ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୧
ସ୍ମୃତିରେ ଥାଏ ଯେତେ ଭାଷା
ତାହାକୁ କରିଲେ ଭରସା
ସରଳ ହୁଏ ଲେଖା, କଥା
ନ ଥାଏ ବେଶି ଅସ୍ପଷ୍ଟତା
କିଂତୁ ଶବ୍ଦକୋଷରୁ ଆଣି
ଦୁର୍ବୋଧ୍ୟ ଶବ୍ଦ ଦେଲେ ବୁଣି
ଲେଖକ ଦେଖାଂତି ପାଂଡିତ୍ୟ
ପାଠକେ ପାଆଂତିନି ହିତ
ସରଳତମ ଶବ୍ଦ ବାଛି
ଲେଖିଲେ ଭାଷା ରହେ ବଂଚି
ଏ ତଥ୍ୟ ବ୍ୟାପକ ସ୍ବୀକୃତ
ନ ଥାଏ ଭିନ୍ନ ମତାମତ
ଅଯଥା ଶବ୍ଦ ଆଡ଼ଂବର
ହୁଏନି କେବେ ହିତକର
ସାହିତ୍ୟ ହୋଇଲେ ସୀମିତ
ନ ହୁଏ ବିଶେଷ ଆଦୃତ
ଗବେଷକ ଓ ଅଧ୍ୟାପକ
ଶିକ୍ଷକ ଆଉ ସାଂବାଦିକ
କଥାକାର ଓ ଆଲୋଚକ
ଭାଷା-ଜଡ଼ିତ ସବୁ ଲୋକ
ଏବେ ହୋଇଲେ ସାବଧାନ
ରହିବ ସାହିତ୍ୟର ମାନ
ଲେଖକ ପାଠକ ମଧ୍ୟରେ
ସ୍ବଭାଷା ଯାତାୟାତ କରେ
ଏବେ ତାହା ତ ହେଉନାହିଁ
କେହି ନୁହଂତି କାହା ପାଇଁ
ପରସ୍ପରକୁ ଛାଡ଼ିଦେଇ
ଅଛଂତି ଅବସନ୍ନ ହୋଇ
ଅନ୍ୟକୁ ଭାବି ଜ୍ଞାନହୀନ
ଶୁଣାଂତି ଘଷରା ବଚନ
ତେଣୁ ଘଟୁନି ଉନ୍ନୟନ
ବୁଝିପାରୁନି କାହା ମନ
ଏ ସ୍ଥିତି ନୁହେ ସୁଖକର
ଲୋଡ଼ା ପଡ଼ୁଛି ପ୍ରତିକାର
କେହି ବି ନ ହେଲେ ତତ୍ପର
ଜଳଂତା କାଠ ହେବ ଖାର
ପାଠକେ ଅଟଂତି ଗ୍ରାହକ
ଲେଖକମାନେ ଉତ୍ପାଦକ
ଉଭୟେ ହୋଇଲେ ସକ୍ରିୟ
ନ ଥିବ ପରାଜୟ ଭୟ