରିଥିଲେ । ରିପୋର୍ଟ ଓ ଡାକ୍ତରଙ୍କ ପରାର୍ଶ ଅନୁଯାୟୀ ଜୁଲାଇ ୧୭ରେ ତାଙ୍କର ଅପରେଶନ ହୋଇଥିଲା । ତେବେ ଅପରେଶନ ପରଠୁ ସେ କୋମାରେ ରହିଥିଲେ । ଶେଷରେ ଗତକାଲି ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ବ୍ରହ୍ମପୁର ଗଜପତି ନଗର ବାସିନ୍ଦା ଋତୁଙ୍କର ଅନ୍ତିମ ସମୟ ଏତେଟୋ ଭଲ ନଥିଲା । ବେଶ ଅଭିଜ୍ଞ ହୋଇଥିଲେ ବି ଶେଷ ସମୟ ବେଳକୁ ତାଙ୍କ ପାଖରେ କୌଣସି ଚାକିରୀ ନଥିଲା । ତଥାପି ସେ କେବେ କାହିରି ପାଖରେ ହାତ ପତେଇନଥିଲେ । ଏପରିକି ନିଜ ପରିବାର ଲୋକଙ୍କ ସାମ୍ନାରେ ବି ନିଜ ଚିନ୍ତା ବ୍ୟକ୍ତ କରୁନଥିଲେ । ଉଚ୍ଚ ରକ୍ତଚାପ ଦେଇ ଗତି କରିଆସିଥିବା ଋତୁ ଜୀବନ ସହ ଅବିରତ ଲଢିଆସିଥିଲେ, ହେଲେ ତାଙ୍କ ଶରୀର ତାଙ୍କ ସାଥ ଦେଇନଥିଲା । ଆଜି ସେ ଆମ ଗହଣରେ ନାହାନ୍ତି ସତ, ହେଲେ ତାଙ୍କ ହସହସ ଚେହେରା ଓ ମେଳାପୀ ସ୍ୱଭାବ ଆମ ସହ ନିଃଶ୍ୱାସ ପ୍ରଶ୍ୱାସ ଭାବେ ଜଡିତ ରହିବେ । ବିଦାୟ ଋତୁ…

Leave A Reply

Your email address will not be published.