ବଳରାମ ପୂଜାରୀ
ଗର୍ଭିଣୀ ମେଘଟା ଓଲ୍ହାଉଥିଲା
କୁଞ୍ଚୁକୁଞ୍ଚିଆ ଦେଉଳ ଡଙ୍ଗରର
ଓଦା ଶିଉଳିଆ ମଥାନରୁ ,
ପେଟରେ ପେଟେ ବାଷ୍ପ ବିଶ୍ୱାସର
ଜଳ କଣିକା ଧରି ,
ଡଙ୍ଗରିଆ ଗଛବୃଛମାନେ
ଆଁ କରି ମେଲେଉ ଥିଲେ
ନିପାଣିଆ ପାଟିକୁ ,
ଚାଟିଚୁଟି ସଫା କରିବାକୁ,
ନ ମାସିଆ ମେଘବତୀର ପେଟରିପଣକୁ
ହାତ ଟେକି ନେହୁରା ହେଉଥିଲେ,
ଡଙ୍ଗରିଆ ସଲଫ୍ ଗଛର ଚାଉଁର ଗୁଛ୍ଛ
ପ୍ରସବୀ ଦିଅ ପ୍ରସବିନୀ
ଓଦା ହୋଇଯାଉ ତମାମ ମୃତ୍ୟୁ ମୁହାଁ ଡଙ୍ଗର ରାଜ୍ୟର ନିରୀହ ପରିଧି ।।
ଗୁମୁରୁ ଥିଲା ଝାଳୁଆ ଝଞାବତୀର
ମହ ମହ ମହୁଲ ଫୁଲ,
କନ୍ଦା କଇଥରୁ ଖୋଲା ମେଲା ଖମାଣ,
ସଭିଏଁ କାକୁସ୍ଥ !
ସଭିଏଁ ‘ହାହାକାର !
କିଏ ଚିପୁଡି ଦିଅନ୍ତା କି ଏଇ ପୁଳା ପୁଳା ମେଘପୁଞକୁ ,
ଆକଣ୍ଠ, ପିଇ ଯାଆନ୍ତେ ?
ଏଇ ତମାମ ଦେଉଳ ଡଙ୍ଗରର ଡୁମା ଓ ଡାହାଣୀମାନେ ,
ଜୀବନ୍ଯାସ ପାଇଯାଆନ୍ତା
ଯୁଗ ଯୁଗ ସ୍ୱାଧୀନ ଭାବରେ ବଞ୍ଚି ରହିଥିବା
ଏଇ ଡଙ୍ଗର ରାଜ୍ୟର ରାଜବାଟି ,
ମେଞ୍ଚା ମେଞ୍ଚା ଆସ୍ଥା ଆସ୍ତରଣରେ
ସଜେଇ ହୋଇଥିବା ପଥର ଅଟ୍ଟାଳିକା ରୁନୁକ୍ ବୋର ଓ ଆଦିମ ଅଧିବାସୀ ରେମୋ ।।
ଝୁଲି ଝୁଲି ପାଦ ଥାପୁଥିଲା ମେଘବର୍ଣ୍ଣା
ରଙ୍ଗୀନ ରଙ୍ଗଉତ୍ସବରେ ଭିଜୁଥିଲେ
ଭସା ଭସା ଭୋଦୁଅ ଆକାଶର ରୁଙ୍ଗ ରୁଙ୍ଗା
ଘସିଦେଉଥିଲା , ତା’ ଜୀବନଭର୍ତ୍ତି ପାତ୍ରରୁ
ବୁନ୍ଦା ବୁନ୍ଦା ତଟକା ଜୀବନ ବିନ୍ଦୁ ,
ଚେରେଇ ଯାଉଥିଲେ,
ଜୀବନ୍ଯାସ ର ସଂଜ୍ଞା ଓ ସନ୍ଧିହାନମାନେ ,
ଖିଲି ଖିଲି ହସୁଥିଲା ସବୁଜିଆ
ମାଣ୍ଡିଆ ଡଙ୍ଗରର ଆବରଣହୀନ ଉଚ୍ଚ ଉଚ୍ଚ
ଶାଗୁଆ ଉପତ୍ୟକା ।।
ତଳେ , ଢାଲୁ ଢାଲୁ ଅବିଶ୍ଵାସର ଅଭିଶାପ
ଉପରେ , ଛାତି ଭର୍ତ୍ତି ମେଘ ପଟୁଆର,
ଆକଣ୍ଠ ଆକାଶର ଅସରାଏ ତଥାସ୍ତୁ ,
ଭୂମି ଉପରେ ଡହ ଡହ ଭୋକର ସାନ୍ଧ୍ରତା ,
ଧାଙ୍ଗଡ଼ି ବସାର ତୃଷାର୍ତ୍ତ ଦେହ ?
ମୁଣ୍ଡିଆ ମଥାନରୁ ଥିପୁଥିଲା ମେଘ
ଜୀବନ୍ଯାସ ପାଉଥିଲେ, କୋଉ କାଳରୁ
ଆଣ୍ଠେଇ ଥିବା ଅଗର୍ଭା ଆୟୁଷ୍ମାନମାନେ ।।
ପୁରୁଥିଲା , ଭରୁଥିଲା ମଠେଇ ମେଘଲଗ୍ନାର ଗର୍ଭଣୀ ପେଟ,
ଜାଙ୍ଗୁଲୁ ଜାଙ୍ଗୁଲୁ ଅନ୍ଧାରରେ
ମନ୍ତୁରା ପାଣି ବିଞ୍ଚୁଥିଲେ , ଡଙ୍ଗର ଦେବତା
ଆଦିଭୂମିରେ ଅବତୀର୍ଣ୍ଣ ହେଉଥିଲେ ଆଶୀର୍ବାଦ
ରେମୋ ଗାଉଥିଲା, ଜଙ୍ଗଲ ଜୀବନର ,
ଜିଉଣି ଖାଉଣୀର ମର୍ମସ୍ପର୍ଶୀ ଯନ୍ତ୍ରଣା,
ପାହାଡ ମାନଙ୍କ ଶଙ୍ଖନାଦରେ ଆବାହନ
ହେଉଥିଲେ ମେଘ ମଞରୀ ,
ରିଙ୍ଗା ରିଞୋଡ଼ି ଲୋକଗୀତରେ ,
ପାଦ ଛନ୍ଦୁଥିଲେ, ଢେମସା ଧାଡିର ଧାଙ୍ଗଡ଼ି ରାଶି,
ମରୁଡ଼ିର ମାୟାଜାଲରୁ ମୁକୁଳୁଥିଲେ
ମୁଠା ମୁଠା ପରମାୟୁ ଓ
ଡଙ୍ଗର ରାଜ୍ୟର ସମସ୍ତ ଅବହେଳିତ ପ୍ରଜାମାନେ ।।
କୁଡୁମୁଲୁଗୁମ୍ମା ମାଲକାନଗିରି
Comments are closed.