Latest Odisha News

BREAKING NEWS

କବିତା : ଅନ୍ନପୂର୍ଣ୍ଣା

ବିଜୟ ଚନ୍ଦ୍ର ପ୍ରଧାନ 

ଆଦିମ କାଳରୁ ଅଦ୍ୟାବଧି ଦେଖ
ମାର୍ଗଶିର ଗୁରୁବାରେ,
ଧୂପ ନୈବେଦ୍ୟରେ ସକଳ ଗୃହରେ
ପୁଜା ପାଅ ନିରନ୍ତରେ।

ସାଗର ମନ୍ଥନୁ ତୁମ ଆବିର୍ଭାବ
ତେଣୁ ସାଗର ଦୁହିତା,
ଏ ଧରା ଧାମକୁ ଧନ ଖାଦ୍ୟ ବାସ
ସବୁ ତୁମ୍ଭ ମହାନତା।

ଶ୍ରୀୟା ଭକତିରେ ସନ୍ତୁଷ୍ଟ ହୋଇ ଯେ
ବୁଝାଇଲେ ଏହି ଭାବେ ,
ଜାତି ବର୍ଣ୍ଣ ଭେଦ ରାଗ ହିଂସା ଭାବ
ତେଜି ବଞ୍ଚ ଗଉରବେ ।

ଦାରୁ ମୂର୍ତ୍ତି ଜାୟା ଶ୍ରୀ ନାମେ ତୁମ୍ଭେ
ଦୁଃଖ ହରୁଛ ସହଜେ,
ନିଷ୍ଠା ଭକ୍ତ ଜନେ ସର୍ବ ଶ୍ରୀ ବର୍ଦ୍ଧନେ
ତୁମ୍ଭ କରୁଣା ବିରାଜେ।

ମାର୍ଗଶିର ମାସ ପ୍ରତି ଗୁରୁବାରେ
ମହାପୂଜା ମାଣବସା,
ମାଆ ନବବଧୂ ତୁମ ପଦପଦ୍ମେ
ଉପାସନାରେ ଭରଷା।

ଯେ ଜନ ଅନ୍ତରେ ଭକତି ନିଷ୍ଠାରେ
ତୁମ ଚରଣେ ସୁମରେ,
ନ୍ୟୁନ ଭାବ ଯେତେ ସର୍ବ ଦୂର ହୁଏ
ସୁଖ ଶାନ୍ତିରେ ବିହରେ।

ତୁମ୍ଭ ପାଦ ଚିହ୍ନେ ନାନା ଚିତ୍ର ଝୋଟି
ଦାଣ୍ଡୁ ଘର ଵାରି ଯାଏଁ,
ଖିରି ପୁରି ସାଥେ ଆରିସା କାକରା
ନାନାଦି ବ୍ୟଞ୍ଜନ ହୁଏ।

ଏ ପବିତ୍ର ମାଟି ବାର ମାସେ ତେର
ପର୍ବ ରୀତି ନୀତି କରେ,
ଅଜସ୍ର ମହିମା ମଣ୍ଡିତା ମା ଲକ୍ଷ୍ମୀ
ତୁମ୍ଭ ପୟର ସୁମରେ।

ଅନ୍ତରେ ଅନ୍ତରେ ଚିନ୍ତଇ ଅଧମ
ତୁମ ଅଭୟ ଚରଣ,
ଅଳି କରେ ସୁତ ନିରାଶ ନକରି
ଆଶିଷ କରିବ ଦାନ।

କ୍ଷେତମୁଣ୍ଡାଳି, ଗଞ୍ଜାମ
୭୭୩୫୬୬୦୩୩୭

Leave A Reply

Your email address will not be published.