ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରେ ରିତୁରାଜ ଗାଏକ୍ୱାଡଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯାଇପାରେ । ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ବିରାଟ କୋହଲିଙ୍କ ସ୍ଥାନରେ ରିତୁରାଜଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି । ଆଘାତ ସମସ୍ୟା ଯୋଗୁ କୋହଲି ଏହି ସିରିଜରୁ ଓହରି ଯାଇଛନ୍ତି । ରିତୁରାଜଙ୍କୁ ସୁଯୋଗ ମିଳିଲେ ରଜତ ପାଟୀଦାରଙ୍କୁ ଭାରତ ଏ ଟିମରେ ସାମିଲ କରାଯିବ । ଆଇପିଏଲରେ ପାଟୀଦାର ଉଭୟ ବ୍ୟାଟିଂ ଏବଂ ଅଧିନାୟକ ଭାବେ ଛାପ ଛାଡିବାରେ ସଫଳ ହୋଇଛନ୍ତି । ତାଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଦ୍ୱିତୀୟ ଥର ପାଇଁ ଟାଇଟଲ ହାସଲ କରିଛି ।
ରିିତୁରାଜ ଗତ ବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ । ସେ ଓଭରାଲ ଭାରତ ପକ୍ଷରୁ ୯ ଦିନିକିଆ ମ୍ୟାଚ ଖେଳି ୨୮.୫୦ ଆଭରେଜରେ ୨୨୮ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି । ତେବେ ଆଫଗାନିସ୍ତାନ ବିପକ୍ଷରେ ରିତୁରାଜଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିିଳିବା କଷ୍ଟକର ହୋଇପାରେ । ଜବରଦସ୍ତ ଫର୍ମରେ ଥିବା ଈଶାନ କିଶାନଙ୍କୁ ପ୍ରଥମେ ସୁଯୋଗ ଦିଆଯିବ । ସେ ଯଦି ବିଫଳ ହେବେ ତେବେ ରିତୁରାଜ ସାମିଲ ହେବେ ।