ଅଗ୍ନିବେଶ ମହାପାତ୍ର 
କେତେ ଆଶା କେତେ ନିରାଶା
ଶୁଣିବାକୁ କେତେ ଅକୁହା ଭାଷା
କେତେ ଆନନ୍ଦ କେତେ ବିଷାଦ
ଭୋଗିବାକୁ ଅଛି କେତେ ପ୍ରମାଦ
କେତେ ଦୁଃର୍ଜନ କେତେ ସୁଜନ
ଭେଟିବାକୁ ଏଠି କେତେ ସ୍ଵଜନ
କେତେ ଦୁର୍ଗମ କେତେ ସୁଗମ
ଚାଲିବାକୁ ଅଛି କେତେ ଆଗମ…
ହେ ମାନବ… ରେ ମାନବ… ତୁହି ଦେବ ତୁହି ଦାନବ!
ହୃଦୟର ବେଦନା ମନର କଳ୍ପନା
ଆଉ ବୁଦ୍ଧିର କେତେ ବିଡ଼ମ୍ବନା
ମାନର ଲଘିମା ଅପମାନର ଅଣୀମା
ଆଉ ଧ୍ୟାନର କେତେ ମହିମା
ସଫଳତାର ଯଶ ବିଫଳତାର ହସ
ଆଉ ନିଷ୍କ୍ରିୟତାର କେତେ ଯେ ରସ
ପ୍ରେମର ମୋହନ ଘୃଣାର ଦୋହନ
ଆଉ ଭାବର କେତେ ସମ୍ମୋହନ…
ହେ ମାନବ.. ରେ ମାନବ… ତୁହି ଦେବ ତୁହି ଦାନବ!
ପ୍ରଭାତର ପ୍ରଭା ସନ୍ଧ୍ୟାର ଶୋଭା
ଦିନ-ରାତିର ଆଉ କେତେ ଆଭା
ନଦୀର ଚଞ୍ଚଳତା ନଦର ଶିଥିଳତା
ଆଉ ସାଗରର କେତେ ବିପୁଳତା
ସୂର୍ଯ୍ୟର ଦୀପ୍ତି ଚନ୍ଦ୍ରମାର ପ୍ରୀତି
ଆଉ ପୃଥିବୀର କେତେ ନିୟତି
ଅଗ୍ନିର ଉଷ୍ମତା ପବନର ସୌମ୍ୟତା
ଆଉ ଆକାଶର କେତେ ସୁକ୍ଷ୍ମତା
ହେ ମାନବ… ରେ ମାନବ… ତୁହି ଦେବ ତୁହି ଦାନବ!
ଇଚ୍ଛାର ଟାଣ ଆକାଂକ୍ଷାର ବାଣ
ଉଦ୍ବେଳିତ ମନ-ପ୍ରାଣ
ବିଷୟର ମୋହ ବାସନାର
କୋହ ଚକ୍ଷୁରେ ସଜ୍ଜିତ ଲୁହ
ସମୟର ଗତି କାଳର ସ୍ଥିତି
ମାୟାରେ ଗ୍ରାସିତ ମତି
ମନର ଅବଜ୍ଞା ଆତ୍ମାର ପ୍ରଜ୍ଞା
ଜୀବନର ଏକମାତ୍ର ସଂଜ୍ଞା…
ହେ ମାନବ… ରେ ମାନବ… ତୁହି ଦେବ ତୁହି ଦାନବ!
Comments are closed.