ଅନୁପମା ସାହୁ
ସୁଠାମ ସୁଢଳ ବିମଳ ସୁଷମା
ଜନମନ ମୋହି ନେଉ ।
ସୌନ୍ଦର୍ଯ୍ୟପିପାସୁ ପ୍ରତିଟି ପ୍ରାଣକୁ
ମାୟାଡୋରେ ବାନ୍ଧି ଦେଉ ।
ରୂପ ରଙ୍ଗ ଆଭା ହୋଇଅଛି ଠୁଳ
ପ୍ରତିଟି ଅଙ୍ଗରେ ତୋର
ଦର୍ଶନ ମାତ୍ରକେ ବିଦଗ୍ଧ ପ୍ରାଣଟା
ପୁଲକିତ ହୁଏ ମୋର ।
ମହମହ ବାସ ମହକାଇ ତୋର
ଭ୍ରମରକୁ କରୁ ବଶ
ଲାବଣ୍ୟ ନିଧି ତୁ କି ଯାଦୁ ରଖିଛୁ
ସର୍ବ ଓଠେ ଦେଉ ହାସ ।
ପ୍ରୀତି ପ୍ରଣୟର ଅଟୁ ଗନ୍ତାଘର
ଦିବା ନିଶି ଅବିଚଳ
ଦିବାକର କରେ ସମର୍ପିତା ତୁ ଯେ
ପ୍ରେମ ତୋ ଅଟେ ଅଟଳ ।
ରୂପ ମାୟାଜାଲେ କବି ପ୍ରାଣ ବାନ୍ଧୁ
ହୋଇ ତୁହି ତାଙ୍କ ପ୍ରିୟ
ତୋର ଗୁଣଗାନେ କବିର କଲମ
ରଖଇ ତୋ ଠାରେ ଲୟ ।
ତୋହର ପତର ଜଳ ଟୋପା
ସରାଗେ ଛାତିରେ ଧରେ,
ଅଂଶୁମାନ ଅଂଶୁ ସ୍ପର୍ଶ ଲଭି ସିଏ
ମୋତି ଭ୍ରମ ସୃଷ୍ଟି କରେ ।
କଳୁଷ କାଳିମା ପଙ୍କେ ଉର୍ଦ୍ଧ୍ୱେ ଥାଇ
ସଦା ରହୁ ତୁହି ସ୍ଥିର,
ନୀଚ୍ଚେ ଜନ୍ମ ହୋଇ ଉଚ୍ଚ କର୍ମ କର
ଏହା ହିଁ ଆହ୍ଵାନ ତୋର ।
ଶିକ୍ଷୟିତ୍ରୀ, ବଡ଼ପଦନା
କେନ୍ଦୁଝର
Comments are closed.